Latest Odisha News

ଦେବଦୂତ ସାଜି ବୃଦ୍ଧାଙ୍କୁ କାନ୍ଧରେ ବୋହିଲେ ଆଶା କର୍ମୀ, ଛୁଟୁଛି ଶୁଭେଚ୍ଛାର ସୁଅ

ରାଜନଗର: ବାତ୍ୟା ‘ଦାନା’ର ପ୍ରକୋପ ସମୟରେ ଲୋକେ ସୁରକ୍ଷିତ ସ୍ଥାନରେ ରହିବାକୁ ଉଦ୍ୟତ ହେଉଥିବା ବେଳେ ସେବା ମନୋଭାବ ନେଇ ଆଗେଇ ଆସିଥିଲେ ଜଣେ ଆଶାକର୍ମୀ । ବିପଦ ସଙ୍କୁଳଙ୍କ

ପାଇଁ ସାଜିଥିଲେ ଦେବଦୂତ। ପବନ, ବର୍ଷାକୁ ଖାତିର ନ କରି ବିପଦରେ ପଡ଼ିଥିବା ଜଣେ ବୃଦ୍ଧାଙ୍କୁ ନିଜ କାନ୍ଧରେ ବୋହି ସୁରକ୍ଷିତ ସ୍ଥାନରେ ପହଞ୍ଚାଇଛନ୍ତି। ଏହି ଆଶା କର୍ମୀ ଜଣକ ହେଲେ କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଖାସମୁଣ୍ଡା ଗାଁର ଶିବାନୀ ମଣ୍ଡଳ ଓରଫ ଶିବାନୀ ଦିଦି।

କାନ୍ଧରେ ନେଉଥିବା ଫଟୋ ଆଉ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶିବାନୀଙ୍କ କାର୍ଯ୍ୟକୁ  ସାବାସୀ ଜଣାଇଛନ୍ତି। ଏହାପରେ ତାଙ୍କ ନିକଟକୁ ରାଜ୍ୟ ତଥା ରାଜ୍ୟ ବାହାରୁ  ଶୁଭେଚ୍ଛାର ସୁଅ ଛୁଟିଛି । ସେ ୭ ବୟସ୍କଙ୍କୁ ସୁରକ୍ଷିତ ଭାବରେ କାନ୍ଧରେ ବସାଇ ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚାଇଥିବା ବେଳେ କିଛି ଗର୍ଭବତୀ ମହିଳାଙ୍କୁ ମଧ୍ୟ ହସ୍ପିଟାଲରେ ପହଞ୍ଚାଇ ଥିବା ଜାଣିବାକୁ ମିଳିଛି।

 

ଖବର ପ୍ରକାଶ ପାଇବା ପରେ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ବିଧାୟକ ଏବଂ ଜିଲା ପ୍ରଶାସନ ଶିବାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅଦମ୍ୟ ସାହସର ସହ ବାତ୍ୟାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଶିବାନୀ କରିଥିବା ପ୍ରୟାସ ସମସ୍ତଙ୍କ ପାଇଁ ଏକ ପ୍ରେରଣା ଦେଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ସେହିପରି ଆଶା ଭଉଣୀ ଶିବାନୀଙ୍କ ପରି ବ୍ୟକ୍ତିତ୍ୱ ପ୍ରକୃତ ନାରୀଶକ୍ତିର ପରିଚୟ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି । ଏନେଇ ପ୍ରତିକ୍ରିୟା ଦେଇଛନ୍ତି ଶିବାନୀ।

ସେ କହିଛନ୍ତି, ମୁଁ ୨୦୦୬ ମସିହାରୁ ଆଶାକର୍ମୀ ଭାବେ କାମ କରି ଆସୁଛି। ଗର୍ଭବତୀ,ପ୍ରସ୍ତୁତି ଯାହାର ଯେତେବେଳେ ଯେଉଁ ସେବା ଦରକାର,ତାହା ଯୋଗାଇବାକୁ ଚେଷ୍ଟା କରେ। ଜୀବନ ଥିବା ଯାଏ ଏପରି ଲୋକଙ୍କ ସେବା କରିବାକୁ ସ୍ଥିର କରିଥିବା ସେ କହିଛନ୍ତି।

Leave A Reply

Your email address will not be published.