Latest Odisha News

ହରିୟାଣାରେ ଖାତା ଖୋଲିନି ଆପ୍ ; କାମ କଲାନି ଝାଡୁ ମ୍ୟାଜିକ

ଚଣ୍ଡିଗଡ: ହରିୟାଣା ରାଜନୀତିରେ ପଛରେ ପଡିଛି ଆମ ଆଦମୀ ପାର୍ଟି। କାମ କଲାନି  କେଜ୍ରିୱାଲଙ୍କ ଝାଡୁର ମ୍ୟାଜିକ। କଂଗ୍ରେସ ସହିତ ମେଣ୍ଟ ନହେବା  ପରେ ଆପ୍ ହରିୟାଣାର ମୋଟ ୯୦ ସିଟରୁ ୮୯ ସିଟରେ ଲଢିଥିଲା ନିର୍ବାଚନ।  ହେଲେ ଆପକୁ ମାତ୍ର ୧.୬୫ ପ୍ରତିଶତ ଭୋଟ ମିଳିଥିବା କହିଛି ନିର୍ବାଚନ ଆୟୋଗ। ରାଜ୍ୟରେ ହାଇ ଭୋଲଟେଜ ପ୍ରଚାର କରିବା ସହ ନିଜେ ହରିୟାଣା ପୁଅ କହିଥିଲେ ମଧ୍ୟ କେଜ୍ରିୱାଲଙ୍କୁ ହରିୟାଣାରେ ନିରାଶ ହେବାକୁ ପଡିଛି। ନିର୍ବାଚନ ଆୟୋଗ ସୂଚନା ଅନୁଯାୟୀ ଆପ୍ ପ୍ରାର୍ଥୀମାନେ ୪ ନମ୍ବର କିମ୍ବା ତାଠାରୁ ତଳ ସ୍ତରରେ ଅଛନ୍ତି। ଦିଲ୍ଲୀ ଓ ପଞ୍ଜାବ ଶାସିତ ଆପ ହରିୟାଣାରେ ସରକାର ଗଢିବ ବୋଲି ଜୋରଦାର ପ୍ରଚାର କରିଥିଲେ ଆପ୍ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ। ରାଜ୍ୟରେ ଆପକୁ ଛାଡି କୌଣସି ଦଳ ସରକାର ଗଠନ କରି ପାରିବନି ବୋଲି ସେ କହୁଥିଲେ।

ପ୍ରକାଶ ଥାଉକି, ୨୦୧୯ ନିର୍ବାଚନରେ ଆପ୍ ହରିୟାଣାରେ ମୋଟ ୪୬ ଆସନରେ ନିର୍ବାଚନ ଲଢି ସବୁଠି ପରାଜୟ ବରଣ କରିଥିଲା। ଦଳ ପ୍ରଥମେ ୨୦୧୪ ରେ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ ମଧ୍ୟ ସେବେଠୁ ହରିୟାଣାର କୌଣସି ବିଧାନସଭା କିମ୍ବା ଲୋକସଭା ନିର୍ବାଚନରେ ନିଜର ଖାତା ଖୋଲି ପାରିନାହିଁ।

ଅନ୍ୟପକ୍ଷରେ କେଜ୍ରିୱାଲଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ଆପ୍ ରାଜ୍ୟସଭା ସାଂସଦ ସ୍ଵାତୀ ମାଲିୱାଲ୍। ଆପ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ଇଣ୍ଡିଆ ବ୍ଲକ ସହ ବିଶ୍ଵାସଘାତକତା କରିବା ସହ କଂଗ୍ରେସ ଭୋଟ କାଟୁଛନ୍ତି ବୋଲି ସେ ଆରୋପ ଲଗାଇଛନ୍ତି। କାହା ନାମ ନନେଇ ସ୍ଵାତୀ ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। କଂଗ୍ରେସର ଭୋଟ କାଟିବା ପାଇଁ ନିର୍ବାଚନ ଲଢୁଥିବା ସେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ତଥାକଥିତ ଦିଲ୍ଲୀ ମଦ ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟରୁ ଜାମିନ ପାଇବା ପରେ ଆପ୍ ପାଇଁ ଜୋରଦାର ପ୍ରଚାର କରିଥିଲେ।

Leave A Reply

Your email address will not be published.