Latest Odisha News

ଧାନମଣ୍ଡିରେ ଅବ୍ୟବସ୍ଥା ରୋକିବ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ , ଜାରି ହେଲା ଟୋଲ୍ ଫ୍ରି ନମ୍ବର

ଧାନ ସଂଗ୍ରହ ସମୟରେ ରହିବ ତୀକ୍ଷ୍ଣ ନଜର

ଟୋଲଫ୍ରି ନଂ ୧୯୬୭ ମାଧ୍ୟମରେ କରିହେବ ଅଭିଯୋଗ

ଭୁବନେଶ୍ୱର: ଆଉ ଧାନମଣ୍ଡିରେ ହେବନି ଅବ୍ୟବସ୍ଥା। ଧାନମଣ୍ଡିରେ ଅବ୍ୟବସ୍ଥା ରୋକିବାକୁ ଆରମ୍ଭ ହେଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ଆଜି ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ପରିସରରେ ଏହି କଣ୍ଟ୍ରୋଲ ରୁମ୍‌ର ଉଦ୍‌ଘାଟନ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ମଧ୍ୟ ଜାରି ହେଲ ଟୋଲ ଫ୍ରି ନମ୍ବର। ଟୋଲ୍ ଫ୍ରି ନମ୍ବର ୧୯୬୭ରେ କଲ୍ କରିପାରିବେ ଚାଷୀ । ଏହି ନମ୍ବରରେ ଫୋନ୍ କରି ମଣ୍ଡିର ଅସୁବିଧା ନେଇ ଚାଷୀ ଅଭିଯୋଗ କରିପାରିବେ। କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଦ୍ବାରା ସବୁ ମଣ୍ଡିର ସିସିଟିଭି ଅନୁଧ୍ୟାନ ହେବ। ଅଭିଯୋଗ ଆସିଲେ ନୋଡାଲ ଅଧିକାରୀ ଘଟଣାସ୍ଥଳକୁ ତୁରନ୍ତ ଯିବେ ବୋଲି ଜାଣିବାକୁ ମିଳିଛି।

ରାଜ୍ୟରେ କୃଷକ ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ମଣ୍ଡିରେ ଧାନ ସଂଗ୍ରହ ସମୟରେ କୌଣସି ଅନିୟମିତତାର ଅଭିଯୋଗ ଆସିଲେ ଏହା ଉପରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ପରିସରରେ ନିର୍ଦ୍ଦେଶ ନିୟନ୍ତ୍ରଣ ଏବଂ ଅଭିଜ୍ଞତା କେନ୍ଦ୍ର(Command Control cum Experience Center) ଶୁଭାରମ୍ଭ କରିଛନ୍ତି  ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଧାନ ବିକ୍ରୟ ପ୍ରକ୍ରିୟାରେ କୌଣସି ସମସ୍ୟା ଥିଲେ ଏହାଦ୍ୱାରା ଚାଷୀ ମାନେ ତୁରନ୍ତ ସେମାନଙ୍କ ଅଭିଯୋଗ କରିପାରିବେ । କୌଣସି ଅଭିଯୋଗ ଥିଲେ ଟୋଲ ଫ୍ରି ନମ୍ବର ୧୯୬୭ ମାଧ୍ୟମରେ ଯୋଗାଯୋଗ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଏହି ନିର୍ଦ୍ଦେଶ ନିୟନ୍ତ୍ରଣ ଏବଂ ଅଭିଜ୍ଞତା କେନ୍ଦ୍ରରେ ସବୁ ଜିଲ୍ଲାର ମଣ୍ଡି ଉପରେ ତୀକ୍ଷ୍ଣ ନଜର ରଖାଯିବ। ସିସିଟିଭି ମାଧ୍ୟମରେ ଲାଇଭ ଫୁଟେଜକୁ ଏଠାରେ ଅନୁଧ୍ୟାନ କରାଯିବା ସହ ମଣ୍ଡିରୁ ଧାନନେଇ ମିଲସ ଓ ଡିପୋକୁ ଯାଉଥିବା ଗାଡିକୁ ମଧ୍ୟ ନିରୀକ୍ଷଣ କରାଯିବ। ଉଭୟ ଖରିଫ ଓ ରବି ଋତୁରେ ଧାନ ସଂଗ୍ରହ ବେଳେ ଏହି କେନ୍ଦ୍ର କାର୍ଯ୍ୟ କରିବ। ଏଠାରେ ଉଭୟ ଅଡିଓ ଓ ଭିଡିଓ କଲ ମାଧ୍ୟମରେ ଯୋଗାଯୋଗ କରିବା ବ୍ୟବସ୍ଥା ରହିଛି।

 

Leave A Reply

Your email address will not be published.