Latest Odisha News

୨୩ ବର୍ଷରେ ଶହିଦ ହୋଇଥିଲେ ଜବାନ ୫୬ ବର୍ଷରେ ମିଳିଲା ମୃତଦେହ..

ସିମଲା: ଅନେକ ଥର, ଆମେ ଜୀବନରେ ଏପରି ଘଟଣା ଦେଖୁ ଏବଂ ଶୁଣିଥାଉ ଯାହା ବିଶ୍ବାସ କରିବା କଷ୍ଟକର ହୋଇଯାଏ । କିନ୍ତୁ ଉତ୍ତରପ୍ରଦେଶର ସହାରନପୁର ଜିଲ୍ଲାର ନାନୌତ ଅଞ୍ଚଳର ଜଣେ ବାୟୁସେନା ଜବାନଙ୍କ ମୃତଦେହ ସିଆଚିନ୍ ଗ୍ଲେସିଅର୍ ନିକଟରୁ ପ୍ରାୟ ୫୬ ବର୍ଷ ପରେ ଉଦ୍ଧାର କରାଯାଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ତାଙ୍କ ମୃତଦେହ ଗୁରୁବାର ଦିନ ତାଙ୍କ ଗାଁରେ ପହଞ୍ଚିବ । ଜବାନଙ୍କ ପରିବାର ରୀତିନୀତି ସହିତ ତାଙ୍କର ଶେଷକୃତ୍ୟ କରିବାକୁ ସମର୍ଥ ହେବେ । ଆଶ୍ଚର୍ଯ୍ୟଜନକ କଥା ହେଉଛି ବରଫରେ ପୋତି ହୋଇଯିବା ହେତୁ ତାଙ୍କ ଶରୀର ସଂପୂର୍ଣ୍ଣ ନଷ୍ଟ ହୋଇନଥିଲା ।

ଅତିରିକ୍ତ ପୋଲିସ ଅଧୀକ୍ଷକ (ଗ୍ରାମୀଣ ଅଞ୍ଚଳ) ସାଗର ଜୈନ ବୁଧବାର ସୂଚନା ଦେଇ କହିଛନ୍ତି ଯେ, ନାନୌତା ପୋଲିସ ଷ୍ଟେସନ ଅଞ୍ଚଳର ଫତେହପୁର ଗାଁର ବାସିନ୍ଦା ମଲଖାନ ସିଂ ଜଣେ ବାୟୁସେନା ଜବାନ ଥିଲେ । ୧୯୬୮ ମସିହାରେ ହିମାଚଳ ପ୍ରଦେଶର ସିଆଚିନ୍ ଗ୍ଲେସିୟର ନିକଟରେ ଏକ ସେନା ବିମାନ ଦୁର୍ଘଟଣାର ଶିକାର ହୋଇ ସହିଦ ହୋଇଯାଇଥିଲେ । ଏହି ଦୁର୍ଘଟଣାରେ ୧୦୦ ରୁ ଅଧିକ ଜବାନ ସହିଦ ହୋଇଥିଲେ ।

ଏହା ଏକ ତୁଷାରପାତ ପର୍ବତ ଅଞ୍ଚଳ ଥିଲା ତେଣୁ ମୃତଦେହ ଉଦ୍ଧାର ହୋଇପାରିଲା ନାହିଁ । ଏହି କାର୍ଯ୍ୟ ଏତେ କଷ୍ଟସାଧ୍ୟ ଥିଲା ଯେ, ୨୦୧୯ ପର୍ଯ୍ୟନ୍ତ କେବଳ ପାଞ୍ଚଟି ମୃତଦେହ ଉଦ୍ଧାର କରାଯାଇଥିଲା । ସମ୍ପ୍ରତି ଏଠାରେ ଆଉ ଚାରିଟି ମୃତଦେହ ମିଳିଛି, ସେଥିମଧ୍ୟରୁ ଜବାନ ମଲଖାନ ସିଂଙ୍କ ମୃତଦେହ ରହିଛି ।

ଯେତେବେଳେ ମଲଖାନ ସହିଦ ହୋଇଥିଲେ, ତାଙ୍କୁ ୨୩ ବର୍ଷ ବୟସ ହୋଇଥିଲା । ଏହି ସମୟ ମଧ୍ୟରେ ତାଙ୍କର ପତ୍ନୀ ଶୀଲାଦେବୀ ଏବଂ ଦେଢ ବର୍ଷର ପୁଅ ରାମ ପ୍ରସାଦ ଥିଲେ । ବର୍ତ୍ତମାନ ଜବାନଙ୍କ ମୃତଦେହ ଗାଁରେ ପହଞ୍ଚିବ ସତ ହେଲେ ତାଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ପତ୍ନୀ କିମ୍ବା ପୁଅ ଉପସ୍ଥିତ ରହିବେ ନାହିଁ କାରଣ ସେମାନଙ୍କର ମଧ୍ୟ ମୃତ୍ୟୁ ହୋଇସାରିଛି ।

ତେଣୁ ମଲଖାନଙ୍କ ଅନ୍ତିମ ସଂସ୍କାର ତାଙ୍କ ନାତି ଙ୍କ ଦ୍ବାରା କରାଯିବ ବୋଲି ସାଗର ଜୈନ କହିଛନ୍ତି । ଗାଁର ଲୋକମାନେ ମଲଖାନଙ୍କୁ ଅନ୍ତିମ ବିଦାୟ ଦେବାକୁ ଅପେକ୍ଷା କରି ରହିଛନ୍ତି ।

Leave A Reply

Your email address will not be published.