ନୂଆଦିଲ୍ଲୀ: ସୋସିଆଲ ମିଡିଆ କମ୍ପାନୀ ମେଟା ଉପରେ ୨୧୩.୧୪ କୋଟି ଟଙ୍କା ଜୋରିମାନା ଲାଗୁ କରିବାକୁ ପ୍ରତିଯୋଗୀତା ଆୟୋଗ (ସିସିଆଇ) ର ନିଷ୍ପତ୍ତି ସହ ସହମତ ନୁହେଁ ବୋଲି କହିଛି ମେଟା। ଏହାସହ ଏହା ବିରୋଧରେ ଆବେଦନ କରିବାକୁ ଯୋଜନା କରିଛି। ସୋମବାର ସୋସିଆଲ ମିଡିଆ କମ୍ପାନୀ ମେଟା ଉପରେ ସିସିଆଇ ୨୧୩.୧୪ କୋଟି ଟଙ୍କା ଜରିମାନା କରିଛି। ଏହାକି ନେଇ ଭାରତ ସରକାର ଓ ଆମେରିକୀୟ ଟେକ୍ନୋଲୋଜି କମ୍ପାନୀ ମେଟା ମଧ୍ୟରେ ପୁଣି ଥରେ ବିବାଦ ଆରମ୍ଭ ହୋଇଛି।
ସୋମବାର ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ହ୍ବାଟ୍ସଆପ୍ରେ ଡେଟା ସେୟାରିଂକୁ ନେଇ ଭାରତ ସରକାରଙ୍କ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ପ୍ରମୁଖ ଜାତୀୟ ପ୍ରତିଯୋଗିତା ନିୟାମକ ସଂସ୍ଥା ‘କମ୍ପିଟିସନ କମିଶନ ଅଫ୍ ଇଣ୍ଡିଆ(ସିସିଆଇ)’ ମେଟା ଉପରେ କଟାକଣା ଲଗାଇଥିଲା। ହ୍ବାଟ୍ସଆପ୍ରେ କୌଣସି ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟକୁ ୫ ବର୍ଷ ଯାଏ ମେଟା ନିଜର ବିଭିନ୍ନ ପ୍ଲାଟ୍ଫର୍ମରେ ବିଜ୍ଞାପନ ପାଇଁ ବ୍ୟବହାର କରିପାରିବ ନାହିଁ ବୋଲି ସିସିଆଇ ନିର୍ଦ୍ଦେଶ ଦେବା ସହ କମ୍ପାନୀ ଉପରେ ୨୫.୪ ମିଲିୟନ ଡଲାର (୨୧୩ କୋଟି ଟଙ୍କା) ଜରିମାନା ଲଗାଇଥିଲେ।
ବ୍ୟବସାୟିକ ଲାଭ ପାଇଁ ୨୦୨୧ରେ ହ୍ବାଟ୍ସଆପ୍ ପ୍ରାଇଭେସି ପଲିସିକୁ ଅପ୍ଡେଟ କରାଯାଇଥିବା ଦର୍ଶାଇ ସିସିଆଇ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଥିଲା।
ସିସିଆଇର ଏହି ନିର୍ଦ୍ଦେଶରେ କମ୍ପାନୀ ସହମତ ନୁହେଁ ବୋଲି ମଙ୍ଗଳବାର ମେଟାର ଜଣେ ମୁଖପାତ୍ର କହିଛନ୍ତି। ସିସିଆଇ ପକ୍ଷରୁ ଲଗାଯାଇଥିବା ଜରିମାନାକୁ ଭୁଲ୍ ଦର୍ଶାଇ ମେଟା ଏହା ବିରୋଧରେ ଅପିଲ କରିବାକୁ ଯୋଜନା କରୁଥିବା ସେ କହିଛନ୍ତି।
ହ୍ବାଟ୍ସଆପରେ ଆସିଥିବା ଅପ୍ଡେଟ ଯୋଗୁଁ ଯେପରି କୌଣସି ଆକାଉଣ୍ଟ ଡିଲିଟ ନହୁଏ ଏବଂ ସେବା ବାଧାପ୍ରାପ୍ତ ନହୁଏ ସେଥିପ୍ରତି ମେଟା ପକ୍ଷରୁ ଦୃଷ୍ଟି ଦିଆଯାଇଥିଲା। ହ୍ବାଟ୍ସଆପ୍ରେ ବୈକଳ୍ପିକ ବ୍ୟବସାୟିକ ସୁବିଧା ଆରମ୍ଭ ଲକ୍ଷ୍ୟରେ ଉକ୍ତ ଅପ୍ଡେଟ ରହିଥିଲା ବୋଲି ମେଟା କହିଛି।