Latest Odisha News

BREAKING NEWS

RG Kar Case: ସନ୍ଦୀପ ଘୋଷଙ୍କ ଜାମିନକୁ ନେଇ ତେଜିଲା ରାଜନୈତିକ ହଇଚଇ, CBI ଭୂମିକା ଉପରେ ଉଠିଲା ପ୍ରଶ୍ନ

କୋଲକାତା: ଆର.ଜି. କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ (Supreme Court) ଜାମିନ ପ୍ରଦାନ କରିବା ପରେ ରାଜନୈତିକ ମହଲ ଏବଂ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ହସ୍ପିଟାଲରେ ଆର୍ଥିକ ଅନିୟମିତତା ଏବଂ ମେରିଟ୍ ସ୍କୋର ଜାଲିଆତି ମାମଲାରେ ସେ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଜେଲ୍‌ରେ ରହିବା ଏବଂ ବିଚାର ପ୍ରକ୍ରିୟା ଧୀମା ହେବା କାରଣରୁ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।

ତେବେ ଏହି ମାମଲାକୁ ନେଇ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ବିଜେପି ପ୍ରତିକ୍ରିୟା ଦେଇଛି। ପଶ୍ଚିମବଙ୍ଗ ବିଜେପି ସଭାପତି ସମୀକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ସନ୍ଦୀପ ଘୋଷଙ୍କୁ ଜାମିନ ମିଳିବା ଅର୍ଥ ସେ ନିର୍ଦ୍ଦୋଷ ପ୍ରମାଣିତ ହୋଇଯାଇନାହାନ୍ତି। ନ୍ୟାୟିକ ବ୍ୟବସ୍ଥାରେ ଜାମିନ ପାଇବା ଏକ ଆଇନଗତ ଅଧିକାର ଏବଂ ଆଇନ କେବେ ବି ଭାବପ୍ରବଣତାରେ ଚାଲେନାହିଁ। ଏହାସହ ସେ ‘ଅଭୟା’ ଆନ୍ଦୋଳନ ସହ ଜଡ଼ିତ ପ୍ରତିବାଦକାରୀଙ୍କୁ ନିରାଶ ନହେବାକୁ ଅନୁରୋଧ କରିଛନ୍ତି।

ସେହିପରି ଏହି ମାମଲାକୁ ନେଇ କଂଗ୍ରେସ ଆଭିମୁଖ୍ୟ ଗ୍ରହଣ କରିଛି। କଂଗ୍ରେସର ପ୍ରଦେଶ ସଭାପତି ଶୁଭଙ୍କର ସରକାର ସନ୍ଦୀପ ଘୋଷଙ୍କ ଅପରାଧିକ ମାମଲାକୁ ନେଇ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଘୋଷଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଏବଂ ମେରିଟ୍ ଜାଲିଆତି ଅଭିଯୋଗ ଅତ୍ୟନ୍ତ ଗମ୍ଭୀର ଅଟେ।

ଅନ୍ୟପଟେ ସନ୍ଦୀପ ଘୋଷଙ୍କୁ ଜାମିନ ମିଳିବା ପରେ ପୀଡ଼ିତା ଡାକ୍ତରଙ୍କ ପରିବାର ଏବଂ ଆନ୍ଦୋଳନରତ ଜୁନିଅର ଡାକ୍ତରମାନେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ର କାର୍ଯ୍ୟଦକ୍ଷତା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ୧୪୭ ଜଣ ସାକ୍ଷୀଙ୍କ ମଧ୍ୟରୁ ସିବିଆଇ ମାତ୍ର ୭ ଜଣଙ୍କର ସାକ୍ଷ୍ୟ ଗ୍ରହଣ କରିପାରିଥିବାରୁ ତଦନ୍ତରେ ଅହେତୁକ ବିଳମ୍ବ ହେଉଥିବା ଦର୍ଶାଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି।

 

Leave A Reply

Your email address will not be published.