Latest Odisha News

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆବାସରେ ଡବଲ୍ ତାଲା ପକାଇଲା ପିଡବ୍ଲ୍ୟୁଡି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆବାସକୁ ନେଇ ପୁଣି  ବଢିଛି ବିବାଦ । ଦିଲ୍ଲୀ ୬ ଫ୍ଲାଗ୍ ଷ୍ଟାଫ୍ ରୋଡ୍ ସ୍ଥିତ ମୁଖ୍ୟମନ୍ତ୍ରୀ ଆବାସରେ ତାଲା ମାରିଛି ପିଡବ୍ଲ୍ୟୁଡି । ଘରର ଗେଟ୍‌ରେ ବିଭାଗ ପକ୍ଷରୁ ପଡିଛି ଡବଲ୍ ତାଲା । ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏହି ସରକାରୀ କୋଠାକୁ ଖାଲି କରାଯାଇ ଆତିଶୀ ମୁଖ୍ୟମନ୍ତ୍ରୀ ହେବା ପରେ ଏଠାକୁ ଶିଫ୍ଟ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଆବାସ ଖାଲି କରିବା ଓ ହ୍ୟାଣ୍ଡଓଭରକୁ ନେଇ ବିବାଦ କାରଣରୁ ଆକ୍ସନ ନେଇଛି ପିଡବ୍ଲ୍ୟୁଡି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ପିଡବ୍ଲ୍ୟୁଡିର ଦୁଇ ସେକ୍ସନ ଅଫିସର ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ପୂର୍ବତନ ସ୍ୱତନ୍ତ୍ର ସଚିବଙ୍କୁ ଦିଲ୍ଲୀର ଭିଜିଲାନ୍ସ ବିଭାଗ ହ୍ୟାଣ୍ଡଓଭର ପ୍ରକ୍ରିୟା ଉପରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା । କେଜ୍ରିୱାଲ୍ ଘର ଖାଲି କରିବ ଦିନ ଘର ଚାବି ସୁନୀତା କେଜ୍ରିୱାଲ ଜଣେ କର୍ମଚାରୀଙ୍କୁ ଦେଇଥିଲେ। ଏହାପରେ ଚାବି ପିଡବ୍ଲ୍ୟୁଡିକୁ ହସ୍ତାନ୍ତର ହୋଇନଥିଲା । ଏହି ମାମଲାରେ ଆପ୍ ଦାବି କରି କହିଛି, ଉପରାଜ୍ୟପାଳ ସିଏମ୍ ଆବାସରୁ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସବୁ ଜିନିଷ ବାହାର କରିବା ପରେ ସିଏମ୍ ଆବାସକୁ ପିଡବ୍ଲ୍ୟୁଡି ତାଲା ପକାଇଛି।

ଆତିଶୀ ସୋମବାର ନିଜର ସବୁ ସାମଗ୍ରୀ ସହ ଉତ୍ତର ଦିଲ୍ଲୀର ସିଭିଲ ଲାଇନ୍ସ ଅଞ୍ଚଳରେ ସ୍ଥିତ ଆବାସକୁ ଶିଫ୍ଟ କରିଥିଲେ । ଏହି ଆବାସରେ ୯ ବର୍ଷରୁ ଅଧିକ ସମୟ ଧରି ଅରବିନ୍ଦ କେଜ୍ରିୱାଲ ନିଜ ପରିବାର ସହ ରହିଆସୁଥିଲେ । ବୁଧବାର ପାର୍ଟିର ରାଜ୍ୟସଭା ସାଂସଦ ସଂଜୟ ସିଂ ଅଭିଯୋଗ କରିଥିଲେ ଯେ ଏହି ଆବାସକୁ ଆତିଶୀଙ୍କୁ ଆବଣ୍ଟିତ କରାଯାଇ ନାହିଁ ଏବଂ ବିଜେପି ଏହାକୁ ହଡ଼ପ କରିବାକୁ ଚାହୁଁଛି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ଅବୈଧ ଭାବରେ ବଙ୍ଗଳା ହାତେଇଥିବା ବିରୋଧୀ ଦଳର ନେତା ବିଜେନ୍ଦ୍ର ଗୁପ୍ତା ଆରୋପ ଲଗାଇବା ସହ ଏହାକୁ ସିଲ୍  କରିବାକୁ ନିବେଦନ କରିଥିଲେ ।

Leave A Reply

Your email address will not be published.