Latest Odisha News

ବିଜେପି ସରକାର କପି ପେଷ୍ଟ ସରକାର: ବିଜେଡ଼ି

ଭୁବନେଶ୍ୱର: ବିଜେପି ସରକାର କପି ପେଷ୍ଟ ସରକାର ଓ କେବଳ ନବୀନ ସରକାରଙ୍କ ଅମଳରେ ହୋଇଥିବା ଯୋଜନା ଗୁଡିକୁ ନାମ ଓ ରଙ୍ଗ ପରିବର୍ତ୍ତନ କରି ଚଳାଉଛନ୍ତି। ଏମିତି କିଛି ଅଭିଯୋଗ କରିଛି ବିଜେଡି। ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଓଡ଼ିଆରେ ଗୋଟେ ଢଗ ଅଛି, ଗାଲୁଆଙ୍କ ବାରବାଟୀ ଚାଷ। ଏହି ଢଗଟି ବର୍ତ୍ତମାନର ବିଜେପି ସରକାରଙ୍କ ପାଇଁ ପ୍ରଯୁଜ୍ୟ । କାରଣ ସରକାରକୁ ଆସିବାର ୧୨୦ ଦିନ ବିତି ଯାଇଥିଲେ ସୁଦ୍ଧା, କୌଣସି ନୂତନ କାମ ନକରି କେବଳ ନବୀନ ସରକାରଙ୍କ କାର୍ଯ୍ୟର ନାମ ଓ ରଙ୍ଗ ପରିବର୍ତ୍ତନ କରି ସରକାର ବାହାଦୁରି ନେବାକୁ ଚେଷ୍ଟା କରୁଛନ୍ତି । ଉଦାହରଣ ସ୍ଵରୂପ, ଗତ ଦୁଇ ଦିନ ହେଲା ସମ୍ବଲପୁରର ମା’ ସମଲେଇଙ୍କ ମନ୍ଦିର ଓ ନେଲସନ ମଣ୍ଡେଲା ଛକରୁ ଛାପୁର ଛକ ପର୍ଯ୍ୟନ୍ତ ରାସ୍ତାର ବ୍ରିଜ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଫଟୋଥିବା ଏକ ପୋଷ୍ଟର ଲଗାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନାକୁ ବର୍ତ୍ତମାନର ବିଜେପି ସରକାର ବ୍ୟାନର ଲଗାଇ ଆତ୍ମପ୍ରଚାର କରିବାକୁ ଚାହୁଁଛନ୍ତି । ଲୋକଙ୍କ ପାଇଁ କାମ କରି ପୋଷ୍ଟର ବ୍ୟାନର ଲଗାଇଲେ ଅସୁବିଧା ନାହିଁ । କାମ ନକରି କେବଳ ପୋଷ୍ଟର ବ୍ୟାନର ଲଗାଇ ବାହାଦୁରି ନେବାକୁ ଚେଷ୍ଟାକଲେ ଲୋକ ଗ୍ରହଣ କରିବେ ନାହିଁ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି, ପଶ୍ଚିମ ଓଡ଼ିଶାରେ ଉଚ୍ଚ ନ୍ୟାୟାଳୟର ବେଞ୍ଚ ପ୍ରତିଷ୍ଠା ନେଇ ବିଜେପି ସରକାର କୌଣସି ଆନ୍ତରିକତା ଦେଖାଇ ନାହାନ୍ତି। ଏହା ବିଚାରାଧୀନ ଅଛି ବୋଲି କହିଲେ। କେବେ ଏହି ବେଞ୍ଚ ପ୍ରତିଷ୍ଠା ହେବ ସରକାର ସ୍ପଷ୍ଟ କରିବା ଦରକାର । ସମ୍ବଲପୁର ବିଶ୍ଵବିଦ୍ୟାଳୟକୁ ସେଣ୍ଟ୍ରାଲ ୟୁନିଭରସିଟିର ମାନ୍ୟତା, ଭିସୁଟ୍‌କୁ ଆଇଆଇଟିର ମାନ୍ୟତା ଇତ୍ୟାଦିର କାମ କରିବାର ଆବଶ୍ୟକତା ରହିଛି। ଛତିଶଗଡ଼ ଦ୍ବାରା ନିର୍ମିତ ହୀରାକୁଦ ଡ୍ୟାମ ପ୍ରତି ବିପଦ ସୃଷ୍ଟି କରୁଥିବା ବ୍ୟାରେଜ ସମସ୍ୟାକୁ ସମାଧାନ ପାଇଁ ଉଦ୍ୟମ ନକରି ପ୍ୟାକେଜ ଘୋଷଣା କେବଳ ଧର୍ମକୁ ଆଖି ଠାର ସଦୃଶ୍ୟ ବୋଲି ସେ କହିଥିଲେ।

Leave A Reply

Your email address will not be published.