Latest Odisha News

BREAKING NEWS

ଓପିଜିସି ଦ୍ଵାରା ଚାଲିଥିବା ପ୍ରକଳ୍ପର ସମୀକ୍ଷା: ଫ୍ଲାଏ ଆଶ ପରିଚାଳନା ପାଇଁ ଆସିବ ଏସଓପି

ଭୁବନେଶ୍ଵର: ବ୍ୟବହାର ଯୋଗ୍ୟ ହେବ ଫ୍ଲାଏ ଆଶ। ଫ୍ଲାଏ ଆଶ ପରିଚାଳନା ପାଇଁ  ରାଜ୍ୟ ସରକାର ଆଣିବେ ଏସଓପି। ଏହାକୁ ନେଇ  ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା  ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଓପିଜିସି ଦ୍ଵାରା ଚାଲିଥିବା ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଫ୍ଲାଏ ଆଶ ପରିଚାଳନା  ବିଷୟରେ ଆଲୋଚନା କରାଯାଇଥିଲା। ଓପିଜିସିରୁ ତାପଜ ବିଦ୍ୟୁତ ଉତ୍ପାଦନ ପରେ ବାହାରୁଥିବା ବର୍ଜ୍ୟ ପରିଚାଳନା ଏବଂ ଖଣି ଖନନ ପରେ ସେହି ଖଣିକୁ ଫ୍ଲାଏ ଆଶ ଦ୍ଵାରା ପୂରଣ କରି ଖାଲି ଖଣିକୁ ପୋତିବା ବିଷୟରେ ବୈଠକରେ ଆଲୋଚନା ହୋଇଥିଲା ।

ଅନ୍ୟପକ୍ଷରେ, ଫ୍ଲାଏ ଆଶକୁ ବ୍ୟବହାର କରି ଇଟା ତିଆରି କରି ସେହି ଇଟାକୁ ପରବର୍ତ୍ତୀ ସମୟରେ ପିଏମ ଆବାସ ଯୋଜନାରେ ତିଆରି ଘରେ ବ୍ୟବହାର କରାଯାଇ ପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି ସବୁ ବର୍ଜ୍ୟକୁ କୃଷି କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ଼ର ପରାମର୍ଶ ଦେଇଥିଲା। ପରବର୍ତ୍ତୀ ସମୟରେ ସେସବୁ ଉପରେ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ନିୟମାବଳୀ ଅନୁଯାୟୀ ପଦକ୍ଷେପ ନିଆଯିବା ସହ ଫ୍ଲାଏ ଆଶକୁ ନେଇ ଏସଓପି  ଆସିବା ନେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରକାଶ କରିଛନ୍ତି। ସେହିପରି ଫ୍ଲାଏ ଆଶ ଦ୍ଵାରା ପୂରଣ ହେଉଥିବା ପୋଖରୀ ଏବଂ ସେହି ଅଞ୍ଚଳରେ ପର୍ଯ୍ୟଟନର ବିକାଶ କରିବାକୁ ଶ୍ରୀ ସିଂହଦେଓ ପରାମର୍ଶ ଦେଇଥିଲେ।

ଏହା ଦ୍ବାରା ଖଣି ଖନନ ପରେ ଖାଲି ଥିବା ଖଣିଗୁଡ଼ିକୁ ଚିହ୍ନଟ କରିବା ପରେ ଓପିଜିସିରୁ ବାହାରୁଥିବା ଉଡା ପାଉଁଶଦ୍ଵାରା ପୂରଣ କରିବା ଫଳରେ ବର୍ଜ୍ୟ ପରିଚାଳନା ମଧ୍ୟ ହୋଇପାରିବ। ଏସବୁ କରିବ ଦ୍ବାରା ପ୍ରଦୂଷଣ ମାତ୍ରା ହ୍ରାସ କରାଯାଇପାରିବ ।  ଉଡା ପାଉଁଶ ପୋଖରୀ (Ash Ponds) ନିମନ୍ତେ ଜାଗା ଯୋଗାଇ ଦେବାକୁ, ସେହି ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ଜାଗା ଯୋଗାଇ ଦେବାକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଝାରସୁଗୁଡା ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି।

ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ଝାରସୁଗୁଡ଼ା ଜିଲ୍ଲାପାଳ ଏବୋଲି ସୁନୀଲ ନରବଣେ ଏବଂ ଓପିଜିସିର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

Leave A Reply

Your email address will not be published.