ନୂଆଦିଲ୍ଲୀ: ଭାରତ ସରକାରଙ୍କ ପବ୍ଲିକ୍ ସର୍ଭିସ ବ୍ରୋଡକାଷ୍ଟର ପ୍ରସାର ଭାରତୀ ଏବେ ନିଜସ୍ୱ ଓଟିଟି ପ୍ଲାଟଫର୍ମ ଲଞ୍ଚ୍ କରିଛି । ନେଟ୍ଫ୍ଲିକ୍ସ, ଆମାଜନ ପ୍ରାଇମ୍, ଜିଓ ସିନେମା ଏବଂ ହଟ୍ଷ୍ଟାର ଭଳି ଏବେ ପ୍ରସାର ଭାରତୀ ନିଜର ଓଟିଟି ପ୍ଲାଟଫର୍ମ ‘ଓ୍ବେଭ୍ସ’ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ ୨୦୨୪ରେ ଲଞ୍ଚ କରିଛି । ଭାରତୀୟ ସଂସ୍କୃତି ଏବଂ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ଲକ୍ଷରେ ପ୍ରସାର ଭାରତୀ ବର୍ତ୍ତମାନ ଘରୋଇ ପ୍ଲାଟଫର୍ମ ସହ ପ୍ରତିଦ୍ୱନ୍ଦିତା କରିବ । ପ୍ରାଥମିକ ସ୍ତରରେ ପ୍ଲାଟଫର୍ମକୁ ପ୍ରୋତ୍ସାହିତ କରିବା ପାଇଁ ନିଃଶୁଳ୍କ ବିଷୟବସ୍ତୁ ପ୍ରସାରିତ କରାଯିବ ।
ବୁଧବାର ଆଇଏଫଏଫଆଇ ୨୦୨୪ରେ ନୂତନ ଭାବେ ଉନ୍ମୋଚିତ ହୋଇଥିବା ଏହି ଓଟିଟି ପ୍ଲାଟଫର୍ମରେ ଦୂରଦର୍ଶନ ଏବଂ ଆକାଶବାଣୀ ଚ୍ୟାନେଲର ସମସ୍ତ ଚ୍ୟାନେଲ ଉପଲବ୍ଧ ହେବ । ଏଥିସହିତ ୩୮ ଟି ଚ୍ୟାନେଲର ଲାଇଭ୍ ଉପଲବ୍ଧ ହେବା ସହିତ ମନୋରଞ୍ଜନ ନେଟଓ୍ବାର୍କ ବିଫୋରୟୁ, ସବ୍ ଗ୍ରୁପ୍, ନାଇନ୍ ଏକ୍ସ ମିଡିଆ ସମତେ ନ୍ୟୁଜ୍ ଚ୍ୟାନେଲ, ଏନଡିଟିଭି ଇଣ୍ଡିଆ, ଏବିପି ନ୍ୟୁଜ୍, ନ୍ୟୁଜ୍ ଟ୍ବେଣ୍ଟି ଫୋର୍, ରିପବ୍ଲିକ୍, ନ୍ୟୁଜ୍ ନେସନ୍ ଏବଂ ଇଣ୍ଡିଆ ଟୁଡେ ସହିତ ଅନେକ ଘରୋଇ ନ୍ୟୁଜ୍ ଚ୍ୟାନେଲ ମଧ୍ୟ ପ୍ରସାରିତ ହେବ । ତେବେ ସବୁ ଲାଇଭ୍ ଚ୍ୟାନେଲ ବ୍ୟତୀତ, ଏଥିରେ ଦର୍ଶକଙ୍କ ଚାହିଦା ବିଷୟବସ୍ତୁ, ଯେମିତିକି, ଫିଲ୍ମ, ଖେଳ ଏବଂ ଲାଇଭ୍ ପାଇଁ ଏକ ସେକ୍ସନ ମଧ୍ୟ ମିଳିବ ।
ତେବେ ଏହି ବର୍ଷ ଆରମ୍ଭରେ ପ୍ରସାର ଭାରତ ବିଭିନ୍ନ ଟିଭି ଚ୍ୟାନେଲଗୁଡ଼ିକୁ ପ୍ଲାଟଫର୍ମରେ ଯୋଗଦେବାକୁ ଆମନ୍ତ୍ରଣ କରିଥିଲା । ଯେଉଁଥିରେ ଅଂଶଗ୍ରହଣକାରୀ ପ୍ରସାରଣକାରୀମାନେ ବିଜ୍ଞାପନର ୬୫ ପ୍ରତିଶତ ପାଇବା ବେଳେ ଆଉ ୩୫ ପ୍ରତିଶତ ପ୍ରସାର ଭାରତୀ ରଖିବ ବୋଲି ପ୍ରସ୍ତାବ ଦେଇଥିଲା ।