ଭଦ୍ରକ: ମା’ ଭଦ୍ରକାଳୀଙ୍କର ସପ୍ତ ମାତୃକା ବେଶର ଆଜି ହେଉଛି ତୃତୀୟ ଦିବସ । ବର୍ଷର ସବୁଦିନ ପରମ ବୈଷ୍ଣବୀ ଭାବେ ପୂଜା ପାଉଥିବା ମା’ ଆଜି ରାଜ ରାଜେଶ୍ୱରୀ ବେଶ ଧାରଣ କରିଛନ୍ତି । କୋଳରେ ଶିଶୁ କୃଷ୍ଣଙ୍କୁ ଧାରଣ କରିଥିବାରୁ ମା’ ଭଦ୍ରକାଳୀ ହେଉଛନ୍ତି ଶାନ୍ତ, କାନ୍ତ ଓ ସୌମ୍ୟ ମା’ଙ୍କ ମୁଖ ଆଜି ପଦ୍ମ ବର୍ଣ୍ଣା ।
ମା’ ଆଜି କମଳା ପାଟ ବସ୍ତ୍ର ଧାରଣ କରିବା ସହ ହାତରେ ଖଡ୍ଗ ଓ ତ୍ରୀଶୂଳ ଚକ୍ର ଧାରଣ କରିଛନ୍ତି । ମା’ଙ୍କର ହସ୍ତୀ ଓ ବାଘ ସାଜିଛନ୍ତି ବାହାନ । ଆଜି ଚତୁର୍ଦ୍ଧା ମୂର୍ତ୍ତିରେ ଦର୍ଶନ ଦେଉଥିବା ବେଳେ ମା’ ଆଜି ସ୍ବର୍ଣ୍ଣ ରୋପ୍ୟ ଅଳଙ୍କାରରେ ଭୂଷିତ ହୋଇଛନ୍ତି । ଦିପାବଳୀ ଦିନ ମଧ୍ୟରାତ୍ରିରୁ ସ୍ବତନ୍ତ୍ର ପୂଜା ଆୟୋଜନ ପରେ ମା’ଙ୍କୁ ରାଜ ରାଜେଶ୍ୱରୀ ବେଶରେ ସୁସଜ୍ଜିତ କରାଯାଇଛି ।
ଭଦ୍ରକ ଜିଲ୍ଲାର ଅଧୃଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କୁ ଆଜି ରାଜ ରାଜେଶ୍ୱରୀ ବେଶରେ ଦର୍ଶନ କଲେ ସମସ୍ତ କାର୍ଯ୍ୟ ସିଦ୍ଧି ହେବା ସହ ଯଶ ଐଶର୍ଯ୍ୟ ଲାଭ ହୋଇଥାଏ ବୋଲି ପ୍ରବାଦ ରହିଛି । ତେବେ ଆସନ୍ତା କାଲି ତଥା ଚତୁର୍ଥ ଦିବସରେ ମା’ ସିଂହବାହୀନି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।