ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଉପରେ ପ୍ରତିଯୋଗିତା ଆୟୋଗ ଅଫ୍ ଇଣ୍ଡିଆ (ସିସିଆଇ) ଏକ ବଡ଼ ଜୋରିମାନା ଲଗାଇଛି।
୨୦୨୧ ମସିହାରେ କମ୍ପାନୀ ଦ୍ବାରା ଜାରି କରାଯାଇଥିବା ହ୍ବାଟ୍ସଆପର ଗୋପନୀୟତା ନୀତି ଉପରେ ସିସିଆଇ ୨୧୩ କୋଟିର ଏହି ଜୋରିମାନା ଲାଗୁ କରିଛି।
ତେବେ ଏହା ଉପରେ ପ୍ରତିକ୍ରିୟା ରଖି ମେଟା କହିଛି ଯେ ୨୦୨୧ ମସିହାରେ ଆସିଥିବା ଅପଡେଟ୍ ଦ୍ୱାରା ବ୍ୟବହାରକାରୀଙ୍କ ପ୍ରାଇଭେସିରେ କୌଣସି ପ୍ରକାରର ପରିବର୍ତ୍ତନ କରାଯାଇନଥିଲା ଏବଂ ସେମାନଙ୍କର ସମସ୍ତ ବ୍ୟକ୍ତିଗତ ମେସେଜ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ଏନେଇ ମେଟା ମୁଖପାତ୍ର କହିଛନ୍ତି ଯେ “ଆମେ ସିସିଆଇର ନିଷ୍ପତ୍ତି ସହିତ ସହମତ ନୁହଁ ଏବଂ ଏହା ବିରୁଦ୍ଧରେ ଆମେ ଆବେଦନ କରିବୁ”।
ତେବେ ଏହି ପଦକ୍ଷେପ ୨୦୨୧ର ନୀତିକୁ ନେଇ ଉଠାଯାଇଛି। ଏହି ନୀତି ଅନୁସାର କମ୍ପାନୀ ଉପଭୋକ୍ତାମାନଙ୍କ ତଥ୍ୟ ସଂଗ୍ରହ କରି ଏହାକୁ ଅନ୍ୟ କମ୍ପାନୀଗୁଡିକ ସହିତ ସେୟାର କରିବା ନେଇ ଅଭିଯୋଗ ହୋଇଥିଲା। ଯାହାକୁ ନେଇ ପରବର୍ତ୍ତୀ ସମୟରେ କମ୍ପାନୀକୁ ସ୍ପଷ୍ଟୀକରଣ ମଧ୍ୟ ଦେବାକୁ ପଡିଥିଲା।
ଉଲ୍ଲେଖଯୋଗ୍ୟ, କେବଳ ଦେଶରେ ହ୍ବାଟ୍ସଆପର ମାସିକ ୫୦୦ ମିଲିୟନରୁ ଅଧିକ ସକ୍ରିୟ ୟୁଜର୍ସ ଅଛନ୍ତି। ନିୟାମକ ମାର୍ଚ୍ଚ ୨୦୨୧ରେ ହ୍ବାଟ୍ସଆପର ରିଭାଇଜଡ୍ ପ୍ରାଇଭେସି ପଲିସିର ଯାଞ୍ଚ ଆରମ୍ଭ କରିଥିଲେ। ସିସିଆଇ ନିଜ ଯାଞ୍ଚରୁ ଜାଣିବାକୁ ପାଇଥିଲା ଯେ, ହ୍ୱାଟସ୍ଆପ୍ର ‘ଟେକ୍-ଇଟ୍ ଔର୍ ଲିଭ୍-ଇଟ୍’ ପଲିସି ଠିକ୍ ନୁହେଁ।