Latest Odisha News

ବବି କରୁଛନ୍ତି ବଡ଼ ପ୍ଲାନ୍ !

ଭୁବନେଶ୍ବର: କ୍ଷମତାକୁ ଫେରିବାକୁ ବବି ଚଳାଇବେ କି ଗୋଟି ? ବଢୁଛି ଯାଜପୁର ବିଧାୟିକାଙ୍କ ଇସ୍ତଫା ଚର୍ଚ୍ଚା । ସୁଜାତାଙ୍କ ଇସ୍ତଫା ପରେ ବ୍ୟାକଡୋରରେ ବିଧାନସଭାକୁ ଆସିବାକୁ ବବି କରୁଛନ୍ତି କି ପ୍ଲାନ୍ ! ବିଜେଡିର ଅନ୍ୟତମ କ୍ଷମତାକେନ୍ଦ୍ର ରହିଥିବା ପ୍ରଣବ ପ୍ରକାଶ ଦାସ ପୁଣି କ୍ଷମତାକୁ ଫେରିବାକୁ ଅଙ୍କ କଷୁଥିବା ନେଇ ଜୋରଦାର ଚର୍ଚ୍ଚା ହେଲାଣି। ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ଟାର୍ଗେଟରେ ରହିଛନ୍ତି ବବି । ସରକାରୀ ବାସଭବନରେ ଅବୈଧ ନିର୍ମାଣ ହେଉ କି କୁସୁମା ବଙ୍ଗଳା, କେଉଁଠି ନା କେଉଁଠି ଆଙ୍ଗୁଳି ବବିଙ୍କ ଆଡକୁ ଉଠିଛି । ବିଜେଡିର ପରାଜୟ ପରେ ବି ଦଳ ଭିତରେ ବବିଙ୍କ କାଟତି କମିଥିବା ନେଇ ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ଉପନିର୍ବାଚନ ଲଢି ପୁଣି କ୍ଷମତାକୁ ଫେରିବାକୁ ବବି ଯୋଜନା କରୁଥିବା କୁହାଯାଉଛି ।

ଉପନିର୍ବାଚନ ପ୍ଲାନ୍-ବି

ବିଜେଡିର ସାଂଗଠନିକ ସଂପାଦକ ରହିଥିବା ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭାର ହାଇପ୍ରୋଫାଇଲ୍ ସିଟରୁ ପ୍ରାର୍ଥୀ ହୋଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମାତ୍ ଦେବା ସହ ପଶ୍ଚିମ ଓଡିଶା ଭୋଟ ବିଜେଡି ଖାତାକୁ ଆଣିବାକୁ ଯୋଜନା ରଖିଥିଲେ ବବି । ହେଲେ ଫଳ ଓଲଟା ହେଲା । ନା ନିର୍ବାଚନ ଜିତିପାରିଲେ ନା ପଶ୍ଚିମ ଓଡିଶାରେ ବଢାଇ ପାରିଲେ ସିଟ୍ । ପରାଜୟ ଆଶଙ୍କାରେ ଶେଷ ପର୍ଯ୍ୟାୟରେ ମାଆ ସଂଧ୍ୟାରାଣୀ ଦାସଙ୍କୁ କୋରେଇ ବିଧାନସଭା ଆସନରୁ ପ୍ରାର୍ଥୀ କରାଇଥିଲେ ବବି। ହେଲେ ସେ ପ୍ଲାନ୍ ବି ଫେଲ୍ ମାରିଲା । ବିଜେଡିରୁ ବିଜେପିକୁ ଯାଇଥିବା ଯୁବନେତା ଆକାଶ ଦାସନାୟକ ସଂଧ୍ୟାରାଣୀଙ୍କୁ ହରାଇଲେ । ଏହାପରେ ବି ବବିଙ୍କ ପାଖରେ ଯାଜପୁର ବିକଳ୍ପ ଖୋଲା ରହିଥିଲା। ନିଜ ଆସନରୁ ମିଶନ ଶକ୍ତି ମହାସଂଘ ସଭାପତି ସୁଜାତା ସାହୁଙ୍କୁ ପ୍ରାର୍ଥୀ କରାଇଥିଲେ । ଏବେ ସେଇ ବିକଳ୍ପକୁ ଭରସା କରି ଉପନିର୍ବାଚନ ଦ୍ବାରା ବିଧାନସଭା ଆସିବାକୁ ବବି ଯୋଜନା କରୁଥିବା କୁହାଯାଉଛି ।

