ନୂଆଦିଲ୍ଲୀ: ମଣିପୁରରେ ଥମୁନି ହିଂସା, ବିଗିଡିବାରେ ଲାଗିଛି ସ୍ଥିତି । ଅପହରଣ, ହତ୍ୟା ଓ ହିଂସାରେ ଅଶାନ୍ତ ହେଉଛି ଜିରିବାମ । ଭୀଷଣ ବିକ୍ଷୋଭ ବେଳେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇ ଜଣେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଛି । ଜିରିବାମ କ୍ୟାମ୍ପରୁ ନିଖୋଜ ଗୋଟିଏ ପରିବାରର ୬ଜଣଙ୍କ ମୃତଦେହ ଉଦ୍ଧାର ହେବା ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ନିଖୋଜଙ୍କ ମଧ୍ୟରେ ୩ଜଣ ମହିଳା ଓ ୩ଜଣ ଶିଶୁ ରହିଥିଲେ । ପୂର୍ବରୁ ଶୁକ୍ରବାର ଆାସାମ-ମଣିପୁର ସୀମାରୁ ୩ଜଣଙ୍କ ମୃତଦେହ ମିଳିଥିଲା । ମଣିପୁର ସ୍ଥିତି ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦ୍ବିତୀୟ ପର୍ଯ୍ୟାୟ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ସେପଟେ ମଣିପୁର ହିଂସା ନେଇ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ।
କାହିଁକି ପୁଣି ଫେରିଲା ହିଂସା?
ମଣିପୁର ଜିରିବାମ ଜିଲ୍ଲାରେ ପୁଣି ମୁହାଁମୁହିଁ ହୋଇଛନ୍ତି କୁକି ଓ ମୈତେଇ ସଂପ୍ରଦାୟ । ନଭେମ୍ବର ୭ତାରିଖରେ ହମାର ଗାଁର ଜଣେ ଆଦିବାସୀ ମହିଳା ତଥା ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ, ହତ୍ୟା ପରେ ତାଙ୍କ ଘରକୁ ନିଆଁରେ ଜାଳି ଦେଇଥିବା ଅଭିଯୋଗ ହୋଇଥିଲା । ଜୈରଓ୍ବାନ ଗାଁରେ ସନ୍ଦିଗ୍ଧ ମୈତେଇ ଉଗ୍ରବାଦୀ ଏଭଳି ଅଭାବନୀୟ କାଣ୍ଡ କରିଥିବା ଅଭିଯୋଗ ହୋଇଥିଲା। ମୃତ ମହିଳାଙ୍ଗ ଅଟୋପ୍ସି ରିପୋର୍ଟରେ ବର୍ବରତାର ଚିହ୍ନ ସ୍ପଷ୍ଟ ବାରି ହୋଇଥିଲା। ନଭେମ୍ବର ୧୧ରେ ବୋରବେକରା ପୋଲିସ ଷ୍ଟେସନ ଓ ଜକୁରଧୋରରେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲେ ଉଗ୍ରବାଦୀ। ଏଥିରେ ୧୦ଉଗ୍ରବାଦୀଙ୍କ ମୃତ୍ୟୁ ହୋଇଥିଲା । ଘଟଣାର କିଛି ସମୟ ପରେ ହିଁ ମୈତେଇ ପରିବାରର ୬ଜଣ ସଦସ୍ୟଙ୍କୁ ଅପହରଣ କରାଯାଇଥିଲେ । ପରେ ସନ୍ଦିଗ୍ଧ କୁକି ଉଗ୍ରବାଦୀ ସେମାନଙ୍କୁ ହତ୍ୟା କରିଥିବା କୁହାଯାଉଛି। ଏମାନଙ୍କ ମଧ୍ୟରେ ୩ଜଣ ମହିଳା ଓ ୩ଜଣ ଶିଶୁ ଥିଲେ । ୮ମାସର ଶିଶୁ ମଧ୍ୟ ଉଗ୍ରବାଦୀଙ୍କ ବର୍ବରତାରୁ ରକ୍ଷା ପାଇନି। ଏହାପରେ ରାଜ୍ୟରେ ଅଶାନ୍ତ ଉଗ୍ର ରୂପ ନେଇଛି ।
ମନ୍ତ୍ରୀ, ବିଧାୟକଙ୍କ ଘରେ ଲଗାଇଲେ ନିଆଁ
କୁକି ଓ ମୈତେଇ ସଂପ୍ରଦାୟ ମୁହାଁମୁହିଁ ହୋଇଥିବା ବେଳେ ହିଂସା ଘଟଣାକୁ ନେଇ ଅଶାନ୍ତ ହୋଇଛି ମଣିପୁର । ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ବାସଭବନ ଘେରିବା ସହ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ଉତ୍ୟକ୍ତ ଲୋକେ। ୩ଜଣ ମନ୍ତ୍ରୀ ଓ ୬ବିଧାୟକଙ୍କ ବାସଭବନ ଉପରେ ଆକ୍ରମଣ ସହ ଜଳାପୋଡା ହୋଇଛି । ଉଗ୍ର ବିକ୍ଷୋଭକାରୀ ବାବୁପୁରାରେ ବିଜେପି ଓ କଂଗ୍ରେସ ଅଫିସରେ ଲୁଟପାଟ କରିବା ସହ ଭଙ୍ଗାରୁଜା କରିଥିଲେ। ସୁରକ୍ଷାକର୍ମୀ ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଗୁଳି ଚଳାଇଥିଲେ । ଏଥରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।
ଇସ୍ତଫା ମାଗିଲା କଂଗ୍ରେସ
ମଣିପୁର ସ୍ଥିତି ନିୟନ୍ତ୍ରଣ ବାହାରେ ରହିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ୍ ସିଂଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଣିପୁର ଗସ୍ତ କରିବାକୁ କହିଛି । ନଭେମ୍ବର ୨୫ରେ ସଂସଦ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ରାଜ୍ୟରେ ଶାନ୍ତି ସ୍ଥାପନ ନେଇ ସର୍ବଦଳୀୟ ବୈଠକ ଡାକିବାକୁ ଦାବି କରିଛି । ମଣିପୁର ହିଂସା ନିୟନ୍ତ୍ରଣରେ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ବିଫଳତାକୁ ଦର୍ଶାଇ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛି କର୍ଣ୍ଣଡ ସାଙ୍ଗମାଙ୍କ ଏନପିପି । ମୋଟ୍ ୬୦ ସିଟ୍ ବିଶିଷ୍ଟ ମଣିପୁର ବିଧାନସଭାରେ ବିଜେପି ପାଖରେ ୩୨ଜଣ ବିଧାୟକଙ୍କ ସମର୍ଥନ ସହ ବହୁମତ ରହିଛି । ତେବେ ରାଜ୍ୟର ସ୍ଥିତି ନେଇ ବିଜେପି ନେତା ବିଭିନ୍ନ ପଦ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି ।
ମଣିପୁରରେ ହିଂସା ଥମିବାର ନାଁ ନେଉନଥିବା ବେଳେ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି ଅମିତ ଶାହା । ଶାନ୍ତି ରକ୍ଷା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ମଣିପୁର ହିଂସାର ତାଜା ଘଟଣା ନେଇ ତଦନ୍ତ କରିବ ଏନଆଇଏ । ମଣିପୁର ରାଜଧାନୀ ଇମ୍ଫାଲରେ କମ୍ଫ୍ୟୁ ବଳବତ୍ତର ରହିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି ।