କଟକ: କଟକରେ ବରିଷ୍ଠ ସାମ୍ବାଦିକ ବିଭୂତି ପତି ଙ୍କ ସୋମବାର ସକାଳେ ହୃଦ୍ଘାତ ଯୋଗୁଁ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା।
ସୂତ୍ର ଅନୁଯାୟୀ, ସକାଳ ସମୟରେ ଭୁବନେଶ୍ୱରରେ ଥିବାବେଳେ ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ ହୋଇଥିଲା। ତୁରନ୍ତ ତାଙ୍କୁ ଏକ ଘରୋଇ ଗାଡ଼ି ଯୋଗେ କଟକ ଅଣାଯାଇଥିଲା। ସେଠାରୁ ତାଙ୍କୁ ତୁରନ୍ତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ସ୍ୱର୍ଗତ ବିଭୂତିଙ୍କ ପରିବାରରେ ତାଙ୍କ ପତ୍ନୀ ଓ ପୁଅ ଅଛନ୍ତି। ସେ କଟକର ସିଡିଏ ସେକ୍ଟର-୧୦ ଅଞ୍ଚଳରେ ରହୁଥିଲେ। ତାଙ୍କର ଦେହାନ୍ତରେ ପରିବାର ସମେତ ଗଣମାଧ୍ଯମ ଶିଳ୍ପରେ ମଧ୍ଯ ଶୋକର ଛାୟା ଖେଳିଯାଇଛି।
ଅପରପକ୍ଷରେ ତାଙ୍କ ସାମ୍ବାଦିକତା କ୍ୟାରିୟର ବିଷୟରେ କହିବାକୁ ଗଲେ, ସେ ପରିବେଶ ସମ୍ବନ୍ଧୀୟ ସମ୍ବେଦନଶୀଳ ବିଷୟ, ଜାତୀୟ ସୁରକ୍ଷା ଏବଂ ଆଞ୍ଚଳିକ ରାଜନୀତି ଉପରେ ତୃଣମୂଳ ସ୍ତରରୁ ରିପୋର୍ଟିଂ କରିବା ପାଇଁ ବେଶ ଜଣାଶୁଣା ଥିଲେ। ତାଙ୍କର ବିଭିନ୍ନ ମୁଦ୍ରିତ ଏବଂ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମ ପାଇଁ ବ୍ୟାପକ ଅବଦାନ ରଖିଥିଲେ। ‘ତେହେଲକା’ ଏବଂ ‘ଦ ଗାର୍ଡିଆନ୍’ ଭଳି ଜାତୀୟ ପତ୍ରିକା ଓ ସାପ୍ତାହିକୀ ପତ୍ରିକା ପାଇଁ ସେ ଜାତୀୟ ତଥା ନୀତିଗତ ବିଷୟ ଉପରେ ରିପୋର୍ଟିଂ କରିଥିଲେ। ସେହିପରି ଓଡ଼ିଶାର ପ୍ରାୟ ସମସ୍ତ ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଯେପରିକି ପ୍ରଜାତନ୍ତ୍ର, ସମ୍ବାଦ, ସମାଜ, ଧରିତ୍ରୀ, ନକ୍ଷତ୍ର ନ୍ୟୁଜ୍, ନନ୍ଦିଘୋଷ ଟିଭି ଏବଂ କନକ ନ୍ୟୁଜ୍ରେ ସେ କାର୍ଯ୍ୟ କରିଥିଲେ।
ମୃତ୍ୟୁ ସମୟରେ ସେ ‘କନକ ନ୍ୟୁଜ୍’ ପାଇଁ ନୂଆଦିଲ୍ଲୀ ସମ୍ବାଦଦାତା ପ୍ରତିନିଧି ଭାବରେ କାର୍ଯ୍ୟରତ ଥିଲେ। ସେ ନିଜର ସାମ୍ବାଦିକତା ଜୀବନ ‘ପ୍ରଜାତନ୍ତ୍ର ପ୍ରଚାର ସମିତି’ ଦ୍ୱାରା ପ୍ରକାଶିତ ଇଂରାଜୀ ସାପ୍ତାହିକୀ ‘ଇଷ୍ଟର୍ଣ୍ଣ ଟାଇମ୍ସ’ରୁ ଆରମ୍ଭ କରିଥିଲେ।

