ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଖେଳିବା ପାଇଁ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଏହି ସିରିଜରେ ସ୍ମରଣୀୟ ପ୍ରଦର୍ଶନ କରିବାକୁ ପଡିବ । ତେବେ ଏହି ୫ଟି କାରଣ ଟିମ ଇଣ୍ଡିଆକୁ ଅସୁବିଧାରେ ପକାଇବ ବୋଲି ଆଶଙ୍କା କରାଯାଉଛି ।
ରୋହିତ, ବିରାଟଙ୍କ ଖରାପ ଫର୍ମ: ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଖରାପ ଫର୍ମ ଭାରତ ପାଇଁ ସବୁଠାରୁ ବଡ ସମସ୍ୟା ଭାବେ ଉଭା ହୋଇପାରେ । ଶେଷ ୧୦ଟି ଇନିଂସରେ କୋହଲି ଗୋଟିଏ ଅର୍ଦ୍ଧଶତକ ସହ ୧୯୨ ଓ ରୋହିତ ୧୩୩ ରନ କରିଛନ୍ତି । ତେବେ କୋହଲିଙ୍କ ପ୍ରଦର୍ଶନ ଅଷ୍ଟ୍ରେଲିଆରେ ଭଲ ଥିବାରୁ ପ୍ରଶଂସକମାନେ ଆଶା ବାନ୍ଧି ବସିଛନ୍ତି ।
ସାମୀଙ୍କ ଅନୁପସ୍ଥିତି: ମହମ୍ମଦ ସାମୀ ଅଷ୍ଟ୍ରେଲିଆର ଭାରତର ବୋଲିଂ ଟ୍ରମ୍ପ କାର୍ଡ ହେବେ ବୋଲି ବିବେଚନା କରାଯାଉଥିଲା । ତେବେ ତାଙ୍କ ଆଘାତ ସମସ୍ୟା ଟିମ ଇଣ୍ଡିଆକୁ ଚିନ୍ତାରେ ପକାଇଛି । ଏବେ ସେ ଫିଟ ହୋଇଥିବାରୁ ସିରିଜ ଅଧାରୁ ଦଳ ସହିତ ଯୋଗଦେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି ।
ନ୍ୟୁଜିଲାଣ୍ଡ ନିକଟରୁ ପରାଜୟ: ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ ନିକଟରୁ ଶୋଚନୀୟ ଭାବେ ପରାଜିତ ହେବା ଭାରତୀୟ ଦଳର ମନୋବଳ ଭାଙ୍ଗି ଦେଇଛି । ଏହାର ପ୍ରଭାବ ଏହି ସିରିଜ ଉପରେ ମଧ୍ୟ ପଡିପାରେ ବୋଲି ଆଶଙ୍କା କରାଯାଉଛି ।
ଡବ୍ଲ୍ୟଟିସି ଚାପ: ନ୍ୟୁଜିଲାଣ୍ଡ ନିକଟରୁ ସିରିଜ ହାରିବା ପରେ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ କରିବା ପାଇଁ ଭାରତକୁ କଠିନ ପରିଶ୍ରମ କରିବାକୁ ପଡିବ । ଏହି ସିରିଜରେ ୫ରୁ ଭାରତକୁ ୪ଟିରେ ବିଜୟ ହାସଲ କରିବାକୁ ପଡିବ ।
ଆଘାତ ସମସ୍ୟା: ଅଷ୍ଟ୍ରେଲିଆରେ ପାଦ ଦେଉ ଦେଉ ଭାରତୀୟ ଖେଳାଳିମାନେ ଜଣଙ୍କ ପରେ ଜଣେ ଆଘାତ ସମସ୍ୟାରେ ପଡିବାରେ ଲାଗିଛନ୍ତି । ଶୁଭମନ ଗିଲ, ସର୍ଫରାଜ ଖାଁ, କେଏଲ ରାହୁଲ ଆଘାତପ୍ରାପ୍ତ ହୋଇଛନ୍ତି । ଭାରତୀୟ ଖେଳାଳିମାନେ ଏଠାରେ କୌଣସି ଅଭ୍ୟାସ ମ୍ୟାଚ ଖେଳି ନ ଥିବାରୁ ଏହା ମଧ୍ୟ ସମସ୍ୟା ସୃଷ୍ଟି କରିପାରେ ।