ଭୁବନେଶ୍ୱର: ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନର ଅଟ୍ରିଠାରେ ନୂତନ ପାସେଞ୍ଜର ହଲ୍ଟ ଲୋକାର୍ପିତ ହୋଇଛି। ଏହା ଅଞ୍ଚଳର ପରିବହନରେ ଉନ୍ନତି ଘଟାଇବ। ଅଟ୍ରି ପାସେଞ୍ଜର ହଲ୍ଟ ଉଦ୍ଘାଟନୀ ସମାରୋହରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଓ ଖୋର୍ଦ୍ଧାର ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ତଥା ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏଚ. ଏସ. ବଜୱାଙ୍କ ଉପସ୍ଥିତ ଥିଲେ। ଉଷ୍ମ ପ୍ରସବଣ ପାଇଁ ଅଟ୍ରି ପ୍ରସିଦ୍ଧ। ଏହା ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ। ଏହି ନୂତନ ହଲ୍ଟ ଉଭୟ ସ୍ଥାନୀୟ ବାସିନ୍ଦା ଏବଂ ପରିଦର୍ଶକମାନଙ୍କ ପାଇଁ ସୁବିଧା ପ୍ରଦାନ କରିବ। ଅଟ୍ରି ପାସେଞ୍ଜର ହଲ୍ଟଠାରେ ଦଶପଲ୍ଲା-ଭୁବନେଶ୍ୱର ମେମୁ ପ୍ରଥମ ଟ୍ରେନ ଭାବେ ରହଣି କରିବ। ଏହି ପ୍ରକଳ୍ପ ପାଇଁ ଅପରାଜିତା ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଏହି ପ୍ରକଳ୍ପ ନିର୍ମାଣ କ୍ଷେତ୍ରରେ ପ୍ରାୟ ୫୮ ଲକ୍ଷ ଟଙ୍କା ବ୍ୟୟ କରାଯାଇଅଛି। ଏଥିରେ ୪୬୭ ମିଟର ଦୈର୍ଘ୍ୟ ପ୍ଲାଟଫର୍ମ, ଛଅ ଗୋଟି ଛୋଟ ଯାତ୍ରୀ ଆଶ୍ରୟସ୍ଥଳୀ ଏବଂ ୩୦ଜଣଙ୍କ ବସିବା କ୍ଷମତା ବିଶିଷ୍ଟ ଛଅ ଗୋଟି ବେଞ୍ଚ ରହିଛି। ଏହା ସହିତ ଯାତ୍ରୀମାନଙ୍କ ଭ୍ରମଣ ଅଭିଜ୍ଞତାକୁ ବୃଦ୍ଧି କରାଇବା ଲାଗି ୧୪ଟି ଲାଇଟ ପୋଷ୍ଟ, ଏକ ନଳକୂଅ ଏବଂ ଏକ ବୁକିଂ କାଉଣ୍ଟର ସୁବିଧା ରହିଛି। ଏହି ବିକାଶ ସ୍ଥାନୀୟ ପର୍ଯ୍ୟଟନକୁ ବୃଦ୍ଧି କରିବା ସହିତ ଉକ୍ତ ଅଞ୍ଚଳର ବାସିନ୍ଦାଙ୍କ ପାଇଁ ଉନ୍ନତ ଗମନାଗମନ ସଂଯୋଗ ଯୋଗାଇବ। ଏଠାରେ ୩ ଟି ଟ୍ରେନ ଭଦ୍ରକ-ଦଶପଲ୍ଲା-ଭଦ୍ରକ ମେମୁ, ଭୁବନେଶ୍ୱର-ଦଶପଲ୍ଲା-ଭୁବନେଶ୍ୱର ମେମୁ ଏବଂ ପୁରୀ-ଦଶପଲ୍ଲା-ପୁରୀ ମେମୁ ପାସେଞ୍ଜର ଟ୍ରେନ ରହଣି ପାଇଁ ବ୍ୟବସ୍ଥା କରାଯାଇଅଛି। ଭଦ୍ରକରୁ ଛାଡୁଥିବା ଭଦ୍ରକ-ଦଶପଲ୍ଲା-ଭଦ୍ରକ ମେମୁ ଅଟ୍ରିରେ ପୂର୍ବାହ୍ନ ୧୦ ଟା ୩୬ ମି.ରେ ପହଞ୍ଚି ପୂର୍ବାହ୍ନ ୧୦ ଟା ୩୭ ମି.ରେ ଦଶପଲ୍ଲା ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଦଶପଲ୍ଲାଠାରୁ ଏହି ଟ୍ରେନ ଅଟ୍ରିଠାରେ ସନ୍ଧ୍ୟା ୫ଘ.୫୫ମି.ରେ ପହଞ୍ଚି ସନ୍ଧ୍ୟା ୫ଘ.୫୬ମି.ରେ ଭଦ୍ରକ ଅଭିମୁଖେ ଯାତ୍ରା କରିବ। ସେହିପରି ଭୁବନେଶ୍ୱରରୁ ଛାଡୁଥିବା ଭୁବନେଶ୍ୱର-ଦଶପଲ୍ଲା-ଭୁବନେଶ୍ୱର ମେମୁ ଅଟ୍ରିରେ ପୂର୍ବାହ୍ନ ୧୦ଟା ୫୧ମି.ରେ ପହଞ୍ଚି ପୂର୍ବାହ୍ନ ୧୦ ଟା ୫୨ମି.ରେ ଦଶପଲ୍ଲା ଅଭିମୁଖେ ଯାତ୍ରା କରିବ। ପୁରୀରୁ ଛାଡୁଥିବା ପୁରୀ-ଦଶପଲ୍ଲା-ପୁରୀ ମେମୁ ଅଟ୍ରି ଠାରେ ସନ୍ଧ୍ୟା ୭ ଟା ୪୦ମି.ରେ ପହଞ୍ଚି ସନ୍ଧ୍ୟା ୭ ଟା ୪୧ ମି.ରେ ଦଶପଲ୍ଲା ଅଭିମୁଖେ ଯାତ୍ରା କରିବ।