ଭୁବନେଶ୍ୱର: ଭରତପୁର ଥାନାରେ ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ସାମ୍ନାକୁ ଆସିବ ସତ। ଧରାପଡ଼ିବ କିଏ କହୁଛି ମିଛ ? ଏହାର ପର୍ଦ୍ଦଫାସ କରିବାକୁ ନିଲମ୍ବିତ ଥାନା ଆଇଆଇସିଙ୍କ ସମେତ ୫ ପୁଲିସ ଅଧିକାରୀଙ୍କର ଆଜି ହେବ ପଲିଗ୍ରାଫ ଟେଷ୍ଟ। ଏଥିନିମନ୍ତେ ସେମାନଙ୍କୁ ଧରି ଆଜି ଗୁଜରାଟ ଯିବ କ୍ରାଇମବ୍ରାଞ୍ଚ ଟିମ୍।
ଭରତପୁର ଥାନାର ନିଲମ୍ୱିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ କରାଯିବ। ଏଥିସହ ଅନ୍ୟ ୪ଜଣ ପୁଲିସ ଅଧିକାରୀଙ୍କର ମଧ୍ୟ ଗୁଜରାଟରେ ପଲିଗ୍ରାଫ ଟେଷ୍ଟ କରାଯିବ। ଟେଷ୍ଟ ରିପୋର୍ଟ ଆସିବା ପରେ ପୁଲିସ କେତେ ସତ କହୁଛି ତାହା ଉପରୁ ପରଦା ହଟିବ।
ପୂର୍ବରୁ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ ନିମନ୍ତେ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟ ଅନୁମତି ପ୍ରଦାନ କରି ସାରିଛନ୍ତି। ଏହାପରେ ଅନ୍ୟ ୪ ଜଣଙ୍କ ପଲିଗ୍ରାଫ ଟେଷ୍ଟ ନିମନ୍ତେ କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ ଆବେଦନ ହୋଇଥିଲା। ଏଥିନିମନ୍ତେ ମଧ୍ୟ ଅନୁମତି ମିଳିସାରିଛି।
ଏହି ୪ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି ନିଲମ୍ବିତ ହୋଇଥିବା ଜଣେ ମହିଳା ସବ୍-ଇନ୍ସପେକ୍ଟର ଓ ୨ ମହିଳା ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର। ଏହି ତିନି ଜଣଙ୍କ ସହିତ ସେଦିନ ସେଠାରେ ଉପସ୍ଥିତ ଆଉ ଜଣେ ଏସ୍ଆଇଙ୍କର ମଧ୍ୟ ପଲିଗ୍ରାଫ ଟେଷ୍ଟ ହେବ। ଏହି ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ଏହି ଏସ୍ଆଇଙ୍କୁ ଘଟଣାର ପ୍ରତ୍ୟକ୍ଷଦର୍ଶୀ ତଥା ସାକ୍ଷୀ ଭାବେ ଗ୍ରହଣ କରାଯାଇଛି। କିନ୍ତୁ ନିଲମ୍ବିତ କନଷ୍ଟେବଲଙ୍କର କୌଣସି ଟେଷ୍ଟ କରାଯିବ ନାହିଁ।
Comments are closed.