Latest Odisha News

BREAKING NEWS

ହିଜବୋଲ୍ଲା ବିରୋଧରେ ଇସ୍ରାଏଲର ଶେଷ ଯୁଦ୍ଧ ?

ନୂଆଦିଲ୍ଲୀ: ଇସ୍ରାଏଲ ଓ ଲେବାନନର ସିହା ମିଲିସିଆ ହିଜବୋଲ୍ଲା ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ। ଇରାନ ସମର୍ଥିତ ହିଜବୋଲ୍ଲା ବିରୋଧରେ ପୂର୍ଣ୍ଣ ଲଢେଇ ପାଇଁ ଘୋଷଣା କରିଛି। ପଛକୁ ହଟିବାକୁ ଇସ୍ରାଏଲ ନାରାଜ । ଗାଜାରେ ପାଲେଷ୍ଟିନୀୟ ଚରମପନ୍ଥୀ ସଂଗଠନ ହମାସକୁ ନିରବ କରିବା ପରେ ଏବେ ହିଜବୋଲ୍ଲାକୁ ଶେଷ କରିବା ପାଇଁ ଅଭିଯାନ ଚଳାଇଛି ଇସ୍ରାଏଲ୍ । ଏମିତି ନୁହେଁ ଯେ, ଆଗରୁ କେବେ ଇସ୍ରାଏଲ ଓ ହିଜବୋଲ୍ଲା ମୁହାଁମୁହିଁ ହୋଇନାହାନ୍ତି । ଦୁଇ ପକ୍ଷ ମଧ୍ୟରେ ଅତୀତରେ ବି ଯୁଦ୍ଧ ହୋଇଛି । ବ୍ୟାପକ କ୍ଷୟକ୍ଷତି ସହିଛନ୍ତି ଦୁଇ ପକ୍ଷ । ୨୦୦୬ରେ ଇସ୍ରାଏଲ ଓ ହିଜବୋଲ୍ଲା ମଧ୍ୟରେ ବଡ ଯୁଦ୍ଧ ହୋଇଥିଲା । ବର୍ତ୍ତମାନ ପରିସ୍ଥିତି ଅଲଗା । ଯାହା ଜଣାପଡୁଛି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନୟାହୁ ହିଜବୋଲ୍ଲାକୁ ଶେଷ କରିଦେବାକୁ ପଣ କରିଛନ୍ତି। ଲଢେଇ ଏଥର ଟିକେ ଲମ୍ବା ଓ ନିର୍ଣ୍ଣାୟକ ହେବ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

କାହିଁକି ଇସ୍ରାଏଲ ଓ ହିଜବୋଲ୍ଲା ମଧ୍ୟରେ ଶତ୍ରୁତା ?

୧୯୮୨ରେ ଗଠିତ ହିଜବୋଲ୍ଲା ଆରମ୍ଭରୁ ହିଁ ଇସ୍ରାଏଲ ବିରୋଧୀ ନୀତି ଆପଣାଇଛି । ହିଜବୋଲ୍ଲାକୁ ମିଳିଛି ଇରାନର ସମର୍ଥନ ଓ ସହାୟତା । ଦକ୍ଷିଣ ଲେବାନନରେ ଇସ୍ରାଏଲର କବଜାକୁ ଶେଷ କରିବା ପାଇଁ ଲଢେଇ ଆରମ୍ଭ କରିଥିଲା ହିଜବୋଲ୍ଲା । ୨୦୦୬ରେ ଇସ୍ରାଏଲ ଓ ହିଜବୋଲ୍ଲା ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା । ୩୪ ଦିନ ଧରି ଚାଲିଥିଲା ଯୁଦ୍ଧ । ହିଜବୋଲ୍ଲା ପ୍ରଥମେ ଇସ୍ରାଏଲ ଉପରେ ରକେଟ ମାଡ କରିଥିଲା । ପରେ ଇସ୍ରାଏଲ ଭିତରେ ପଶି ତିନି ସୈନ୍ୟଙ୍କୁ ହତ୍ୟା କରିଥିଲେ ହିଜବୋଲ୍ଲା ଯୋଦ୍ଧା । ଜବାବରେ ଇସ୍ରାଏଲ ଲେବାନନ ଉପରେ ଆକ୍ରମଣ କରିଥିଲା । ଯୁଦ୍ଧରେ ଲେବାନନର ୧୧ ଶହରୁ ଅଧିକ ନାଗରିକ ପ୍ରାଣ ହରାଇଥିଲେ । ୧୬୫ ନାଗରିକଙ୍କୁ ହରାଇଥିଲା ଇସ୍ରାଏଲ୍ ।

