Latest Odisha News

ବିରଜା ହାଟରେ ଚାପା ଉତ୍ତେଜନା: ସାମୟିକ ସ୍ଥଗିତ, ବ୍ୟାପକ ପୋଲିସ ମୁତୟନ

ଯାଜପୁର: ବିରଜା ହାଟ ସାମୟିକ ଭାବେ ବନ୍ଦ କଲା ପ୍ରଶାସନ। ସାମୟିକ ଭାବେ ବନ୍ଦ ଘୋଷଣା ନିର୍ଦ୍ଦେଶ ଦେଲେ ଉପଜିଲ୍ଲାପାଳ। ହାଟ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି। ଗୋଟିଏ ଗୋଷ୍ଠୀ ହାଟ ନୂଆ ସ୍ଥାନକୁ ସ୍ଥାନାନ୍ତର ଦାବିରେ ଅଟଳ ଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ପୁରୁଣା ସ୍ଥାନରେ ହାଟ ହେଉ ଚାହୁଁଛନ୍ତି। ଫଳରେ ବିରଜା ହାଟରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ରାସ୍ତାରୋକ ଓ ସାମ୍ନାସାମ୍ନି ସ୍ଥିତିକୁ ଦେଖି ପୋଲିସ ମୁତୟନ କରାଯାଇଛି।

ସେହିପରି ବିରଜା ପରିକ୍ରମା ପ୍ରକଳ୍ପ ପାଇଁ ଏଠାରେ ଥିବା ପୁରାତନ ହାଟକୁ ସନ୍ଥମାଧବକୁ ସ୍ଥାନାନ୍ତର କରାଯାଇଛି। କିନ୍ତୁ ନିର୍ବାଚନ ପରେ ସେଇ ପୁରୁଣା ହାଟକୁ ପୁନଃ ପ୍ରତିଷ୍ଠା ପାଇଁ କେତେକ ଲୋକ ଉଦ୍ୟମ କରୁଛନ୍ତି। ଯାହାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଶାନ୍ତି ପାଇଁ ପ୍ରଶାସନ ଅପିଲ କରିଛି। ଘଟଣାସ୍ଥଳରେ ଯାଜପୁର ତହସିଲଦାରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମଧ୍ୟ ମୁତୟନ କରାଯାଇଛି ।

ଅନ୍ୟପଟେ ଗତକାଲି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଗାଡିକୁ ଆକ୍ରମଣ ହୋଇଥିଲା । ବିଧାୟକ ଡିଡିଏମ ଅଫିସ ଯାଉଥିବା ବେଳେ ବୁଢାଘାଟ ନିକଟରେ ବିଧାୟକଙ୍କ ଗାଡିକୁ ବି ଆକ୍ରମଣ କରାଯାଇଥିଲା । ଗାଡିରେ ବିଧାୟକ ବସିଥିବା ବେଳେ ତାଙ୍କୁ ଆକ୍ରମଣ ହୋଇଥିଲା । ଆକ୍ରମଣରେ ବିଧାୟକଙ୍କ ଗାଡି ଭାଙ୍ଗିଯାଇଥିଲା । ଆକ୍ରମଣ ଘଟଣାକୁ ନେଇ ପରିସ୍ଥିତି ଉତ୍ତେଜନାମୂଳକ ରହିଛି। ଏହି ଘଟଣାର ତଦନ୍ତ ପ୍ରକ୍ରିୟା ନିମନ୍ତେ ପୋଲିସ୍‌ ୩ଟି ଟିମ୍ ଗଠନ କରିଥିବା ବେଳେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଏହି ଘଟଣା ପରେ ଧର୍ମଶାଳାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଗତ ରାତିରୁ ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଖୋଜୁଛି। ଏହି ମାମଲାରେ ପୋଲିସ ୬ ଜଣଙ୍କୁ ଅଟକ ରଖିଛି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନାହିଁ ।

Leave A Reply

Your email address will not be published.