Latest Odisha News

ଏଠି ଗୋଟେ ନୁହେଁ ୪ଟା ସରକାର !

ଭୁବନେଶ୍ବର: ବିଜେପି ସରକାରକୁ ଜଣେ ନୁହେଁ ୪ଜଣ ଚଳାଉଛନ୍ତି । ପୂର୍ବ ବିଜେଡି ସରକାରକୁ ଏକା ନବୀନ ପଟ୍ଟନାୟକ ଚଳାଉଥିଲେ । ହେଲେ ବିଜେପିରେ ଗୋଟେ ନୁହେଁ ୪ଟା ସରକାର ବୋଲି କହି ଆକ୍ଷେପ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ସମ୍ବଲପୁର ରେଢାଖୋଲରେ ପ୍ରସନ୍ନଙ୍କର ଏଭଳି ବୟାନକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ତେବେ ବିଜେପି ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟକୁ କଡା ସମାଲୋଚନା କରିଛି। ୨୪ବର୍ଷ ଧରି ବିଜେଡି ଯାହା କରୁଥିଲା ସେମାନଙ୍କୁ ସେହି ଭୁତ ଗୋଡାଇଥିବା ବିଜେପି ଉପସଭାପତି ବିରଞ୍ଚି ତ୍ରିପାଠୀ କହିଛନ୍ତି ।

ଏଠି ଗୋଟେ ନୁହେଁ ୪ଟା ସରକାର !

ରାଜ୍ୟରେ ଗୋଟେ ନୁହେଁ ୪ଟା ସରକାର ଚାଲିଛି । ବିଜେଡି ସରକାରକୁ କେବଳ ନବୀନ ପଟ୍ଟନାୟକ ଚଳାଉଥିଲେ । ସେ ଯାହା କହୁଥିଲେ ସମସ୍ତେ ମାନୁଥିଲେ । ହେଲେ ବିଜେପି ସରକାରକୁ ଚାରି ଜଣ ଚଳାଉଥିବା ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ଦିଲ୍ଲୀରେ ଜଣେ ମନ୍ତ୍ରୀ, ଓଡିଶାରେ ମୁଖ୍ୟମନ୍ତ୍ରୀ ଓ ଏହାସହ ଅନ୍ୟ ଦୁଇଜଣ ସରକାର ଚଳାଉଛନ୍ତି। ଗୋଟିଏ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚାରିଜଣଙ୍କ କଥା ଶୁଣିବାକୁ ପଡୁଛି । ଫଳରେ ରାଜ୍ୟ ସରକାରଙ୍କ ଅନେକ ଫାଇଲ୍ ୩ମାସ ଧରି ପଡିରହୁଛି ବୋଲି ପ୍ରସନ୍ନ କହିଛନ୍ତି । ଏଭଳି ସ୍ଥିତିରେ କେମିତି ଚାଲିବ ସରକାର । ରାଜ୍ୟରେ ସରକାର ପରିବର୍ତ୍ତନ ହେଇଛି, ଗଣତନ୍ତ୍ରରେ ଲୋକେ ଯାହାକୁ ଭୋଟ୍ ଦେବେ ସିଏ ସରକାର ଗଢିବ । ତେବେ ଯେଉଁ ଆଶାରେ ଲୋକେ ନୂଆ ସରକାର ଆଣିଲେ ତାହା ପୂରଣ ହେଲାନି ବୋଲି ପ୍ରସନ୍ନ କହିଛନ୍ତି ।