ହମାସ ଆକ୍ରମଣ ପରେ ହିଜବୋଲ୍ଲା –ଇସ୍ରାଏଲ ଶତ୍ରୁତା ବୃଦ୍ଧି

୨୦୨୩ ଅକ୍ଟୋବର ୭ ତାରିଖରେ ପାଲେଷ୍ଟିନୀୟ ଚରମପନ୍ଥୀ ସଂଗଠନ ହମାସ ଇସ୍ରାଏଲ ଉପରେ କରିଥିଲା ବଡ ଧରଣର ଆକ୍ରମଣ । ଅତର୍କିତ ଆକ୍ରମଣରେ ୧୨୦୦ ଇସ୍ରାଏଲୀ ନାଗରିକ ପ୍ରାଣ ହରାଇଥିଲେ। ୨ଶହରୁ ଅଧିକ ଇସ୍ରାଏଲ ନାଗରିକଙ୍କୁ ପଣବନ୍ଦୀ କରିଥିଲା ହମାସ। ଭୟଙ୍କର ଜବାବୀ ଆକ୍ରମଣ କରିଥିଲା ଇସ୍ରାଏଲ । ହମାସ ବିରୋଧରେ ଯୁଦ୍ଧ ଘୋଷଣା କରି ଗାଜାରେ କରିଥିଲା ଭୀଷଣ ଆକ୍ରମଣ । ଏହି ଯୁଦ୍ଧ ବେଳେ ହିଜବୋଲ୍ଲା ମଧ୍ୟ ଇସ୍ରାଏଲ ଉପରେ ଏକାଧିକ ଆକ୍ରମଣ କରିଥିଲା । ସେହି ଆକ୍ରମଣର ପ୍ରତିଶୋଧ ପାଇଁ ଇସ୍ରାଏଲ ବ୍ୟାପକ ଅଭିଯାନ ଆରମ୍ଭ କରିଛି । ଇସ୍ରାଏଲ –ହମାସ ଲଢେଇରେ ମୁଣ୍ଡ ନ ପୁରାଇଲେ ପରିଣାମ ଭୟଙ୍କର ହେବ ବୋଲି ହିଜବୋଲ୍ଲାକୁ ଚେତାବନୀ ଦେଇଥିଲେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନୟାହୁ । ହେଲେ ହିଜବୋଲ୍ଲା ଶୁଣିନଥିଲା ।

ଏଥର ନିର୍ଣ୍ଣାୟକ ଯୁଦ୍ଧ ଲଢୁଛି ଇସ୍ରାଏଲ୍ ?

ପେଜର, ୱାକିଟକି ଜରିଆରେ ବିସ୍ଫୋରଣ କରି ହିଜବୋଲ୍ଲାର କମ୍ୟୁନିକେସନ ନେଟୱର୍କକୁ ଖିନ୍‌ଭିନ୍ କରିଛି ଇସ୍ରାଏଲ । ଏହା ପରେ ଦୁଇ ପକ୍ଷ ମଧ୍ୟରେ ଜୋରଦାର ଲଢେଇ ଆରମ୍ଭ ହୋଇଛି । ଇସ୍ରାଏଲର ବୋମା ମାଡରେ ଲେବାନନରେ ୬ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଧ୍ୱସ୍ତ ହୋଇଛି ହିଜବୋଲ୍ଲାର ଅନେକ ଆଡ୍ଡା। ହିଜବୋଲ୍ଲାର ପ୍ରମୁଖ ସଦସ୍ୟ ମଧ୍ୟ ଇସ୍ରାଏଲୀ ଆକ୍ରମଣରେ ନିହତ ହୋଇଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ କୌଣସି ପ୍ରକାର ବୁଝାମଣା ପାଇଁ ପ୍ରସ୍ତୁତ ଥିବା ଭଳି ଲାଗୁନାହାନ୍ତି । ତେଣୁ ଏଥର ହିଜବୋଲ୍ଲା ବିରୋଧରେ ଇସ୍ରାଏଲ ନିର୍ଣ୍ଣାୟକ ଯୁଦ୍ଧ ପାଇଁ ପ୍ରସ୍ତୁତି କରିଛି ବୋଲି କୁହାଯାଉଛି । ଆମେରିକା ଓ ଫ୍ରାନସ ପକ୍ଷରୁ ୨୧ ଦିନ ପାଇଁ ଅସ୍ତ୍ରବିରତି ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ । ଏବେ ସ୍ଥଳଭାଗରେ ବି ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଇସ୍ରାଏଲ୍ । ଯୁଦ୍ଧରେ ଲେବାନନକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡୁଛି ।

Leave A Reply

Your email address will not be published.