Latest Odisha News

BREAKING NEWS

କାନାଡାର ୬ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପରେ ଭାରତକୁ ଧମକ ଦେଲେ ଟ୍ରୁଡୋ !

ନୂଆଦିଲ୍ଲୀ: ତୀବ୍ର ହେଉଛି ଭାରତ କାନାଡା କୂଟନୈତିକ ବିବାଦ । କାନାଡା ବିରୋଧରେ ଭାରତ ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ। କାନାଡାରୁ ହାଇକମିଶନରଙ୍କୁ ପ୍ରତ୍ୟାହାର କରିବା ପରେ କାନାଡାର ୬ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି ଭାରତ । ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାର ଯାଞ୍ଚ ନେଇ କାନାଡା ସରକାରଙ୍କ ବିବୃତ୍ତି ପରେ ଓଟ୍ଟାୱା ସ୍ଥିତ ହାଇକମିଶନର ସଂଜୟ କୁମାର ବର୍ମାଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି ଭାରତ । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରିଛି ।

ଏଥିସହ ୬ ଜଣ କାନାଡା କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି ଭାରତ । ସେମାନଙ୍କ ମଧ୍ୟରେ ଆକ୍ଟିଂ ହାଇକମିଶନର ଷ୍ଟିୱର୍ଟ ରସ୍ ହ୍ୱିଲର, ଡେପୁଟି ହାଇକମିଶନର ପ୍ୟାଟ୍ରିକ୍ ହେବର୍ଟ, ଫର୍ଷ୍ଟ ସେକେଟ୍ରାରୀ ମୈରୀ କୈଥରିନ୍ ଜୋଲି, ଫର୍ଷ୍ଟ ସେକ୍ରେଟାରୀ ଲୈନ ରସ୍ ଡେଭିଡ୍ ଟ୍ରାଇଟ୍ସ, ଫର୍ଷ୍ଟ ସେକ୍ରେଟାରୀ ପାଉଲ ଓରଜୁଏଲାଙ୍କ ନାଁ ସାମିଲ ରହିଛି । ଅକ୍ଟୋବର ୧୯ ରାତି ୧୨.୦୦ ପୂର୍ବରୁ ସେମାନଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦେଇଛି ଭାରତ । ହାଇକମିଶନରଙ୍କ ସହ ସମସ୍ତ ଦୂତାବାସ କର୍ମଚାରୀଙ୍କୁ ଫେରିବାକୁ ନିର୍ଦ୍ଦେଶ । କାନାଡ଼ାର ଚାର୍ଜ-ଡି ଆଫେୟାର୍ସଙ୍କୁ ସମନ କରିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ । ବର୍ତ୍ତମାନର କାନାଡା ସରକାରଙ୍କ ପ୍ରତି ବିଶ୍ବାସ ନଥିବା କହିଛି ବୈଦେଶିକ ମନ୍ତ୍ରାଳୟ । ଏପଟେ ବୈଦେଶିକ ମନ୍ତ୍ରଣାଳୟରୁ ସମନ ପାଇ ଫେରିବା ପରେ ଆମ ପାଖରେ ଯଥେଷ୍ଟ ପ୍ରମାଣ ରହିଛି ବୋଲି କହିଛନ୍ତି ଭାରତ ସ୍ଥିତ କାନାଡା କୂଟନୈତିଜ୍ଞ ।

ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଛି ଯେ ହିଂସାର ବାତାବରଣରେ ଟ୍ରୁଡୋ ସରକାରଙ୍କ କାର୍ଯ୍ୟକଳାପ କୂଟନୀତିଜ୍ଞଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି । ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବର୍ତ୍ତମାନର କାନାଡା ସରକାରଙ୍କ ପ୍ରତିବଦ୍ଧତା ଉପରେ ଭାରତର ବିଶ୍ୱାସ ନାହିଁ। ତେଣୁ ଭାରତ ସରକାର ହାଇକମିଶନର ଓ ଅନ୍ୟ କୂଟନୀତିଜ୍ଞ ଓ ଅଧିକାରୀଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ବିରୋଧରେ ଉଗ୍ରବାଦ, ହିଂସା ଏବଂ ବିଚ୍ଛିନ୍ନତାବାଦକୁ ଟ୍ରୁଡୋ ସରକାରଙ୍କ ସମର୍ଥନର ଜବାବରେ ପରବର୍ତ୍ତୀ ପଦକ୍ଷେପ ନେବାର ଅଧିକାର ଭାରତ ପାଖରେ ରହିଛି ।

ସେପଟେ ଏହାର ଉତ୍ତରରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି, “ଆମେ ଭାରତ ସହ କୌଣସି ତିକ୍ତ ସମ୍ପର୍କ ଚାହୁଁ ନାହୁଁ। ଭାରତ ହେଉଛି ଏକ ଗଣତାନ୍ତ୍ରିକ ଦେଶ। ଯେଉଁ ଦେଶ ସହିତ ଆମର ଗଭୀର ଐତିହାସିକ ବାଣିଜ୍ୟ ସମ୍ପର୍କ ରହିଛି। ଯଦି ରାଜନୀତିରେ ଆପଣଙ୍କ ଚାରିପାଖରେ ଅସ୍ଥିରତା ଥାଏ, ତେବେ ଏହାର ଅର୍ଥ ହେଉଛି ଗଣତାନ୍ତ୍ରିକ ଦେଶଗୁଡିକ ଏକାଠି ରହିବାକୁ ପଡିବ । ସେ ଆହୁରି ମଧ୍ୟ କହିଛନ୍ତି, ନିଜ୍ଜର ହତ୍ୟା ମାମଲାର ଭାରତୀୟ ଏଜେଣ୍ଟମାନେ ସିଧାସଳଖ ଜଡ଼ିତ ଥିଲେ। ଆମ ପାଖରେ ଏହାର ପ୍ରମାଣ ଅଛି ଯେ ଭାରତୀୟ ଏଜେଣ୍ଟମାନେ କାନାଡାର ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ। କାନାଡାର ଅଧିକାରୀ ମାନେ ୬ ଜଣ ଭାରତୀୟ ଏଜେଣ୍ଟ ଅପରାଧିକ କାର୍ଯ୍ୟକଳାପରେ ଜଡିତ ଥିବାର ପ୍ରମାଣ ଦେଇଛନ୍ତି। ଆଜିର ପ୍ରକାଶନ ଇଣ୍ଡୋ-କାନାଡିୟ ଏବଂ ଶିଖ ସମ୍ପ୍ରଦାୟର ଲୋକଙ୍କୁ ଥରାଇ ଦେଇଛି। ଭାରତ ସରକାର ଏକ ବଡ ଭୁଲ କରିଦେଲେ ବୋଲି କହିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ ।

Leave A Reply

Your email address will not be published.