Latest Odisha News

ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ପୁଞ୍ଜିନିବେଶକାରୀଙ୍କ ସହ କରିବେ ୱାନ ଟୁ ୱାନ ଆଲୋଚନା

ଭୁବନେଶ୍ଵର: ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ମୁଁ ଦୁଇ ଦିନ ପାଇଁ ଦିଲ୍ଲୀ ଗସ୍ତରେ ଯାଉଛି । ଏହି ଗସ୍ତ ସମୟରେ ଦେଶ ବିଦେଶର ଉଦ୍ୟୋଗୀଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶର ପ୍ରସ୍ତାବ ଦେବି । ପୁଞ୍ଜିନିବେଶକଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବି । ଏହାସହ ପୁଞ୍ଜିନିବେଶକାରୀଙ୍କ ସମ୍ମିଳନୀରେ ଯୋଗଦେଇ ଓଡିଶା ଆସିବା ପାଇଁ ନିବେଦନ କରିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତାବର୍ଷ ଜାନୁୟାରୀ ୨୮ ଓ ୨୯ତାରିଖରେ ଉତ୍କର୍ଷ ଓଡ଼ିଶା -୨୦୨୫ କନକ୍ଲେଭ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଏହି ସମ୍ମିଳନୀରେ ଫୁଡ୍ ପ୍ରୋସେସିଂ, ଆଇଟି, କେମିକାଲ, ପେଟ୍ରୋ କେମିକାଲ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ବିଭିନ୍ନ ପୁଞ୍ଜିନିବେଶକଙ୍କ ସହ ଆଲୋଚନା କରାଯିବ । ଓଡ଼ିଶାରେ ପୁଞ୍ଜିଲଗାଣ ତଥା ଶିଳ୍ପ ପ୍ରତିଷ୍ଠା ସମ୍ବନ୍ଧରେ ଥିବା ସକରାତ୍ମକ ଇକୋସିଷ୍ଟମ ସମ୍ବନ୍ଧରେ ସେ ଅବଗତ କରାଇବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଗାମୀ ୫ ବର୍ଷରେ ଅଢେଇ ଲକ୍ଷ କୋଟି ପୁଞ୍ଜି ଆକର୍ଷିତ କରିବା ଆମର ଲକ୍ଷ୍ୟ । ଗତ ୧୦୦ ଦିନରେ ୪୫ ହଜାର କୋଟିର ପୁଞ୍ଜି ଓଡ଼ିଶାକୁ ଆସି ସାରିଛି । ତେବେ ଏହି ସମ୍ମିଳନୀରେ ମୋ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବିଭାଗୀୟ ଅଧିକାରୀମାନେ ଯୋଗ ଦେବେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଓଡ଼ିଶାକୁ ଦ୍ରୁତ ଶିଳ୍ପାୟନ ପଥରେ ଆଗେଇ ନେବା ପାଇଁ ପ୍ରଚେଷ୍ଟା ଜାରି ରହିବ । ଉତ୍କର୍ଷ ମାନେ ଏକ୍ସଲେନ୍ସ ଓ ଉତ୍କର୍ଷ ଓଡ଼ିଶା କନକ୍ଲେଭ ଶିଳ୍ପ ବିକାଶ କ୍ଷେତ୍ରରେ ଓଡ଼ିଶାକୁ ଉତ୍କର୍ଷ ଆଣିଦେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Leave A Reply

Your email address will not be published.