ଯାଜପୁର: ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୦ ବର୍ଷର କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁରର ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ଅଭିଯୁକ୍ତ ଜଣକ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଞ୍ଚଳର ରବୀନ୍ଦ୍ର ମଲ୍ଲିକ ।
୨୦୨୩ ମସିହାରେ ରବୀନ୍ଦ୍ର ମଲ୍ଲିକ ୭ ବର୍ଷୀୟ ନାବାଳିକା ତଥା ଦ୍ଵିତୀୟ ଶ୍ରେଣୀ ଛାତ୍ରୀ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ଚକୋଲେଟ୍ ଦେଇ ବିଭିନ୍ନ ଆଳରେ ଘର ଭିତରକୁ ନେଇ ଦୁଷ୍କର୍ମ କରିଥିଲା । ପୀଡ଼ିତାଙ୍କ ପରିବାର ଝିଅକୁ ଖୋଜି ଖୋଜି ରବୀନ୍ଦ୍ରଙ୍କ ଘରେ ପହଞ୍ଚି ଝିଅକୁ ଦୁଷ୍କର୍ମ ହେଉଥିବା ଅବସ୍ଥାରେ ଦେଖି ଉଦ୍ଧାର କରିଥିଲେ ।
ଏନେଇ ସୁକିନ୍ଦା ଥାନାରେ ପୀଡ଼ିତାଙ୍କ ପରିବାର ବର୍ଗ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଅଭିଯୁକ୍ତ ୫୦ ବର୍ଷୀୟ ରବୀନ୍ଦ୍ରକୁ ଦଫା ୩୭୬(କ,ଖ) ଏବଂ ପୋକ୍ସୋ ଧାରା ୬ ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଆଜି ଏହି ମାମଲାର ଶୁଣାଣି କରିଛନ୍ତି ସ୍ବତନ୍ତ୍ର ପୋକ୍ସୋ ଅଦାଲତ ।
୧୩ ଜଣଙ୍କ ସାକ୍ଷକୁ ଗ୍ରହଣ କରି ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ଏଥି ସହିତ ଅନାଦୟ ୪ ମାସ ଅଧିକ କାରାଦଣ୍ଡାଦେଶ ସହ ପିଡିତାଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ପୋକ୍ସୋ ବିଚାରପତି ଅଭିଜିତ ପଲାଇ । ଏହି ମାମଲାକୁ ସରକାରୀ ଓକିଲ ରାଜୀବ ମହାନ୍ତି ପରିଚାଳନା କରିଛନ୍ତି ।