ବିଜେଡିକୁ ବୁମେରାଂ ହୋଇପାରେ ସୁଜାତାଙ୍କ ଇସ୍ତଫା

ବିଜେଡି ସରକାରରେ ଥିବା ବେଳେ ମିଶନ ଶକ୍ତି ଥିଲା ଫ୍ଲାଗସିପ୍ ଯୋଜନା। ୨୦୧୯ନିର୍ବାଚନରେ ମିଶନ ଶକ୍ତି ମାଆ ପ୍ରମିଳା ବିଷୋୟୀଙ୍କୁ ପ୍ରାର୍ଥୀ କରି ମାଷ୍ଟରଷ୍ଟ୍ରୋକ୍ ମାରିଥିଲା ବିଜେଡି। ମହିଳାଙ୍କ ସଶକ୍ତିକରଣ କେବଳ କଥାରେ ନୁହେଁ କାମରେ ଦେଖାଇଥିବା କହି ବାହା ବା ନେଇଥିଲା । ସମାନ ଧାରାରେ ୨୦୨୪ରେ ବି ମିଶନ ଶକ୍ତି ମହାସଂଘ ସଭାପତି ସୁଜାତା ସାହୁଙ୍କୁ ଦଳ ଯାଜପୁର ସେଫ୍ ସିଟରୁ ପ୍ରାର୍ଥୀ କରିଥିଲା। ଏବେ ଯଦି କୌଣସି କାରଣରୁ ସୁଜାତା ଇସ୍ତଫା ଦିଅନ୍ତି, ତେବେ ମିଶନ ଶକ୍ତି ମାଆଙ୍କୁ ବିଜେଡି ପ୍ରତାରଣା କରିବା ଭଳି କଥା ହେବ। ସଶକ୍ତ କରିବା ଗପ କହି କେବଳ ରାଜନୀତିର ଗୋଟି ଭାବେ ସେମାନଙ୍କୁ ଚଳାଇଥିବା ଅଭିଯୋଗ ଆସିବ । ଯାହା ବିଜେଡିର ମହିଳା ଭୋଟବ୍ୟାଙ୍କ ଉପରେ ପ୍ରଭାବ ପକାଇପାରେ ।

ରିପିଟ୍ ହେବ କି ଚକରା ଉପାଖ୍ୟାନ !

ଯାଜପୁର ଗଳାବାଟ ଦେଇ ବିଧାନସଭାରେ ପହଞ୍ଚିବାକୁ ବବି ଯୋଜନା କରିବା ନେଇ ଚର୍ଚ୍ଚା ହେଉଛି । ତେବେ ପ୍ରଶ୍ନ ଉଠୁଛି, ମାତ୍ର ଶହେ ଦିନ ପରେ ବିଧାୟକ ପଦରୁ ଇସ୍ତଫା ଦେବେ କି ସୁଜାତା ସାହୁ? ଆଠଗଡ଼ର ରମେଶ ରାଉତଙ୍କ ପରି ଅମଙ୍ଗ ବି ହୋଇପାରନ୍ତି ସୁଜାତା । ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ଦଶରଥପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରହିଥିଲେ ସୁଜାତା। ପରେ ମିଶନ ଶକ୍ତି ମହାସଂଘ ସଭାପତି ଦାୟିତ୍ବ ନେଲେ । ତେଣୁ ପ୍ରଥମ ଥର ବିଧାୟିକା ହୋଇଥିବା ସୁଜାତା କ୍ଷମତା ଛାଡିବାକୁ କେତେ ଦୂର ରାଜି ହେବେ ସେନେଇ ବି ଦ୍ବନ୍ଦ୍ବ ରହିଛି ।

ଗଡ଼ ଭାଙ୍ଗିବାକୁ ଜାନ୍ ଲଗାଇବ ବିଜେପି

ବିଜେଡିର ଗଡ଼ ରହିଥିବା ଯାଜପୁରରେ ଗତ ନିର୍ବାଚନରେ ପଦ୍ମ ଫୁଟାଇଛି ବିଜେପି । ଯାଜପୁର ଲୋକସଭା ଅଧୀନରେ ଆସୁଥିବା ସମସ୍ତ ସିଟ୍ ୨୦୧୯ରେ ବିଜେଡି ଖାତାକୁ ଯାଇଥିବା ବେଳେ ୨୦୨୪ରେ ଦଳକୁ ମାତ୍ର ୩ଟିରେ ସନ୍ତୁଷ୍ଟ ହେବାକୁ ପଡିଛି । ୪ଟି ସିଟରେ ବାଜିମାତ କରିଛି ବିଜେପି । ତେଣୁ ଯଦି ଯାଜପୁର ବିଧାନସଭାରେ ଉପନିର୍ବାଚନ ହୁଏ, ତେବେ ଜିତିବାକୁ ସବୁ କଳ ବଳ କୌଶଳ ଲଗାଇବ ବିଜେପି । ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ଗୌତମ ରାୟଙ୍କୁ ମାତ୍ର ୨ହଜାର ୫୬୪ ଭୋଟରେ ହରାଇଥିଲେ ସୁଜାତା ସାହୁ । ତେଣୁ ବବିଙ୍କ ପାଇଁ ବାଇ-ଇଲେକ୍ସନ୍ ବାଟ ବି ସହଜ ହୋଇନପାରେ । ନିକଟରେ ଯାଜପୁର ନିର୍ବାଚନ ମଣ୍ଡଳୀକୁ ବବିଙ୍କର ମାରାଥନ ଗସ୍ତ ସୁଜାତାଙ୍କ ଇସ୍ତଫା ଚର୍ଚ୍ଚାକୁ ବଢାଇଛି ।

Leave A Reply

Your email address will not be published.