Latest Odisha News

BREAKING NEWS

ଭାରତୀୟ ନୌସେନାର ବଡ଼ ସଫଳତା: ଆରବ ସାଗରରେ ୪୮ ଘଣ୍ଟାର ଅପରେସନ୍‌ ପରେ ଅପହୃତ ଇରାନୀ ଜାହାଜରୁ ୨୦ ଜଣ କ୍ରୁ-ସଦସ୍ୟ ସୁରକ୍ଷିତ ଭାବେ ଉଦ୍ଧାର

ନୂଆଦିଲ୍ଲୀ: ଭାରତୀୟ ନୌସେନା ପୁଣିଥରେ ଏକ ବଡ଼ ସାମୁଦ୍ରିକ ସୁରକ୍ଷା ଅଭିଯାନରେ ସଫଳତା ହାସଲ କରିଛି। ଆରବ ସାଗରରେ ସୋମାଲିଆର ସଶସ୍ତ୍ର ଜଳଦସ୍ୟୁମାନଙ୍କ ଦ୍ୱାରା ଅପହୃତ ହୋଇଥିବା ଏକ ଇରାନୀ ଜାହାଜ ‘ଆଜିନି’କୁ ଭାରତୀୟ ନୌସେନା ମୁକ୍ତ କରିଛି। କ୍ରମାଗତ ୪୮ ଘଣ୍ଟା ଧରି ଅତ୍ୟନ୍ତ ସତର୍କତା ଓ ସଫଳ ରଣନୀତି ସହ କରାଯାଇଥିବା ଏହି ଅପରେସନ୍‌ରେ ଜାହାଜରେ ଥିବା ସମସ୍ତ ୨୦ ଜଣ କ୍ରୁ-ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

 *ମୁମ୍ବାଇଠାରୁ ପ୍ରାୟ ୩,୦୦୦ କିଲୋମିଟର ଦୂର ସମୁଦ୍ର ମଧ୍ୟରେ ଏହି ସଫଳ ଅଭିଯାନ ସମ୍ପନ୍ନ ହୋଇଛି। ଅକ୍ଟୋବର ୨୯ ତାରିଖରେ ଏହି ଇରାନୀ ଜାହାଜକୁ ଜଳଦସ୍ୟୁମାନେ ଅପହରଣ କରିଥିଲେ। ଭାରତୀୟ ନୌସେନା ତୁ୍‌ରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜାହାଜକୁ ଠାବ କରିବା ସହ ଏହାକୁ ଚାରିପଟୁ ଘେରି ଯାଇଥିଲା। ନୌସେନାର ଏହି ପରାକ୍ରମ ଏବଂ ଦୃଢ଼ କାର୍ଯ୍ୟପନ୍ଥା ଯୋଗୁଁ ଜଳଦସ୍ୟୁମାନଙ୍କୁ କାବୁ କରାଯାଇ ବନ୍ଧକ ଥିବା ସମସ୍ତ କ୍ରୁ-ସଦସ୍ୟଙ୍କୁ ମୁକ୍ତ କରାଯାଇପାରିଛି।

ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳତା ପାଇଁ ଭାରତୀୟ ନୌସେନାକୁ ଅଭିନନ୍ଦନ ଜଣାଇଛନ୍ତି। ଭାରତୀୟ ମହାସାଗର କ୍ଷେତ୍ରରେ ସାମୁଦ୍ରିକ ସୁରକ୍ଷା ରକ୍ଷା କରିବା ଏବଂ ଜୀବନ ବଞ୍ଚାଇବାରେ ଭାରତ ସର୍ବଦା ଏକ ପ୍ରମୁଖ ଏବଂ ନିର୍ଭରଯୋଗ୍ୟ ସୁରକ୍ଷା ଭାଗୀଦାରୀ ଭାବେ ନିଜର ପ୍ରତିବଦ୍ଧତାକୁ ପୁଣିଥରେ ପ୍ରମାଣିତ କରିଛି।

ଏସୋସିଏଟେଡ୍ ପ୍ରେସର ରିପୋର୍ଟ ଅନୁଯାୟୀ, ଉତ୍ତର-ପୂର୍ବ ସୋମାଲିଆର ‘ବନ୍ଦର ବାୟଲା’ ଏବଂ ‘ହାଫୁନ୍’ ଉପକୂଳବର୍ତ୍ତୀ ସହର ମଧ୍ୟରେ ଇରାନୀ ଜାହାଜ ‘ଆଜିନି’କୁ ଜଳଦସ୍ୟୁମାନେ ଅପହରଣ କରିଥିଲେ।

ସାମୁଦ୍ରିକ ବାଣିଜ୍ୟର ସୁରକ୍ଷା, ନାବିକମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ଏବଂ ଜଳଦସ୍ୟୁମାନଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ଭାରତୀୟ ନୌସେନା ସର୍ବଦା ତତ୍ପର ରହିଛି। ଏହାର ଏକ ଅଂଶବିଶେଷ ଭାବେ, ୨୦୦୮ ମସିହା ଅକ୍ଟୋବର ୨୩ ତାରିଖରୁ ଆଜି ପର୍ଯ୍ୟନ୍ତ କ୍ରମାଗତ ଭାବେ ଗୋଟିଏ ଲେଖାଏଁ ଭାରତୀୟ ଯୁଦ୍ଧପୋତ ଆଡେନ୍ ଉପସାଗରରେ ଦିନରାତି (୨୪ ଘଣ୍ଟା) ଜଳଦସ୍ୟୁ ବିରୋଧୀ ପାଟ୍ରୋଲିଂ ବା ପହରା ଜାରି ରଖିଛି।

Leave A Reply

Your email address will not be published.