ଭୁବନେଶ୍ୱର: ଦିନକ ପରେ ଆରମ୍ଭ ହେବ ଧାନ କିଣା। ଚାଷୀ ଖରିଫ ଧାନ ଅମଳ କରିବା ସମୟ ଆସି ଯାଇଥିବାରୁ ତୁରନ୍ତ ମଣ୍ଡି ଖୋଲି କିଣିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଧାନ କିଣା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ଆସିଛି। କାଲିଠୁ ବରଗଡ଼ ଓ ୨୧ରେ ସମ୍ବଲପୁରରେ ଧାନ କିଣା ଆରମ୍ଭ ହେବ।
ଧାନ କିଣା ଆରମ୍ଭରୁ ବିକ୍ରି ପର୍ଯ୍ୟନ୍ତ ମଣ୍ଡିରେ ରହିବେ ଅଧିକାରୀ। କଟନୀ ଛଟନୀ ସହ ଚାଷୀ ଉପଯୁକ୍ତ ମୂଲ୍ୟ ପାଉଛି କି ନାହିଁ ସେ ନେଇ ତଦାରଖ କରିବେ। ୪ରୁ ୫ ମଣ୍ଡିକୁ ନେଇ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି। ସେହିପରି ଦଲାଲମାନେ ଯେପରି ମଣ୍ଡିକୁ ନଆସିବେ ପାଟ୍ରୋଲିଂ କରାଯିବ। ୮୦୦ ଟଙ୍କା ସବ୍ସିଡି ପାଇବା ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।
ଚାଷୀଙ୍କ ଠାରୁ ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣିବେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ସହିତ ରାଜ୍ୟ ସରକାର ଇନ୍ପୁଟ ସହାୟତା ୮୦୦ ଟଙ୍କା ମିଶାଇ ଦେବେ। ସେହିପରି ୨୨ ତାରିଖରୁ ସମ୍ବଲପୁରରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ।
ଗତକାଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଥିଲେ, ମନ ଇଚ୍ଛା କଟନିଛଟନି ହେବ ନାହିଁ, ଯେତେ କମ୍ ହେବ। ଯେଉଁଠି ଏଫ.ଏ.କ୍ୟୁ ମାନ କମ୍ ଥିବ ଏବଂ ଧାନରେ ଆର୍ଦ୍ରତା ଥିବ, ସେଠାରେ କେତେ ପ୍ରତିଶତ କଢ଼ାଯିବ, ତାହା ନିର୍ଦ୍ଧାରିତ କରାଯିବ। ତେବେ ସୁରୁଖୁରୁରେ କିଭଳି ଧାନ କିଣା ହେବ, ସେନେଇ ପ୍ରସ୍ତୁତି ହୋଇଥିବା କହିଥିଲେ କେଭି ସିଂହଦେଓ ।