Latest Odisha News

ମଧ୍ୟପ୍ରାଚ୍ୟରେ ବନ୍ଦ ହେବ ଯୁଦ୍ଧ!

ଜେରୁଜେଲମ: ଇସ୍ରାଏଲ-ହିଜବୁଲ୍ଲା ଯୁଦ୍ଧରେ ଲାଗିଲା ଅସ୍ତ୍ରବିରତି ବିରାମ। ଲେବାନନ୍ ସହ ଅସ୍ତ୍ରବିରତି ଚୁକ୍ତିନାମାକୁ ଇସ୍ରାଏଲ୍ କ୍ୟାବିନେଟର ସମର୍ଥନ। ଚୁକ୍ତିନାମାକୁ ସମର୍ଥନ କରିଥିବାରୁ ଯୁଦ୍ଧରେ ପଡ଼ିପାରେ ପୂର୍ଣ୍ଣଚ୍ଛେଦ। ନିଷ୍ପତ୍ତିକୁ ସମର୍ଥନ କଲେ ଆମେରିକା ସହ ଅନ୍ୟ ରାଷ୍ଟ୍ର ମୁଖ୍ୟ। ଚୁକ୍ତି ଭଂଗ କଲେ ଛାଡ଼ିବୁନି ବୋଲି ଇସ୍ରାଏଲ୍‌ ଦେଲା ଚେତାବନୀ।

ଆସନ୍ତା ୬୦ ଦିନ ମଧ୍ୟରେ ଲେବାନନ୍ ସେନା ଏବଂ ସୁରକ୍ଷା ବାହିନୀ ଦକ୍ଷିଣ ଲେବାନନରେ ନିୟୋଜିତ ହେବେ। ଏମାନେ ହେଜବୁଲ୍ଲା ଦ୍ୱାରା ନିୟନ୍ତ୍ରିତ ଅଞ୍ଚଳକୁ ନିୟନ୍ତ୍ରଣ କରିବେ। ସୀମାର ଉଭୟ ପାର୍ଶ୍ୱରେ ସାଧାରଣ ନାଗରିକ ନିଜ ଘରକୁ ଫେରିବା ପାଇଁ ଇସ୍ରାଏଲ ଆସନ୍ତା ୬୦ ଦିନରେ ନିଜର ସୈନ୍ୟ ପ୍ରତ୍ୟାହାର କରିବ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ଆମେ ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବୁ ହେଲେ ଏଥିରେ କୌଣସି ପ୍ରକାର ଉଲ୍ଲଂଘନ ହେଲେ ଜବରଦସ୍ତ ଜବାବ ଦେବୁ।

ସେପଟେ ଆମେରିକା ରାଷ୍ଟ୍ରପତି ସୋଶାଲ ମିଡିଆ ଏକ୍ସରେ ଏହାକୁ ଗୁଡ୍ ନ୍ୟୁଜ ବୋଲି ଲେଖିଛନ୍ତି। ଜୋ ବାଇଡେନ କହିଛନ୍ତି, ବିବାଦ ଶେଷ କରିବାକୁ ଇସ୍ରାଏଲ ଏବଂ ଲେବାନନ ପ୍ରସ୍ତାବରେ ସହମତ ହୋଇଛନ୍ତି। ହେଜବୁଲ୍ଲା କିମ୍ବା ଅନ୍ୟ କେହି ଏହି ଚୁକ୍ତି ଭଙ୍ଗ କଲେ ଇସ୍ରାଏଲ ଆତ୍ମରକ୍ଷା ଅଧିକାରକୁ ବଜାୟ ରଖିବ।

ପ୍ରକୃତରେ, ପାଲେଷ୍ଟାଇନର ଉଗ୍ରବାଦୀ ଗୋଷ୍ଠୀ ହମାସ୍ ସହିତ ଇସ୍ରାଏଲ୍ ଯୁଦ୍ଧ ଆରମ୍ଭ କରିଥିଲା। ଗାଜା ସହରରେ ହମାସ୍ ଗୋଷ୍ଠୀକୁ ଧ୍ୱଂସ କରିବାକୁ ଇସ୍ରାଏଲ୍ ଯୁଦ୍ଧବିମାନ ସଂକଳ୍ପ ନେଇଥିଲା। କ୍ରମାଗତ ଭାବରେ ଆକ୍ରମଣ କରାଯାଇଥିଲା। ଉଭୟଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଗାଜାରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏହି ସମୟରେ, ଇସ୍ରାଏଲ୍ ଦ୍ବାରା ହମାସ୍ ପରାସ୍ତ ହେଉଥିବାର ଦେଖି ଲେବାନନ୍ ଉଗ୍ରବାଦୀ ଦଳ ହିଜବୁଲ୍ଲା ହମାସ୍ ସହିତ ମିଳିତ ହୋଇ ଏହାକୁ ସମର୍ଥନ କରି ଇସ୍ରାଏଲ୍କୁ‌ ଧମକ ଦେବା ଆରମ୍ଭ କରିଥିଲା।

ଧମକ ଦେଇ ହିଜବୁଲ୍ଲା ଇସ୍ରାଏଲ୍ ଉପରେ ଆକ୍ରମଣ ଆରମ୍ଭ କରିଥିଲା। ଏହା ପରେ ଇସ୍ରାଏଲ୍ ସିଧାସଳଖ ହମାସ୍ ଏବଂ ହିଜବୁଲ୍ଲାର ମୁକାବିଲା ପାଇଁ ଅଣ୍ଟାଭିଡ଼ିଥିଲା। ଇସ୍ରାଏଲ୍ ଲେବାନନ୍ ଉପରେ ଏକାଧିକ ଥର ଆକ୍ରମଣ କରିଥିଲା। ନିକଟରେ ଇସ୍ରାଏଲ୍ ଏୟାର ଷ୍ଟ୍ରାଇକରେ ଲେବାନନ୍‌ରେ ପ୍ରାୟ ୫୦୦ଲୋକଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ପେଜର୍ ଏବଂ ୱାକି-ଟକି ଉପକରଣରେ ବିସ୍ଫୋରଣ ଲେବାନନ୍‌ରେ ଆତଙ୍କ ସୃଷ୍ଟି କରିଥିଲା ​। ବର୍ତ୍ତମାନ ସୁଦ୍ଧା ଲେବାନନ୍‌ରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି।

ଏହା ସହିତ ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ ଜାରି ରହିଛି। ଲେବାନନ୍‌ରେ ଇସ୍ରାଏଲ୍ ନିର୍ଦ୍ଦିଷ୍ଟ ଭାବରେ ଆକ୍ରମଣ କରୁଛି। ଶନିବାର ଇସ୍ରାଏଲ୍ ଏକ ନୂତନ ଆକ୍ରମଣ କରିଥିଲା। ଏଥିରେ ୨୮ ଜଣଙ୍କର ମୃତ୍ୟୁ ଘଟିଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କେନ୍ଦ୍ରୀୟ ବେରୁଟରେ ହୋଇଥିବା ଇସ୍ରାଏଲ୍ ଏୟାର ଷ୍ଟ୍ରାଇକରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ରାଜଧାନୀର ଉତ୍ତର-ପୂର୍ବରେ ହୋଇଥିବା ଆକ୍ରମଣରେ ଅନ୍ୟ ୧୩ ଜଣଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.