ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଆଉ ଦିନଟେ ମାତ୍ର । ଏହାକୁ ନେଇ ସରଗରମ ହୋଇଛି ନିର୍ବାଚନ ମଇଦାନ । ଭୋଟରଙ୍କୁ ନିଜ ଆଡକୁ ଆକର୍ଷଣ କରିବା ପାଇଁ ନିଜ ନିଜର ରଣନୀତି ଦେଖାଇଛନ୍ତି ବିଭିନ୍ନ ଦଳ । ଜାତୀୟ ଦଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଏଠି କଡା ଟକ୍କର । ଏହାରି ଭିତରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନୀ ନାରାକୁ ନେଇ ମୋଦିଙ୍କୁ କଡା ଆକ୍ରମଣ କରିଛନ୍ତି । ମୋଦିଙ୍କ ନାରା, ‘ଏକ ହେ ତୋ ସେଫ ହେ’ କୁ କଟାକ୍ଷ କରି, ବାସ୍ତବରେ ଏହାର ଅର୍ଥ କ’ଣ ବୁଝାଇଛନ୍ତି । ଏହି ନାରାକୁ ଧାରାବି ପ୍ରୋଜେକ୍ଟ ଏବଂ ଗୌତମ ଆଦାନୀ ସହ ଯୋଡି ବିଜେପିକୁ ଘେରିଛନ୍ତି ।
ତେବେ ଆଜି ଏହାକୁ ନେଇ ରାହୁଲ ପ୍ରେସମିଟ୍ କରିଥିବା ବେଳେ ସାଙ୍ଗରେ ଏକ ବାକ୍ସ ନେଇକରି ଆସିଥିଲେ । ପ୍ରେସ ଆଗରେ ବାକ୍ସଟିକୁ ଖୋଲି ସେଥିରୁ ଦୁଇଟି ଫଟୋ ବାହାର କରିଥିଲେ । ଗୋଟେ ପୋଷ୍ଟରରେ ମୋଦିଙ୍କ ସହ ଆଦାନୀ ଫଟୋ ରହିଥିବା ବେଳେ ସେଥିରେ ‘ଏକ ହେ ତୋ ସେଫ ହେ’ ଲେଖାଥିଲା । ଆଉ ଏକ ପୋଷ୍ଟରରେ ଧାରାବି ପ୍ରୋଜେକ୍ଟର ନକ୍ସା ଦେଖେଇଥିଲେ ରାହୁଲ । ମୋଦି ଆଦାନୀ ସଂପର୍କ ନେଇ ଧାରାବୀ ପ୍ରୋଜେକ୍ଟ ଉପରେ ପ୍ରଶ୍ନ ଉଠାଇଥିଲେ ।
ମୋଦି ମହାରାଷ୍ଟ୍ରରେ ନିର୍ବାଚନ ପାଇଁ ନାରା ଦେଇଚନ୍ତି ଏକ ହେ ତୋ ସେଫ ହେ । ତାହାର ପ୍ରକୃତ ଅର୍ଥକୁ ଦର୍ଶାଇବାକୁ ଯାଇ ରାହୁଲ, ମୋଦି ଏବଂ ଆଦୀନଙ୍କ ପୋଷ୍ଟରକୁ ଦେଖେଇ କହିଛନ୍ତି, ଏହା ହେଉଛି ମୋଦିଙ୍କ ଏକ ହେ ତୋ ସେଫ ହେ ନାରା । ଏହି ନାରାର ଅର୍ଥ ମୁମ୍ବାଇର ଭବିଷ୍ୟତକୁ ବାଜିରେ ଲଗାଇବା । ସେ ଆହୁରି ମଧ୍ୟ କହିଛନ୍ତି, ଧାରାବି ପୁନର୍ବିକାଶ ଅନାବଶ୍ୟକ । ଏହା କେବଳ ଜଣେ ବ୍ୟକ୍ତି କେନ୍ଦ୍ରୀୟ ଲାଭ । କେବଳ ଜଣେ ବ୍ୟକ୍ତିଙ୍କୁ କିପରି ଭାବେ ଭାରତର ସବୁ ବନ୍ଦର, ଏୟାରପୋର୍ଟ ଏବଂ ଟଙ୍କା ଦିଆଯାଉଛି, ସେଥିରେ ଆମର ଆପତ୍ତି ରହିଛି । ସବୁ ବଡ ବଡ ପ୍ରକଳ୍ପ ମହାରାଷ୍ଟ୍ର ଠାରୁ ନେଇ ଅନ୍ୟଙ୍କୁ ଦିଆଯାଉଛି କାହିଁକି ? ମୋଟ ୭ ଲକ୍ଷ କୋଟିର ପ୍ରକଳ୍ପ ଏବଂ ୫ ଲକ୍ଷ ଚାକିରୀ ମହାରାଷ୍ଟ୍ର ଠାରୁ ଛଡାଇ ନିଆଯାଇଛି ବୋଲି କହିଛନ୍ତି ରାହୁଲ । କିନ୍ତୁ ଆମେ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛୁ, ଯଦି ଆମ ସରକାର କ୍ଷମତାକୁ ଆସେ ତାହାଲେ ଧାରାବୀ ପ୍ରୋଜେକ୍ଟ ପ୍ରଥମ କ୍ୟାବିନେଟ ହିଁ ରଦ୍ଦ କରାଯିବ ବୋଲି ମନ୍ତବ୍ୟ ରଖିଛନ୍ତି ରାହୁଲ ।
ଏଥିସହିତ ମହାରାଷ୍ଟ୍ରରେ ବିଚାରଧାରାର ଲଢେଇ ଚାଲିଛି ବୋଲି ରହୁଲ କହିଛନ୍ତି । ଆଉ ଜଣେ ଦୁଇଜଣ ଆରବପତି ଏବଂ ଗରିବଙ୍କ ମଧ୍ୟରେ ଚାଲିଛି ନିର୍ବାଚନ । ଅରବପତି ଚାହୁଁଛନ୍ତି ମୁମ୍ବାଇ ଜମି ସୋମନଙ୍କ ହାତରେ ରହୁ । ଆନୁମାନିକ ରୂପେ ଜଣେ ଅରବପତିଙ୍କୁ ୧ ଲକ୍ଷ କୋଟି ଟଙ୍କା ଦିଆଯିବ । କିନ୍ତୁ କଂଗ୍ରେସ ଜାଣିଛି, ମହାରାଷ୍ଟ୍ରରେ ଚାଷୀ, ଗରିବ ଏବଂ ଯୁବକଙ୍କୁ ସାହାର୍ଯ୍ୟ ଆବଶ୍ୟକ । ମୁମ୍ବାଇର ପରିବେଶକୁ ସ୍ବଚ୍ଛତା ଆବଶ୍ୟକ । ଯାହା କରିବାରେ ମହାରାଷ୍ଟ୍ର ସରକାର ଫେଲ୍ ମାରିଛନ୍ତି ।