Latest Odisha News

BREAKING NEWS

ଗୁଳିମାଡ଼ ଘଟଣା ପରେ ଏକନାଥ ସିନ୍ଧେଙ୍କ ଆଗରେ କଣ କହିଲେ ଟାଇଗର ?

ମହାରାଷ୍ଟ୍ର: ମୁମ୍ବାଇରେ ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଆକ୍ରମଣ ପରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅଭିନେତାଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିଛନ୍ତି ଏବଂ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି।

ରିପୋର୍ଟ ମୁତାବକ, ଟାଇଗର ଶ୍ରଫ୍‌ ଏକନାଥ ସିନ୍ଦେଙ୍କୁ ସ୍ପଷ୍ଟ ଭାବେ ଜଣାଇଛନ୍ତି ଯେ ତାଙ୍କର କୌଣସି ପୂର୍ବ ଶତ୍ରୁତା କିମ୍ବା ଧମକ ନଥିଲା ଏବଂ ସେ ସଲମାନ୍ ଖାନଙ୍କ ସହ ମଧ୍ୟ କୌଣସି ପ୍ରକାର ସଂସ୍ପର୍ଶରେ ନାହାନ୍ତି। ମୁମ୍ବାଇର ଜୁହୁ ଅଞ୍ଚଳରେ ଘଟିଥିବା ଏହି ଗୁଳିମାଡ଼ ଘଟଣାରେ ଅଭିନେତା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କର ଡ୍ରାଇଭର ଆହତ ହୋଇଛନ୍ତି।

ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ମହାରାଷ୍ଟ୍ର ସରକାର ଏବଂ ମୁମ୍ବାଇ ପୋଲିସ ତଦନ୍ତ ଜୋରଦାର କରି ୩ ଜଣଙ୍କୁ କୋଟା ରୁ ଗିରଫ କରିଛନ୍ତି। କ୍ରାଇମବ୍ରାଞ୍ଚ ଏବଂ ପୋଲିସର ଅନେକ ଟିମ୍‌ ଅପରାଧୀମାନଙ୍କୁ ଧରିବା ପାଇଁ ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା କରିବା ଏବଂ ଗ୍ୟାଙ୍ଗଷ୍ଟରମାନଙ୍କ ମନୋବଳ ଭାଙ୍ଗିବା ପାଇଁ କଠୋର ପଦକ୍ଷେପ ନିଆଯିବ ବୋଲି ସରକାରୀ ସ୍ତରରୁ ଚେତାବନୀ ଦିଆଯାଇଛି।

ମୁମ୍ବାଇ ପୋଲିସ ଏହି ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଛି। ବଲିଉଡ୍ କଳାକାରମାନଙ୍କ ଉପରେ କ୍ରମାଗତ ଭାବେ ବଢୁଥିବା ଏଭଳି ଆକ୍ରମଣ ଓ ଧମକପୂର୍ଣ୍ଣ ପରିସ୍ଥିତିକୁ ନେଇ ସିନେମା ଜଗତରେ ଏବେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି।

ଏକନାଥ ସିନ୍ଦେ ଅଭିନେତାଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେବା ପାଇଁ ପୋଲିସ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.