Latest Odisha News

BREAKING NEWS

Tiger Alert in Burla:ବୁର୍ଲାରେ ବାଘ ପାଦଚିହ୍ନ ଠାବ:ସ୍ଥାନୀୟ ଅଞ୍ଚଳରେ ସତର୍କତା ଜାରି

ବୁର୍ଲା: ସମ୍ବଲପୁର ବନଖଣ୍ଡ ଅନ୍ତର୍ଗତ ବୁର୍ଲା ସେକ୍ସନ ଅଧିନ ଚାନ୍ଦଲି ପାହାଡ଼ ନିକଟବର୍ତ୍ତୀ ଅଞ୍ଚଳରେ ଏକ ବାଘ ପାଦଚିହ୍ନ ଚିହ୍ନଟ କରାଯିବା ପରେ ସ୍ଥାନୀୟ ଅଞ୍ଚଳରେ ସତର୍କତା ଜାରି କରାଯାଇଛି । ତେବେ ଏହା କେଉଁ ପ୍ରଜାତିର କିମ୍ବା କେଉଁ ବାଘର ତାହା ପରୀକ୍ଷା ଓ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ସ୍ପଷ୍ଟ ଭାବରେ ନିଶ୍ଚିତ କରାଯିବ । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ଯଦି କୌଣସି ବ୍ୟକ୍ତି ବୁର୍ଲା କିମ୍ବା ଆଖପାଖ ଅଞ୍ଚଳରେ ବାଘର ଗତିବିଧି ଅଥବା କୌଣସି ସନ୍ଦେହଜନକ ଚିହ୍ନ ଦେଖନ୍ତି, ତେବେ ବିଳମ୍ବ ନ କରି ତୁରନ୍ତ ବନ ବିଭାଗ କର୍ମଚାରୀ ଓ ଅଧିକାରୀମାନଙ୍କୁ ଜଣାଇବାକୁ ଅନୁରୋଧ କରାଯାଇଛି ।

ଅନ୍ୟପକ୍ଷରେ ଜିରୋ ପଏଣ୍ଟ,ଓରାମପଡ଼ା, ଧୁଡ଼ିଆପଡ଼ା ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପଛପଟ ବସ୍ତିଗୁଡ଼ିକରେ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସତର୍କ କରାଯାଇଛି।

ଏନେଇ ସମ୍ବଲପୁର RCCF ସମ୍ରାଟ ଗୌଡ଼ାଙ୍କ ସୂଚନା ଅନୁସାରେ,”ବୁର୍ଲାର ଏହି ଅଞ୍ଚଳରେ ପୂର୍ବରୁ କଲରାପତରିଆ ଗତି ଵିଧି ଲକ୍ଷ୍ୟ କରାଯାଇଛି । ତେବେ ବର୍ତ୍ତମାନ ଯେଉଁ ପଦ ଚିହ୍ନ ଠାବ ହୋଇଛି ତାହା ମହାବଳ ବାଘ ନା କଲରାପତରିଆ ବାଘ ତାହା ସ୍ପଷ୍ଟ ହୋଇନାହିଁ । ମୂଖ୍ୟତଃ ମାଟିରେ ଆଦ୍ରତା ଅଧିକ ଥିଲେ ସେଥିରେ ପଡ଼ିଥିବା ପାଦ ଚିହ୍ନକୁ ଦେଖି ଏହା ମହାବଳ ବାଘର ନା କଲରାପତରିଆ ବାଘର ପାଦ ଚିହ୍ନ ତାହାକୁ ଜାଣିବା କଷ୍ଟକର ହୋଇଥାଏ । ତେବେ କିଛି ଦିନ ପୂର୍ବରୁ ଦେବ୍ରିଗଡ଼ ରେ ଥିବା ମହାବଳ ବାଘକୁ ଆମେ ଦେବ୍ରିଗଡ଼ରେ ହିଁ ଠାବ କରିଛୁ । ତେଣୁ ସତର୍କତାମୂଳକ ପଦକ୍ଷେପ ଭାବରେ ଆମେ ସଚେତନତା କରୁଛୁ ।”

ଏହି ଅଞ୍ଚଳରେ ଯେଉଁମାନେ ବଣଭୋଜି କରିବା, ଏକତ୍ରିତ ହେବା କିମ୍ବା ଅନାବଶ୍ୟକ ଭାବରେ ବୁଲାବୁଲି କରୁଛନ୍ତି, ସେମାନେ ତୁରନ୍ତ ସତର୍କତା ଅବଲମ୍ବନ କରନ୍ତୁ ଏବଂ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳକୁ ଯିବା ଆସିବା କମ୍ କରନ୍ତୁ ବୋଲି ବନ ବିଭାଗ ପକ୍ଷରୁ ସଚେତନତା କରାଯାଇଛି । ବାଘ ଏକ ଶାନ୍ତ କିନ୍ତୁ ଲୁଚି ରହି ଆକ୍ରମଣ କରୁଥିବା ବନ୍ୟପ୍ରାଣୀ ହୋଇଥିବାରୁ, ଏହା ସାମ୍ନା ପରିବର୍ତ୍ତେ ପଛପଟୁ ହଠାତ୍ ଆକ୍ରମଣ କରିବାର ଆଶଙ୍କା ରହିଥାଏ । ତେଣୁ ଜଙ୍ଗଲ ସଂଲଗ୍ନ ରାସ୍ତା, ପାହାଡ଼ିଆ ଅଞ୍ଚଳ ଏବଂ ବୁର୍ଲା ଆଖପାଖରେ ଚଳପ୍ରଚଳ ସମୟରେ ଲୋକମାନେ ପୂର୍ଣ୍ଣ ସଜାଗ ରହିବା ଜରୁରୀ ବୋଲି ଗୁରୁତ୍ଵାରୋପ କରାଯାଇଛି ।

Leave A Reply

Your email address will not be published.