ଭୋପାଳ: ଅନେକ ସମୟରେ ବିବାହିତା ମହିଳାମାନଙ୍କୁ ଚାକିରୀ ଛାଡିବାକୁ ବାଧ୍ୟ କରାଯାଉଥିବା ଭଳି ମାମଲା ସାମ୍ନାକୁ ଆସିଥାଏ। ଏଭଳି ଏକ ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି ଯେ ପତ୍ନୀଙ୍କୁ ଚାକିରୀ ଛାଡି ସ୍ୱାମୀଙ୍କ ଇଚ୍ଛା ଏବଂ ତାଙ୍କ ନୀତି ନିୟମ ଅନୁଯାୟୀ ବଞ୍ଚିବାକୁ ବାଧ୍ୟ କରିବା ‘କ୍ରୁରତା’ ହେବ। ଏହି ଯୁକ୍ତିକୁ ଆଧାର କରି ହାଇକୋର୍ଟ ପତ୍ନୀଙ୍କୁ ଛାଡପତ୍ର ଆବେଦନରେ ମୋହର ମାରିଛନ୍ତି।
ହାଇକୋର୍ଟ ପ୍ରଧାନ ବିଚାରପତି ସୁରେଶ କୁମାର କୈଟ ଏବଂ ଜଷ୍ଟିସ ସୁଶ୍ରୁତା ଅରବିନ୍ଦ ଧର୍ମାଧାରୀଙ୍କ ବେଞ୍ଚ ଆଇନଗତ ଦିଗ ଉପରେ ବିଚାର କରିବା ପରେ ନିମ୍ନ ଅଦାଲତର ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି।
ଇନ୍ଦୋରର ଏକ ସରକାରୀ ବିଭାଗରେ ମ୍ୟାନେଜର ଭାବରେ କାର୍ଯ୍ୟରତ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଚାକିରି ଛାଡି ଭୋପାଳରେ ରହିବାକୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି। ଯାହା ଫଳରେ ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ କିନ୍ତୁ ତାହା ଖାରଜ ହୋଇଯାଇଥିଲା। ଏହା ପରେ ସେ ଫ୍ୟାମିଲି କୋର୍ଟର ଏହି ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।
ନଭେମ୍ବର ୧୩ ରେ ପ୍ରଦାନ କରାଯାଇଥିବା ରାୟରେ ପ୍ରଧାନ ବିଚାରପତିଙ୍କ ବେଞ୍ଚ କହିଛନ୍ତି – ସ୍ୱାମୀ କିମ୍ବା ସ୍ତ୍ରୀ ଏକାଠି ରହିବାକୁ ଚାହାଁନ୍ତି କି ନାହିଁ, ଏହା ସେମାନଙ୍କର ଇଚ୍ଛା। ପତି-ପତ୍ନୀଙ୍କ ମଧ୍ୟରୁ କୌଣସି ବ୍ୟକ୍ତି ଅନ୍ୟ ପକ୍ଷକୁ ଚାକିରି ନକରିବାକୁ କିମ୍ବା ପତି-ପତ୍ନୀଙ୍କ ପସନ୍ଦ ଅନୁଯାୟୀ ଚାକିରି କରିବାକୁ ବାଧ୍ୟ କରିପାରିବେ ନାହିଁ।
ମହିଳାଙ୍କ ଓକିଲ ରାଘବେନ୍ଦ୍ର ସିଂ ରଘୁବଂଶୀଙ୍କ ସୂଚନା ଅନୁଯାୟୀ, ୨୦୧୪ରେ ବିବାହ ପରେ ମହିଳା ଏବଂ ତାଙ୍କ ସ୍ୱାମୀ ଭୋପାଳରେ ରହି ସରକାରୀ ନିଯୁକ୍ତି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ୨୦୧୭ ରେ ମହିଳା ଏକ ସରକାରୀ ଚାକିରି ପାଇଥିଲେ, କିନ୍ତୁ ତାଙ୍କ ସ୍ୱାମୀ କୌଣସି ଚାକିରୀ ପାଇନଥିଲେ। ଯାହାପରେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ହଇରାଣ କରିବା ଆରମ୍ଭ କରିଥିଲେ ଏବଂ ତାଙ୍କୁ ସରକାରୀ ଚାକିରୀ ଛାଡି ଭୋପାଳରେ ରହିବାକୁ ଚାପ ପକାଇବା ଆରମ୍ଭ କରିଥିଲେ। ଯାହାପରେ ମହିଳା ଜଣକ ଛାଡପତ୍ର ପାଇଁ ଆବେଦନ କରିଥିଲେ।