Latest Odisha News

ନେପାଳରେ ବନ୍ୟା ଓ ଭୂସ୍ଖଳନ: ୧୧୨ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଲଗାତାର ବର୍ଷାରେ ବେହାଲ ହୋଇପଡିଛି ନେପାଳ । ଗତ ୨୪ ଘଣ୍ଟାରେ ଦେଶର ଅନେକ ସ୍ଥାନରେ ଲଗାତାର ବର୍ଷା କାରଣରୁ ବନ୍ୟା ଏବଂ ଭୁସ୍ଖଳନ ପରିସ୍ଥିତି ଉପୁଜିଛି । ଫଳରେ ଧନଜୀବନ ବ୍ୟାପକ ରୁପରେ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ଏବଂ ବଜ୍ରାଘାତ ଯୋଗୁଁ ୧୧୨ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ବାସହରା ହୋଇଛନ୍ତି । ସେହିପରି ୭୯ ଜଣ ନିଖୋଜ ଅଛନ୍ତି। ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଗତ ଶୁକ୍ରବାରଠାରୁ ନେପାଳରେ ଲାଗି ରହିଛି ବର୍ଷା । ଅନେକ ସହରାଞ୍ଚଳ ଜଳମଗ୍ନ ହୋଇଛି। ରାଜଧାନୀ କାଠମାଣ୍ଡୁରେ ୨୨୬ ଘର ବନ୍ୟାଘେରରେ ରହିଛି। ପ୍ରଭାବିତ ଅଞ୍ଚଳରେ ନେପାଳ ପୋଲିସ ପକ୍ଷରୁ ପାଖାପାଖି ୩ ହଜାର ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ଏପର୍ଯ୍ୟନ୍ତ ଜଳପ୍ରଳୟରେ ୧୧୨ ଜଣଙ୍କର ମୃତ୍ୟୁ ଘଟିଛି, ସେଥିମଧ୍ୟରୁ କାଠମାଣ୍ଡୁ ଉପତ୍ୟକାରେ ୩୪ ଜଣଙ୍କର ମୃତ୍ୟୁ ହୋଇଛି । ବନ୍ୟାରେ ୬୦ ଜଣ ଆହତ ହୋଇଛନ୍ତି। ଦଶହଜାର ଲୋକ ନିଖୋଜ ଥିବାବେଳେ କାଠମାଣ୍ଡୁ ଉପତ୍ୟକାରେ ୧୬ ଜଣ ନିଖୋଜ ଥିବା ନେଇ ସୂଚନା ଦେଇଛି ଗୃହ ମନ୍ତ୍ରଣାଳୟ । ତେବେ ତିନି ହଜାରରୁ ଅଧିକ ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ସେହିପରି ଦେଶର ୬୩ ଟି ସ୍ଥାନର ଜାତୀୟ ରାଜପଥ ବନ୍ଦ ରହିଛି । ବର୍ଷା ଯୋଗୁ ନେପାଳ ଶିକ୍ଷା ବିଭାଗ ସମସ୍ତ ଶିକ୍ଷାନୁଷ୍ଠାନକୁ ୩ ଦିନ ନିମନ୍ତେ ଛୁଟି ଘୋଷଣା କରିଛି।

ଅନ୍ୟପଟେ ନେପାଳରେ ହେଉଥିବା ବର୍ଷା ବିହାରରେ କୋଶି ଓ ଗଣ୍ଡକ ନଦୀରେ ଜଳସ୍ତର ବୃଦ୍ଧିର କାରଣ ପାଲଟିଛି। ଫଳରେ ତଳିଆ ଅଞ୍ଚଳ ପାଇଁ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଆଗାମୀ ୨୪ ଘଣ୍ଟାରେ ବିହାରର ୧୩ ଜିଲ୍ଲାରେ ଭୀଷଣ ବନ୍ୟାର ଆଶଙ୍କା କରଯାଉଛି। ଏଣୁ ୧୩ ଜିଲ୍ଲାଙ୍କୁ ହାଇଆଲର୍ଟରେ ଜାରି କରାଯାଇଛି । ଗତକାଲି ମଧ୍ୟାହ୍ନ ୧୨ଟା ସୁଦ୍ଧା କୋଶି ବ୍ୟାରେଜର ୫୬ଟି ଗେଟ ଖୋଲା ଯାଇଥିବା ବେଳେ ଗଣ୍ଡକ ବ୍ୟାରେଜରୁ ୪ ଲକ୍ଷ କ୍ୟୁସେକ ବନ୍ୟା ପାଣି ପ୍ରବାହିତ ହେଉଛି ।

Leave A Reply

Your email address will not be published.