Latest Odisha News

BREAKING NEWS

‘ମୋ ପୁଅ ଠାକୁର ନୁହେଁ’: ବିବାଦ ତେଜିବା ପରେ ମୁହଁ ଖୋଲିଲେ ନାବାଳକ ବାବାଙ୍କ ବାପା

ଭୁବନେଶ୍ବର: ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମରେ ଜଣେ ନାବାଳକଙ୍କୁ କଳ୍‌କୀ ଅବତାର କହି, ତାଙ୍କ ପାଦ ତଳେ ତୁଳସୀ ଥୋଇ ପୂଜା କରିବା ପ୍ରସଙ୍ଗ ତେଜିବା ପରେ ଏବେ ଏଥିରେ ମୁହଁ ଖୋଲିଛନ୍ତି ନାବାଳକଙ୍କ ବାପା କାଶୀନାଥ ମିଶ୍ର ।

ଏନେଇ କାଶୀନାଥ ସ୍ପଷ୍ଟିକରଣ ରଖି କହିଛନ୍ତି, ମୋ ପୁଅ ଠାକୁର ନୁହେଁ । ୧୦ ବର୍ଷ ତଳେ ମୋ ପୁଅକୁ ୫ବର୍ଷ ହୋଇଥିବା ବେଳେ ଜଣେ ବନ୍ଧୁଙ୍କ ଘରେ ତା’ର ଜନ୍ମଦିନ ପାଳନ ହୋଇଥିଲା। ସେହି ଫଟୋ ପ୍ରଘଟ ହେଉଛି । ଫଟୋ ଟି ସତ ହେଲେ ସେଥିରେ ତୁଳସୀ ଥିବା କୁଚକ୍ରାନ୍ତ । ସେଥିରେ ମୁଁ କିମ୍ବା ମୋ ସ୍ତ୍ରୀ ନାହୁଁ । ତାଙ୍କ କିଛି ସହଯୋଗୀ, ଯେଉଁମାନେ ଏବେ ତାଙ୍କ ସମର୍ଥନରେ ନାହାନ୍ତି, ତାଙ୍କୁ ବଦନାମ କରିବା ଲାଗି ଚକ୍ରାନ୍ତ କରି ଜାଣିଶୁଣି ଏଭଳି କରିଛନ୍ତି । ମୋ ପୁଅ ଠାକୁର ବୋଲି ମୁଁ କେବେ ବି ପ୍ରଚାର କରିନାହିଁ  ବୋଲି କାଶୀନାଥ କହିଛନ୍ତି।

ସେପଟେ କିନ୍ତୁ ଗତକାଲି ବୈକୁଣ୍ଠ ସେବାଶ୍ରମର ସଭାପତି ପାଣ୍ଡବ ପରିଡା କହିଥିଲେ ଯେ, କୁନି ବାବା ଆମ ପାଇଁ ଠାକୁର। ୪ ବର୍ଷ ବୟସରୁ ଆମେ ବାବାଙ୍କ ଅଲୌକିକ ଦେଖି ଆସିଛୁ। ବାବା ଭବିଷ୍ୟତ କହୁଥିଲେ। ବାବା ଯାଜପୁରରେ ଜନ୍ମ ଆଉ ଖଣ୍ଡଗିରିରେ ଲୀଳା କରିବେ । ଯାହା ଶାସ୍ତ୍ରରେ ଲେଖା ହୋଇଛି ତାହା ଘଟୁଛି। ପୂର୍ବରୁ ଠାକୁର କହିଥିଲେ ମୋତେ ନିନ୍ଦା କରିବେ ଆଉ ଏବେ ନିନ୍ଦା ହେଉଛି । ବାବା ଛୋଟ ଥିବା ବେଳେ ତୁଳସୀ ଦିଆଯାଇଥିଲା ଏବେ ବାବଙ୍କ ବୟସ ୧୮ ବର୍ଷ ହୋଇଛି। ଏବେ ତାଙ୍କ ପାଦରେ ନୁହେଁ ମୁଣ୍ଡରେ ତୁଳସୀ ଦିଆଯାଉଛି।

ଯାହାକୁ ନେଇ ଏବେ ଏହି ବିବାଦ ଘନେଇବାରେ ଲାଗିଛି । ବାସ୍ତବରେ କିଏ ସତ କହୁଛି ? ଏହା ବାସ୍ତବରେ ଏକ ଚାଲ୍ ନା ଏହା ଭିତରେ ଧର୍ମକୁ ନେଇ କିଛି ବଡ ବିଭ୍ରାଟ ଚାଲିଥିଲା ? ତାହା ତଦନ୍ତ ସାପେକ୍ଷ ବୋଲି ଚର୍ଚ୍ଚା ସୃଷ୍ଟି ହୋଇଛି ।

Leave A Reply

Your email address will not be published.