Latest Odisha News

ମହାରାଷ୍ଟ୍ରରେ ଗାଈକୁ ମିଳିଲା ‘ରାଜ୍ୟମାତା’ ମାନ୍ୟତା

ମୁମ୍ବାଇ: ବିଧାନସଭା ନିର୍ବାଚନ ପୂର୍ବରୁ ଦେଶୀ ଗାଈକୁ ନେଇ ମହାରାଷ୍ଟ୍ରର ସିନ୍ଦେ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପକ୍ଷରୁ ଦେଶୀ ଗାଈଙ୍କୁ ‘ରାଜ୍ୟମାତା-ଗୋମାତା’ ମାନ୍ୟତା ଦିଆଯିବା ନେଇ ଘୋଷଣା କରାଯାଇଛି।

ମହାରାଷ୍ଟ୍ର କ୍ୟାବିନେଟ ବୈଠକରେ ଦେଶୀ ଗାଈମାନଙ୍କର ଲାଳନପାଳନ ପାଇଁ ପ୍ରତିଦିନ ୫୦ଟଙ୍କା ସବସିଡି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି।

ମୁଖ୍ୟମନ୍ତ୍ରୀ ଏକନାଥ କହିଛନ୍ତି ଯେ ଯେହେତୁ ଗୋଷାଳା ଗୁଡିକ ସେମାନଙ୍କର ସ୍ୱଳ୍ପ ଆୟ ହେତୁ ଏହାକୁ ଚଳାଇ ପାରୁନାହାଁନ୍ତି, ତେଣୁ ସେମାନଙ୍କୁ ମଜବୁତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନା ମହାରାଷ୍ଟ୍ର ଗୋସେବା ଆୟୋଗ ଦ୍ୱାରା ଅନଲାଇନରେ କାର୍ଯ୍ୟକାରୀ କରାଯିବ।

ପ୍ରତ୍ୟେକ ଜିଲ୍ଲାରେ ଏକ ଜିଲ୍ଲା ଗୋଶାଳା ଯାଞ୍ଚ କମିଟି ମଧ୍ୟ ଗଠନ କରାଯିବ। ୨୦୧୯ରେ ୨୦ତମ ପଶୁ ଜନଗଣନା ଅନୁଯାୟୀ, ଦେଶୀ ଗାଈ ସଂଖ୍ୟା ୪୬ ଲକ୍ଷ ୧୩ ହଜାର ୬୩୨ କୁ ହ୍ରାସ ପାଇଥିବା ଜଣାପଡିଛି। ୧୯ ତମ ଜନଗଣନା ତୁଳନାରେ ଏହି ସଂଖ୍ୟା ୨୦.୬୯ ପ୍ରତିଶତ ହ୍ରାସ ପାଇଛି।

ବୈଦିକ ସମୟରୁ ଭାରତୀୟ ସଂସ୍କୃତିରେ ଦେଶୀ ଗାଈର ଗୁରୁତ୍ୱ ରହିଆସିଛି। ଆୟୁର୍ବେଦ ଚିକିତ୍ସାରେ ଗୋମୂତ୍ର ଏବଂ ଗୋବରର ଆବଶ୍ୟକତା, ପଞ୍ଚଗବ୍ୟ ଚିକିତ୍ସା ପ୍ରଣାଳୀ ଏବଂ କୃଷି କ୍ଷେତ୍ରରେ ଗାଈର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ନଜରରେ ରଖି ଏହି ମାନ୍ୟତା ପ୍ରଦାନ କରାଯାଇଛି।

Leave A Reply

Your email address will not be published.