ସୁନ୍ଦରଗଡ଼: କରମଡିହି ଗୀତାପଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୩ଜଣ ମହିଳାଙ୍କ ସହ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ଘଟଣାରେ ସମ୍ପୃକ୍ତ ୧୩ଜଣଙ୍କୁ ଆଣି ସଦର ଥାନା ଅଟକ ରଖି ପଚରାଉଚରା କରୁଛି।
ମଳିଥିବା ସୂଚନ ମୁତାବକ, ପୋଲିସର ଏକ ଟିମ୍ ଅନୁଗୋଳ ଜିଲ୍ଲା ବଅଁରପାଳ ମୁଣ୍ଡାପଡ଼ାରେ ଚଢାଉ କରି ଯାଯାବର ଶ୍ରେଣୀର ୧୩ଜଣଙ୍କୁ ପୋଲିସ ଉଠାଇ ଆଣି ତଦନ୍ତ କରୁଛି। ସୂଚନା ଯୋଗ୍ୟ, ପରକିୟା ପ୍ରୀତିକୁ ନେଇ ଗୋଟିଏ ଗୋଷ୍ଠୀ ୫ ଜଣଙ୍କୁ ମାରଣାସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଆହତମାନଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଓ ସୁନ୍ଦରଗଡ଼ ଏସପି ପ୍ରତ୍ୟୁଷ ଦିବାକର ସଦରଥାନା ପୋଲିସ ସାଇଣ୍ଟିଫିକ ଟିମ୍ ଘଟଣାର ତଦନ୍ତ କରୁଛନ୍ତି। ମଙ୍ଗଳବାର ରାତିରେ ଏକ ବଡ଼ ତମ୍ବୁ ଭିତରେ ଏକ ଯାଯାବର ପରିବାର ପ୍ରାୟ ୨୦ ସଦସ୍ୟ ଶୋଇଥିଲେ। ଅନ୍ୟ ଏକ ଯାଯାବର ଗୋଷ୍ଠୀ ୪ଜଣ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ। କେହି କିଛି ଭାବିବା ପୂର୍ବରୁ ଅନେକେ ଲହୁଲୁହାଣ ହୋଇପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ୩ଜଣ ମହିଳା ଅଛନ୍ତି।
ମୃତକ ଏବଂ ଆହତ ସମସ୍ତେ ଗୋଟିଏ ପରିବାରର ଅଟନ୍ତି। ଆକ୍ରମଣ କରିଥିବା ଗୋଷ୍ଠୀ ଜଣେ ମହିଳା ଏବଂ ୨ ଶିଶୁଙ୍କୁ ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସୂଚନା ଥାଉକି ଗତ କିଛି ମାସ ହେଲା ମହାରାଷ୍ଟ୍ର ୱାର୍ଦ୍ଧା ଅଞ୍ଚଳର କେତେଜଣ ଲୋକ ଆସି କରମଡିହି ଗୀତାପଡ଼ାରେ ତମ୍ବୁ ପକାଇ ରହି ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ପ୍ରଥମ ସ୍ତ୍ରୀ ତାଙ୍କୁ ଛାଡ଼ି ଅନ୍ୟ କାହା ସହିତ ଚାଲି ଯାଇଥିଲେ। ଏହା ପରେ ଉକ୍ତ ବ୍ୟକ୍ତି ଆଉ ଜଣେ ମହିଳାଙ୍କୁ ଆଣିଥିଲେ। ପୂର୍ବ ସ୍ତ୍ରୀଙ୍କ ଗୋଟିଏ ପୁଅ ଏବଂ ଦ୍ବିତୀୟ ସ୍ତ୍ରୀଙ୍କ ୨ ଟି ସନ୍ତାନ ରହିଛନ୍ତି। ତେବେ ଦ୍ବିତୀୟ ସ୍ତ୍ରୀଙ୍କୁ ନେଇ ଆଉ ଏକ ଯାଯାବର ଗୋଷ୍ଠୀ ସହିତ ବିବାଦ ଲାଗି ରହିଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ହଠାତ୍ କେତେ ଜଣ ଲୋକ ଆସି ତମ୍ବୁ ଭିତରେ ଶୋଇଥିବା ଲୋକଙ୍କୁ ଭୁଜାଲି, ଖଣ୍ଡା ଦ୍ୱାରା ଆକ୍ରମଣ କରିଥିଲେ।