Latest Odisha News

‘ସରକାର ଓ ଲୋକଙ୍କ ମଧ୍ୟରେ ସେତୁ ଜିଲ୍ଲାପାଳ’

ଭୁବନେଶ୍ବର: ଶୁକ୍ରବାର ଲୋକସେବା ଭବନରେ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଓ ଆସନ୍ତାକାଲି ଏହି ବୈଠକ ବସିବ । ଏଥିରେ ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ଗୁରୁତ୍ୱାରୋପ ଦିଆଯାଇଥିବା ବେଳେ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ଜିଲ୍ଲାପାଳଙ୍କ ଦାୟିତ୍ବ । ଓଡିଶାର ବିକାଶ ତାଙ୍କ ହାତରେ ହିଁ ନ୍ୟସ୍ତ ରହିଛି । ଜିଲ୍ଲାପାଳ ହେଉଛନ୍ତି ସରକାର ଓ ଲୋକଙ୍କ ମଧ୍ୟରେ ମୁଖ୍ୟ ସେତୁ । ରାଜଧାନୀକୁ ଛାଡ଼ିଦେଲେ ଅନ୍ୟ ସବୁଠି ସରକାର କହିଲେ ଜିଲ୍ଲାପାଳଙ୍କୁ ହିଁ ବୁଝାଏ । ଜିଲ୍ଲାପାଳଙ୍କ ନିକଟରେ ଲୋକଙ୍କ ସମସ୍ୟା ସମାଧାନ ହୁଏ । ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କ ସେବା କରିବାକୁ ସବୁ ଜିଲ୍ଲାପାଳ ଲକ୍ଷ୍ୟ ରଖିବା ଉଚିତ୍ । କାରଣ ସରକାରୀ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକାରୀ ଜିଲ୍ଲାପାଳଙ୍କ ହାତରେ ରହିଛି । ତେଣୁ କାର୍ଯ୍ୟରୁ ସମୟ ବାହାର କରି ତୃଣମୂଳ ସ୍ତରରେ ଜିଲ୍ଲାପାଳଙ୍କୁ ପରିଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏତିସହିତ କିପରି ପୂର୍ବ ସରକାରରେ ତାଙ୍କୁ ହଇରାଣ ହେବାକୁ ପଡିଥିଲା ସେ କଥା କହିଥିଲେ ମୁଖ୍ୟମନ୍ତ୍ରୀ । କିପରି ଜଣେ ଆଇଆଇସି ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ ସେ ଘଟଣା ସଂପର୍କରେ କହିଥିଲେ ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ପୂର୍ବ ସରକାରରେ ଯାହା ବି ଅନିୟମିତତା ହୋଇଛି ସେ ସବୁକୁ ମଧ୍ୟ ଠିକ୍ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.