Latest Odisha News

କନ୍ଧମାଳ ଆମ୍ବ ଟାକୁଆ ‘ଅପମୃତ୍ୟୁ’ ଘଟଣା: ଦକ୍ଷିଣାଞ୍ଚଳ ଆରଡିସିଙ୍କ ତଦନ୍ତ ଆରମ୍ଭ 

ଭୁବନେଶ୍ବର: କନ୍ଧମାଳ ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗ୍ରାମର ଗ୍ରାମବାସୀଙ୍କ ଅପମୃତ୍ୟୁ ଓ ଚିକିତ୍ସା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଦକ୍ଷିଣାଂଚଳ ରାଜସ୍ୱ କମିଶନର (ଆରଡିସି) ରୂପା ରୋଶନ ସାହୁ ବୁଧବାର କନ୍ଧମାଳ ଗସ୍ତ କରିଛନ୍ତି।

କନ୍ଧମାଳ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ସ୍ଥାନୀୟ ମାଣ୍ଡିପଙ୍କା ଗ୍ରାମବାସୀ, ୱାର୍ଡ ମେମ୍ବର, ଗୋଷ୍ଠୀ ଓ ନାଗରିକ ସଂଗଠନର ସଦସ୍ୟଙ୍କ ସହ ଆଲୋଚନା କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ରାଜସ୍ୱ କମିଶନର ଲ୍ୟାମ୍ପ ମାଧ୍ୟମରେ ହେଉଥିବା ସାର୍ବଜନୀନ ବିତରଣ ବ୍ୟବସ୍ଥା (ପିଡିଏସ୍)ର ରେକର୍ଡ ଯାଞ୍ଚ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ ଅନୁଯାୟୀ, ୭ ଦିନ ମଧ୍ୟରେ ସମ୍ପୃକ୍ତ ତଥ୍ୟକୁ ଅନୁଧ୍ୟାନ କରିବା ପରେ ସେ ତଦନ୍ତ ରିପୋର୍ଟ ଦାଖଲ କରିବେ ।

କନ୍ଧମାଳ ଜିଲ୍ଲାର ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଗଛର ଟାକୁଆ ଖାଇ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଅନ୍ୟ ୬ ଜଣ ଗୁରୁତର ଅସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

 

 

Comments are closed.