Latest Odisha News

ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ପୁରୀ: ଆଜିଠୁ ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ପୁରୀରେ ହବିଷିଆଳିଙ୍କ ଭିଡ଼ । ଶ୍ରୀକ୍ଷେତ୍ରରେ ମାସେ ଧରି ହବିଷିଆଳିମାନେ କାର୍ତ୍ତିକ ବ୍ରତ ପାଳନ କରିବେ । ସଂକଳ୍ପ କରି ହବିଷିଆଳିମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି। ତୁଳସୀ ଚଉରାମୂଳେ ରାଇଦମୋଦରଙ୍କୁ ପୂଜା କରି ମାସଟାଯାକ ଆଧ୍ୟାତ୍ମିକ ଭାବରେ ବାନ୍ଧି ହୋଇରହିବେ। ଏ ଅବସରରେ ହବିଷ୍ୟାଳୀମାନେ ପଞ୍ଚତୀର୍ଥରେ ସ୍ନାନ ସହ କାର୍ତ୍ତିକ ବ୍ରତ ସଂଙ୍କଳ୍ପ କରିବା ପରେ ତୁଳସୀ ଗଛ ମୂଳରେ ରାଇଦାମୋଦର ପୂଜା କରିଛନ୍ତି । ଏଥିସହ ଫଳ ମୂଳ ନୈବେଦ୍ୟ ଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପ୍ରତିମାକୁ ପୂଜା କରିଛନ୍ତି । ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିଛନ୍ତି ବ୍ରତଧାରୀ ।

ସେପଟେ ପୁରୀ ପ୍ରଶାସନ ପକ୍ଷରୁ ହୋଇଥିବା ୪ଟି କେନ୍ଦ୍ରରେ ହବିଷିଆଳିଙ୍କ ରହଣୀ, ଶ୍ରୀଜିଉଙ୍କୁ ଦର୍ଶନ, ମହାପ୍ରସାଦ ସେବନ ଓ ଆଧ୍ୟାତ୍ମିକ ଆଲୋଚନା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ହବିଷିଆଳିମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି । ପ୍ରତି ରହଣୀ ସ୍ଥାନରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଚଳିତବର୍ଷ ନରେନ୍ଦ୍ରକୋଣ ବୃନ୍ଦାବତୀ ନିବାସ, ବଡ଼ଦାଣ୍ଡ ଅକ୍ଷୟପାତ୍ର ଫାଉଣ୍ଡେସନ୍‌ ଗୃହ, ବଗଲା ଧର୍ମଶାଳା ଓ ମୋଚିସାହି କଲ୍ୟାଣମଣ୍ଡପରେ ହବିଷିଆଳିଙ୍କ ରହିବା ବ୍ୟବସ୍ଥା କରାଯାଇଛି। ହବିଷିଆଳି ଶିବିରରେ ମହାପ୍ରସାଦର ବ୍ୟବସ୍ଥା ସହ ଦୈନିକ ସନ୍ଧ୍ୟାରେ ପ୍ରବଚନ ଓ ଭଜନକୀର୍ତ୍ତନର ବ୍ୟବସ୍ଥା କରାଯାଇଛି।

 

 

Leave A Reply

Your email address will not be published.