Latest Odisha News

ସରି ମମି…ପୁଅର ଶେଷ ଚିଠି

ଭୁବନେଶ୍ବର: ଦୂରେଇ ଗଲେ ପ୍ରେମିକା ! ସହିପାରିଲେନି ବିଚ୍ଛେଦ ! ପ୍ରେମରେ ବିଫଳ ହେବା ପରେ ହାରିଲେ ଜୀବନ । ଦଶହରାରେ ଭୁବନେଶ୍ବରରେ ଯେତେବେଳେ ସବୁଠି ଥିଲା ସେଲିବ୍ରେସନର ମାହୋଲ, ସେତେବେଳେ ଜୀବନର ଶେଷ ନିଷ୍ପତ୍ତି ନେଇ ସାରିଥିଲେ ଇଂଜିନିୟର ରୋନିତ ଜେନା । କିଛି ଦିନ ଧରି ଦୁଶ୍ଚିନ୍ତାରେ ରହିବା ପରେ ଜୀବନରେ ପୂର୍ଣ୍ଣଚ୍ଛେଦ ଲଗାଇବାକୁ କରିଥିଲେ ଯୋଜନା । ମାଆଙ୍କୁ ସାଙ୍ଗରେ ଧରି ପୂଜା ମଣ୍ଡପ ବୁଲାଇଥିଲେ। ଘରେ ଆଇସକ୍ରିମ ବି ଖାଇଥିଲେ । ହେଲେ କିଏ ଜାଣିଥିଲା ଇଏ ଥିଲା ରୋନିତଙ୍କର ପରିବାର ସହ ଶେଷ ରାତି। କେହି କିଛି ଜାଣିବା ଆଗରୁ, ଆପାର୍ଟମେଣ୍ଟର ୮ମହଲା ଉପରୁ ଡେଇଁ ଜୀବନ ହାରିଥିଲେ ରୋନିତ ।

ସିସିଟିଭିରେ ଶେଷ ସମୟ

ଭୁବନେଶ୍ବର ଖାରବେଳ ନଗରର ଏକ ଆପାର୍ଟମେଣ୍ଟରେ ପରିବାର ସହ ରହୁଥିଲେ ୨୩ବର୍ଷୀୟ ରୋନିତ । ଶୁକ୍ରବାର ବ୍ରହ୍ମପୁରରୁ ଏକ ପରୀକ୍ଷା ଦେଇ ଫେରିଥିଲେ। ରାତିରେ ମାଆଙ୍କୁ ସାଙ୍ଗରେ ନେଇ ପୂଜା ମଣ୍ଡପ ବୁଲାଇଥିଲେ। ଶନିବାର ଆଉ କିଛି ମଣ୍ଡପ ବୁଲିବାକୁ ବି ଯୋଜନା ହୋଇଥିଲା। ଘରକୁ ଆସି ପରିବାର ସହ ମିଶି ଖାଇଥିଲେ । ସବୁକିଛି ଅନ୍ୟ ଦିନ ଭଳି ଥିଲା ବେଶ୍ ସାଧାରଣ । ତେବେ ବିଳମ୍ବିତ ରାତିରେ ରୋନିତ ମୋବାଇଲରେ ପ୍ରେମିକାଙ୍କ ସହ ଉଚ୍ଚସ୍ବରରେ କଥା ହୋଇଥିବା ଅଭିଯୋଗ ହୋଇଛି । ଏହାପରେ ଭୋର ୪ଟା ୨୨ରେ ସେ ଜୀବନ ହାରିଥିଲେ। ଆତ୍ମହତ୍ୟା ପୂର୍ବର ସିସିଟିଭି ଫୁଟେଜରେ ରୋନିତ ବିବ୍ରତ ହୋଇ ଏଣେ ତେଣେ ଚାଲୁଥିବା ଦେଖିବାକୁ ମିଳୁଛି । ପରେ ସେ ପଛପଟରୁ ଢଳି ପଡିଥିଲେ । ତଳେ ରୋନିତଙ୍କ ମୃତଦେହ ପଡିଥିବା ଦେଖି ପଡୋଶୀମାନେ ପରିବାର ଲୋକଙ୍କୁ ଜଣାଇଥିଲେ ।

ଆତ୍ମହତ୍ୟା ପଛରେ ବ୍ରେକଅପ୍ !

ପ୍ରେମରେ ପ୍ରତାରଣା ପାଇଁ ରୋନିତ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ବ୍ରହ୍ମପୁରରେ ଇଞ୍ଜିନିୟରିଂ ପଢୁଥିବା ବେଳେ କଲେଜର ଜଣେ ଛାତ୍ରୀଙ୍କ ସହ ରୋନିତଙ୍କ ପ୍ରେମ ସଂପର୍କ ଗଢି ଉଠିଥିଲା । ରୋନିତ ଏକ ଘରୋଇ କମ୍ପାନୀରେ ଚାକିରି ପାଇଥିଲେ । ଯୁବତୀ ଜଣକ ରୋନିତଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଥିବା ପରିବାର ଲୋକେ କହିଛନ୍ତି । ତେବେ କୌଣସି କାରଣକୁ ନେଇ ଉଭୟଙ୍କ ସଂପର୍କ ଛିନ୍ନ ହୋଇଯାଇଥିଲା । ଏହାକୁ ନେଇ ରୋନିତ ହତାଶ ହୋଇ ପଡିଥିଲେ । କିଛି ଦିନଧରି ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ତେଣୁ ପୁଅର ମୃତ୍ୟୁ ପାଇଁ ଯୁବତୀଙ୍କୁ ଦାୟୀ କରିଛନ୍ତି ରୋନିତଙ୍କ ପରିବାର ଲୋକେ । ମୃତ୍ୟୁ ପୂର୍ବରୁ ରୋନିତଙ୍କ ଶେଷ ଚିଠି ମିଳିଛି । ସେଥିରେ ସେ ଉଭୟ ବାପା ଓ ମାଆଙ୍କୁ କ୍ଷମା ମାଗିଛନ୍ତି ।

ପ୍ରେମରେ ପ୍ରତାରଣା ପାଇଁ ରୋନିତ ଏଭଳି ଚରମ ପଦକ୍ଷେପ ନେଇଥିବା ତାଙ୍କ ବାପା ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ରୋନିତଙ୍କ ମୃତଦେହ ଜବତ କରିବା ସହ ମାମଲା ରୁଜୁ କରି ତନାଘନା କରୁଛି । ରୋନିତଙ୍କଠାରୁ ଯୁବତୀ ଜଣକ ଲକ୍ଷ ଲକ୍ଷ ଟଙ୍କା ନେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏପରିକି ଏଥିପାଇଁ ରୋନିତ ଲୋନ୍ କରିଥିବା ବି ଆଶଙ୍କା କରିଛନ୍ତି । ଏନେଇ ଡରରେ ସେ ଘରେ କିଛି କହିନଥିଲେ । ତେବେ ଏଥିପାଇଁ ରୋନିତ ପ୍ରବଳ ମାନସିକ ଚାପରେ ଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ତେଣୁ ବ୍ରହ୍ମପୁରର ସଂପୃକ୍ତ ଯୁବତୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.