ମୁମ୍ବାଇ: ପୁଣି ମିଳିଲା ବଲିଉଡ ଅଭିନେତା ସଲମାନଙ୍କୁ ହତ୍ୟା ଧମକ। ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ଆସିଛି ଏହି ଧମକପୂର୍ଣ୍ଣ ମେସେଜ୍। ତେବେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ପୁଣିଥରେ ଏହି ଧମକପୂର୍ଣ୍ଣ ମେସେଜ ଭାଇଜାନଙ୍କ ପାଇଁ ମିଳିଛି l ସଲମାନ ଖାନ୍ ଏବଂ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ ଏକ ଗୀତ ଲେଖାଯାଇଛି। ଯେଉଁ ବ୍ୟକ୍ତି ଏହି ଗୀତ ଲେଖିଛି ତାକୁ ଛଡ଼ାଯିବନି ବୋଲି ଧମକ ଦିଆଯାଇଛି ।
କେବଳ ସେତିକି ନୁହେଁ ସେହି ବ୍ୟକ୍ତିଙ୍କର ଏପରି ଅବସ୍ଥା କରାଯିବ ଯେମିଟି କି ସେ ଆଉ ଗୀତ ଲେଖିବାକୁ ସାହସ କରିପାରିବନି ବୋଲି ଉକ୍ତ ମେସେଜର ଲେଖାଯାଇଛି । ତେବେ କେଉଁ ଗୀତକୁ ଟାର୍ଗେଟ କରି ଏପରି ଧମକ ଦିଆଯାଇଛି ଓ କିଏ ଏହାକୁ ଲେଖିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନି। ଯଦି ସଲମାନଙ୍କ ସାହସ ଅଛି ତେବେ ତାଙ୍କୁ ବଞ୍ଚାନ୍ତୁ ବୋଲି ଖୋଲାଖୋଲି ଚେତାବନୀ ଦେଇଛି ଗ୍ୟାଙ୍ଗ l ତେବେ ଯେଉଁ ନମ୍ବରରୁ ଏହି ଧମକ ପୂର୍ଣ୍ଣ ମେସେଜ ଆସିଛି ତା’କୁ ଟ୍ରାକ୍ କରିବାକୁ ପ୍ରୟାସ ଜାରି ରଖିଛି ପୋଲିସ । ଏହି ମେସେଜ ପରେ ୱର୍ଲି ଥାନା ପୁଲିସ ମାମଲା ରୁଜୁ କରିବା ସହ ଘଟଣାର ଛାନଭିନ୍ ଚଳାଇଛି। ଗତ ମାସରେ ସଲମାନଙ୍କୁ ହତ୍ୟା ନେଇ ଏକାଧିକ ଥର ଧମକ ଆସିଥିଲା। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଠାରୁ ସଲମାନ ଖାନଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ମିଳୁଛି।
ସୂଚନାଯୋଗ୍ୟ, ଗତକାଲି ବଲିଉଡ୍ କିଙ୍ଗ ଶାହାରୁଖ ଖାନଙ୍କୁ ମଧ୍ୟ ହତ୍ୟା ଧମକ ମିଳିଥିଲା । ଶାହରୁଖ ଖାନଙ୍କୁ ଜଣେ ଦୁର୍ବୃତ୍ତ ଫୋନ କଲରେ ହତ୍ୟା ଧମକ ଦେଇଥିବା ମହାରାଷ୍ଟ୍ରର ବାନ୍ଦ୍ରା ଥାନାରେ ଲିଖିତ ଅଭିଯୋଗ ହୋଇଛି । ତେବେ ଏହି କଲ୍ ସିଧାସଳଖ ଶାହରୁଖଙ୍କ ପାଖକୁ ନଆସି ବାନ୍ଦ୍ରା ପୋଲିସକୁ ଆସିଥିଲା l ଦୁର୍ବୃତ୍ତ ଜଣଙ୍କ ପୋଲିସକୁ ଫୋନ କରି ଶାହରୁଖ ଯଦି ୫୦ ଲକ୍ଷ ଟଙ୍କା ନଦିଏ, ତେବେ ତାକୁ ମାରିଦେବି ବୋଲି କହିଥିଲା । ଯାହାକୁ ନେଇ ଏବେ ପୂରା ବଲିଉଡ ଜଗତ ଏବଂ ଶାହରୁଖଙ୍କ ଫ୍ୟାନ୍ସ ଆଚମ୍ବିତ ହୋଇଯାଇଛନ୍ତି ।