Latest Odisha News

ରାତି ୨ଟାରେ ମହିଳା ଥାନାକୁ ଗଲେ…

ଭୁବନେଶ୍ବର: ଚୋର ଡାଳେ ଡାଳେ ଗଲେ ପୋଲିସ ପତ୍ରେ ପତ୍ରେ ଯାଉ । ରାତି ୨ଟାରେ ବି ମହିଳା ଥାନାକୁ ଗଲେ ଧୈର୍ଯ୍ୟର ସହ ଶୁଣ । ଅପରାଧୀ ଯେଉଁ ପଦରେ ରହିଲେ ବି ହେଉ ଆକ୍ସନ୍ । ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀର ଦ୍ବିତୀୟ ଦିନରେ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡିଶା ପୋଲିସର ମନ୍ତ୍ର ହେଉଛି ସେବା ଓ ସୁରକ୍ଷା । ତେଣୁ ଏହାକୁ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟର ସବୁ ମେଡିକାଲ କଲେଜରେ ସୁରକ୍ଷାକୁ କଡାକଡି କରାଯିବ । ୧୦ଟି ଯାକ ମେଡିକାଲ କଲେଜରେ ଫାଣ୍ଡି କରାଯିବ। ସେହିପରି ବରମୁଣ୍ଡା ବସଷ୍ଟାଣ୍ଡରେ ମଧ୍ୟ ଆଉଟପୋଷ୍ଟ କରାଯିବ ବୋଲି ମୋହନ ମାଝୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ…ଭରତପୁର ଇଫେକ୍ଟ

ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ବ୍ୟାକଫୁଟରେ ରହିଛନ୍ତି ରାଜ୍ୟ ସରକାର । ଜିଲ୍ଲାପାଳ ଓ ଏସପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣରେ ବି ଦେଖିବାକୁ ମିଳିଛି ଭରତପୁର ଇଫେକ୍ଟ । ଥାନାରେ ମହିଳାଙ୍କ ସହ ଉଚିତ ବ୍ୟବହାର କର। ଧୈର୍ଯ୍ୟର ସହ ଅଭିଯୋଗ ଶୁଣିବା ପରେ ମାମଲା ଦାଏର କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଦିନ ହେଉ କି ରାତି ତୁରନ୍ତ ଅଭିଯୋଗ ଶୁଣିବାକୁ କହିଛନ୍ତି । ରାତି ସମୟରେ ଅଭିଯୋଗକାରୀ ଆସିଲେ ଅଧିକ ଗୁରୁତ୍ବ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଥାନାରେ ମହିଳା ଓ ଶିଶୁ ଡେସ୍କକୁ ଅଧିକ କାର୍ଯ୍ୟଶୀଳ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

୮ଘଣ୍ଟାରେ ସୀମିତ ନୁହେଁ ଡ୍ୟୁଟି

ଅପରାଧରେ ଲଗାମ୍ ଲଗାଇବାକୁ ପୋଲିସ କର୍ମଚାରୀ ୮ଘଣ୍ଟିଆ ଡ୍ୟୁଟି ବଦଳରେ ସବୁବେଳେ ସଜାଗ ରହିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ନିଜେ ପ୍ରତିଦିନ ରାତି ୨ଟା ୩ଟା ବେଳେ ଶୋଉଛନ୍ତି । ଲୋକସେବା ଭବନରେ ରାତି ୧୨ଟା ଯାଏଁ କାମ କରୁଥିବା କହିଛନ୍ତି ମୋହନ ମାଝୀ । ତେଣୁ ଡ୍ୟୁଟି କେବଳ ୮ଘଣ୍ଟାରେ ସୀମିତ ନୁହେଁ ବୋଲି ଜିଲ୍ଲାପାଳ ଓ ଏସପିଙ୍କୁ ତାଗିଦ୍ କରିଛନ୍ତି । ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ କର୍ମଚାରୀଙ୍କୁ ଅଧିକ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ।

ଚୋର ଡାଳେ ଡାଳେ ଗଲେ…

ଅପରାଧୀଙ୍କ ପ୍ରତି ଜିରୋ ଟଲରାନ୍ସ ନୀତି ଆପଣେଇବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ମହିଳା ବିରୋଧୀ ଅପରାଧରେ ତୁରନ୍ତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ବ ଦେଇଛନ୍ତି । ସେହିପରି ସପ୍ତାହକ ମଧ୍ୟରେ ମହିଳା ବିରୋଧୀ ଅପରାଧ ତଦନ୍ତ ଓ ଦଣ୍ଡବିଧାନ ନେଇ ଜିଲ୍ଲାଓ୍ବାରୀ ତଥ୍ୟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ଏଣିକି ପ୍ରତି ପୋଲିସଙ୍କ ପାଖରେ ବାଇକ୍ ରହିବ । ଆଗକୁ ୯ହଜାର ବାଇକ୍ ଯୋଗାଇ ଦିଆଯିବ । ପ୍ରତି ଥାନାରେ ୨ଟି ବାଇକ ଥିବାରୁ କାମ ଶୀଘ୍ର ହେଉନି । ତେଣୁ ପୋଲିସ କର୍ମଚାରୀଙ୍କ ନାଁରେ ଏଣିକି ବାଇକ୍ ଦିଆଯିବ । ସେ ଯେଉଁ ଥାନାକୁ ଯିବେ ସାଥିରେ ବାଇକ୍ ନେଇ ଯିବେ । ପ୍ରତି ଥାନାକୁ ୨ଟି ଜିପ୍ ସହ ପ୍ରତି ଜିଲ୍ଲାରେ ଓଡ୍ରାଫ ଟିମ୍ ରହିବ । ଏଥିସହ ସବୁ ମେଡିକାଲ କଲେଜରେ ଫାଣ୍ଡି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଜନତାଙ୍କ ମନରେ ଭରସା ଜନ୍ମାଇବାକୁ ପୋଲିସକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୋଲିସରେ ଖାଲି ପଦବୀ ପୂରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ୨୨୯୮ ହୋମଗାର୍ଡଙ୍କୁ ପୁନଃନିଯୁକ୍ତି ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ହୋମଗାର୍ଡଙ୍କ ମୃତ୍ୟୁ ହେଲେ ପରିବାରରୁ ଜଣଙ୍କୁ ଚାକିରି ଦେବାକୁ ଯୋଜନା ରହିଥିବା କହିଛନ୍ତି । ଓଡିଶା ଷ୍ଟେଟ ଷ୍ଟ୍ରାଇକିଂ ଫୋର୍ସର ୩ଟି ନୂଆ ବାଟାଲିୟନ କରାଯିବ । ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ବାଟାଲିୟନ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.