ଭୁବନେଶ୍ଵର: ପରଲୋକରେ ପ୍ରଖ୍ୟାତ ଫ୍ୟାସନ ଡିଜାଇନର ରୋହିତ ବଳ । ଗତବର୍ଷ ଠାରୁ ସେ ହୃଦରୋଗରେ ପୀଡ଼ିତ ଥିଲେ। ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ସାମାନ୍ୟ ସୁସ୍ଥ ହେବା ପରେ ସେ ପୁଣି ଥରେ ଫ୍ୟାସନ ଡିଜାଇନ କାମ ଆରମ୍ଭ କରିଥିଲେ। ଗତକାଲି ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା ।
ଶେଷ ଥର ପାଇଁ ତାଙ୍କୁ ଲାକ୍ ମି ଇଣ୍ଡିଆ ଫେସନ ୱିକ୍ରେ ଦେଖିବାକୁ ମିଳିଥିଲା । ଗତମାସରେ ଦିଲ୍ଲୀରେ ଆୟୋଜିତ ଲାକ୍ ମି ଇଣ୍ଡିଆ ଫେସନ ୱିକ୍ରେ ସେ ଶେଷଥର ନିଜର ଦକ୍ଷତା ଦେଖାଇଥିଲେ। ସେଥିରେ ସେ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ପାଇଁ ଶୋ’ ଷ୍ଟପର ହୋଇଥିଲେ । ତେବେ ରାମ୍ପରେ ରୋହିତ ଥରୁଥିବାରୁ ଫ୍ୟାନ୍ସ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଥିଲେ।
୧୯୬୧ ମେ ମାସ ୮ ତାରିଖରେ ଶ୍ରୀନଗରର କଶ୍ମୀର ପଣ୍ଡିତଙ୍କ ପରିବାରରେ ଜନ୍ମ ହୋଇଥିଲେ ରୋହିତ । ଶ୍ରୀନଗରରୁ ସେ ନିଜ ପାଠପଢା ପୂରା କରିବା ପରେ ତାଙ୍କ ପରିବାର ଦିଲ୍ଲୀ ଶିଫ୍ଟ ହୋଇଯାଇଥିଲେ। ଦିଲ୍ଲୀରେ ସେ ନିଜର ଆଗାମୀ ପଢା ଶେଷ କରିଥିଲେ । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ ଟେକ୍ନୋଲଜିରୁ ଫ୍ୟାଶନର କୋର୍ସ ଶେଷ କରିଥିଲେ ରୋହିତ । ୧୯୮୬ରେ ସେ ନିଜ ଭାଇଙ୍କ ସହ ଆର୍କିଡ୍ ଓଭରସିଜ୍ ପ୍ରାଇଭେଟ୍ ଲିମିଟେଡ୍ର ସ୍ଥାପନା କରି ନିଜ କ୍ୟାରିୟର ଆରମ୍ଭ କରିଥିଲେ। ବଲିଉଡ ସହ ହଲିଉଡ୍ର ବଡ଼ ବଡ଼ ସିନେ ଷ୍ଟାର ଯଥା ପାମେଲା ଆଣ୍ଡରସନ, ଉମା ଥରୁମାନ, ସିଣ୍ଡି କ୍ରାଉଫୋର୍ଡ ଏବଂ ନାଓମି କ୍ୟାମ୍ପବେଲ ତାଙ୍କର ଗ୍ରାହକ ରହିସାରିଛନ୍ତି।
Comments are closed.