ପ୍ରସନ୍ନଙ୍କ ଆକ୍ଷେପ ବିଜେପିର କାଉଣ୍ଟର

ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟକୁ କଡା ସମାଲୋଚନା କରିଛି ବିଜେପି । ଯାହା ୨୪ବର୍ଷ ଧରି କରୁଥିଲେ, ସେଇ ଭୁତ ବିଜେଡି ନେତାଙ୍କୁ ଗୋଡାଉଛି ବୋଲି ବିଜେପି କହିଛି । ବିଜେପି ଲୋକଙ୍କ ଦ୍ବାରା ନିର୍ବାଚିତ ହୋଇଛି। ବିଜେପି ବ୍ୟକ୍ତି ଆଧାରିତ ଦଳ ନୁହେଁ ବରଂ କାର୍ଯ୍ୟକର୍ତ୍ତା ଆଧାରିତ ଦଳ । ସମନ୍ବିତ ନେତୃତ୍ବରେ କାମ କରୁଛି ବିଜେପି । ନିର୍ବାଚିତ ପ୍ରତିନିଧି ଓଡିଶାକୁ ଚଳାଉଛନ୍ତି । ନିର୍ବାଚନ ବେଳେ ଯାହା କହିଥିଲେ ସେହି କାମ କରୁଛନ୍ତି। ତେଣୁ ପୁରୁଣା ଅଭ୍ୟାସ ଅନୁସାରେ ବିଜେଡି ନେତା କହିବା ବନ୍ଦ କରନ୍ତୁ ବୋଲି ବିଜେପି କହିଛି ।

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍

ବିଜେପି ମିଛ କହୁଥିବା ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବୟାନକୁ କାଉଣ୍ଟର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜନୀତିରେ ଜୟ ପରାଜୟ ଲାଗିରହେ । ବିଜୟରେ ଅଧିକ ଉନ୍ମାଦନା ଓ ପରାଜୟରେ ଅଧିକ ହତୋତ୍ସାହିତ ହେବା କଥା ନୁହେଁ । ପୂର୍ବରୁ ବିଜେପି ଅନେକ ଥର ହାରିଛି । ଏପରିକି ରାଜ୍ୟରେ କିଛି ଲୋକ ବିଜେପିକୁ ସାଇନ ବୋର୍ଡ ଦଳ କହୁଥିଲେ । ଏବେ ଓଡିଶାବାସୀଙ୍କ ଆଶୀର୍ବାଦରୁ ସେବା କରିବାର ସୁଯୋଗ ମିଳିଛି । ଲୋକ ତାଙ୍କୁ ବିରୋଧୀ ଦଳ ଭାବେ ଦାୟିତ୍ବ ଦେଇଥିବାରୁ ସେ ତାକୁ ପାଳନ କରନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି।

‘ବିଜେପି ମିଛ କହି ସରକାରକୁ ଆସିଛି’

ଗାନ୍ଧୀ ଜୟନ୍ତୀରେ ବିଜେଡି ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ କରିବା ସହ ବିଜେପି ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ନବୀନ ପଟ୍ଟନାୟକ କହିଥିଲେ । ୩୦୦ ୟୁନିଟ ମାଗଣା ବିଜୁଳି, ତିନି ହଜାର ଟଙ୍କା ଭତ୍ତା, ସୁଭଦ୍ରା ଯୋଜନାରେ ମାଆଙ୍କୁ ପଚାଶ ହଜାର ଟଙ୍କା କୁଆଡେ ଗଲା ବୋଲି ନବୀନ ପ୍ରଶ୍ନ କରିଥିଲେ। ନିର୍ବାଚନ ବେଳେ ହାତୀ ଦେବୁ, ଘୋଡା ଦେବୁ କହି ଭୋଟ୍‌ ନେଲେ। ହେଲେ ଏବେ ବିଜେପିର ମିଛ ଧରା ପଡିଯାଇଥିବା ନବୀନ କହିଥିଲେ । ବିଜେପି ସରକାର ଉପରେ ଲୋକ ଭରସା କରି ପାରୁନାହନ୍ତି। ମିଛ ହେଉଛି ବିଜେପିର ପରିଚୟ ବୋଲି ନବୀନ କହିଥିଲେ । ତେବେ ନବୀନଙ୍କ ଏଭଳି ମନ୍ତବ୍ୟକୁ କଡା କାଉଣ୍ଟର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.