ଭୁବନେଶ୍ବର: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ହାତୀ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଲେ ଜଙ୍ଗଲ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି ଏହି ଘଟଣାରେ ଡିଏଫଓଙ୍କୁ ତାଗିଦ କରାଯାଇଛି । ସେ ଡ୍ୟୁଟିରେ ଅବହେଳା କରିଥିବା କାରଣରୁ ତାଙ୍କୁ ଟ୍ରାନ୍ସଫର କରିବା ପାଇଁ ବିଭାଗ ପକ୍ଷରୁ ଯୋଜନା କରାଯାଉଛି ।
ତଳସ୍ତରେ ସମ୍ପୃକ୍ତ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସସପେଣ୍ଡ କରାଯାଇଛି । ରେଞ୍ଜରଙ୍କ ବିରୋଧରେ ପିସିସିଏଫ ସ୍ତରରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତାଙ୍କୁ ଘଟଣାରେ ସ୍ପଷ୍ଟୀକରଣ ରଖିବାକୁ କୁହାଯାଇଛି । ଏନେଇ ପିସିସିଏଫ ସ୍ତରରେ ତର୍ଜମା ଚାଲିଛି ବୋଲି ଜଙ୍ଗଲ ମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ଘୋଷରାମାଳ ଫରେଷ୍ଟ ସେକ୍ସନ ବୁରୋମାଳ ଜଙ୍ଗଲ ସଂଲଗ୍ନ ଚାଷଜମି ନିକଟରେ ବାରହା ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ଟି ହାତୀଙ୍କ ମୃତ୍ୟୁ ହୋଇଥିଲା । ସେଥିରେ ଥିଲେ ଗୋଟିଏ ଶାବକ ସହ ୨ଟି ମାଈ ହାତୀ । ଏଥିରେ ୪ ବନକର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ।