ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ଓ ତା’ର ପରବର୍ତ୍ତୀ ପରିସ୍ଥିତିରେ ରିଲିଫ, ପୁନଃନିର୍ମାଣ ଓ କ୍ଷୟକ୍ଷତି ଆକଳନ ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ପ୍ରଭାବିତ ଲୋକଙ୍କ ପାଇଁ ଏକ ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅର୍ଣ୍ଣବର ପ୍ରଭାବ ଓ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସେ କେନ୍ଦ୍ର ସରକାରଙ୍କ ସହିତ ନିୟମିତ ଯୋଗାଯୋଗରେ ଅଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହିତ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ଆସନ୍ତା ନଭେମ୍ବର ୨ ତାରିଖ ଦିନ ଓଡିଶାରେ କ୍ଷୟକ୍ଷତି ଆକଳନ କରିବା ପାଇଁ, ବିଶେଷ କରି ଅଧିକ ପ୍ରଭାବିତ ଗଞ୍ଜାମ, ଗଜପତି ଓ କନ୍ଧମାଳର ପରିସ୍ଥିତି ଜାଣିବା ପାଇଁ ଏକ କେନ୍ଦ୍ରୀୟ ଇଣ୍ଟର-ମିନିଷ୍ଟରିଆଲ୍ କମିଟି ଓଡିଶା ଗସ୍ତ କରିବେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ସମସ୍ତ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାର ସବୁ ସମୟରେ ପ୍ରସ୍ତୁତ ଅଛନ୍ତି। ପୂର୍ବରୁ ସମସ୍ତ ବିପର୍ଯ୍ୟୟରେ ସହାୟତା ପ୍ରଦାନ କରାଯାଇଛି। ଏଥର ମଧ୍ୟ ସମସ୍ତ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରାଯିବ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ସମସ୍ତ ପ୍ରଭାବିତ ପରିବାରକୁ ୫୦ କିଲୋଗ୍ରାମ ଚାଉଳ ସହିତ ୨୫୦୦ ଟଙ୍କା ପ୍ରଦାନ କରାଯିବ । ସେହିପରି, କୃଷି କ୍ଷେତ୍ର ପାଇଁ ୩୩% ଏବଂ ତା’ଠାରୁ ଅଧିକ ଫସଲ ହାନି ସହିଥିବା ସମସ୍ତ ଚାଷୀଙ୍କୁ ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ ଇନ୍ପୁଟ୍ ସବସିଡି ପ୍ରଦାନ କରାଯିବ ।
ଅଣ-ଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା ୮,୫୦୦ ଟଙ୍କା, ଜଳସେଚିତ ଅଞ୍ଚଳରେ ୧୭,୦୦୦ ଟଙ୍କା ଏବଂ ବାରମାସୀ ଫସଲ ପାଇଁ ହେକ୍ଟର ପିଛା ୨୨,୫୦୦ ଟଙ୍କା ସହାୟତା ଦିଆଯିବ । ବାରମାସୀ ଫସଲ ପାଇଁ ସର୍ବନିମ୍ନ ଇନ୍ପୁଟ ସହାୟତା ୨୫୦୦ ଟଙ୍କା, ଜଳସେଚିତ ଅଞ୍ଚଳ ପାଇଁ ୨୦୦୦ ଟଙ୍କା ଏବଂ ଅଣ-ଜଳସେଚିତ ଅଞ୍ଚଳ ପାଇଁ ସବନିମ୍ନ ୧୦୦୦ ଟଙ୍କା ଦିଆଯିବ । ଜମିରୁ ବାଲି କିମ୍ବା ପଟୁ ମାଟି ହଟାଇବା ପାଇଁ ହେକ୍ଟର ପିଛା ୧୮,୦୦୦ ଟଙ୍କା ହାରରେ ସହାୟତା ପ୍ରଦାନ କରାଯିବ ଏବଂ ପ୍ରତ୍ୟେକ ଚାଷୀଙ୍କୁ ସର୍ବନିମ୍ନ ସହାୟତା ରାଶି ୨,୨୦୦ ଟଙ୍କା ଦିଆଯିବ ।
ବାତ୍ୟା ‘ଅର୍ଣ୍ଣବ’ ଦ୍ୱାରା ପ୍ରଭାବିତ ଚାଷୀମାନଙ୍କୁ ୧,୨୦,୦୦୦ ସଂଖ୍ୟକ ଡାଲି ଜାତୀୟ ମିନିକିଟ୍, ୫,୦୦୦ ତୈଳବୀଜ ଏବଂ ୫୦,୦୦୦ ପନିପରିବା ମଞ୍ଜି କିଟ୍ ଦିଆଯିବ। ସର୍ବମୋଟ ୧,୭୫,୦୦୦ ସ୍ୱତନ୍ତ୍ର ମିନିକିଟ୍ ଯୋଗାଇ ଦିଆଯିବ। ଆଖୁ ଚାଷ ହେଉଥିବା ୨,୦୦୦ ହେକ୍ଟର ପ୍ରଭାବିତ ଅଞ୍ଚଳରେ ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ ସ୍ପେସ୍ ଟ୍ରାନ୍ସପ୍ଲାଣ୍ଟିଂ ପଦ୍ଧତି ପ୍ରଦର୍ଶନ ପାଇଁ ହେକ୍ଟର ପିଛା ୨୭,୫୦୦ ଟଙ୍କା କିମ୍ବା ରେଟୁନ୍ ଫସଲ ପରିଚାଳନା ପାଇଁ ହେକ୍ଟର ପିଛା ୧୨,୫୦୦ ଟଙ୍କା ହାରରେ ସ୍ୱତନ୍ତ୍ର ସହାୟତା ପ୍ରଦାନ କରାଯିବ । ରବି ଋତୁ ୨୦୨୬-୨୭ ସମୟରେ କୀଟନାଶକ ଏବଂ ଜୈବ-କୀଟନାଶକ ଉପରେ ୭୫% ସବସିଡିର ବ୍ୟବସ୍ଥା କରାଯିବ ।
ସେହିପରି କୃଷି ଋଣ ଯେଉଁଠାରେ ୩୩% କିମ୍ବା ତା’ଠାରୁ ଅଧିକ ଫସଲ ହାନି ହୋଇଛି, ସେଠାରେ ଇଚ୍ଛୁକ ଚାଷୀମାନଙ୍କ ପାଇଁ ସ୍ୱଳ୍ପମିଆଦୀ ଖରିଫ ଋଣକୁ ମଧ୍ୟମ ମିଆଦି ଋଣରେ ପରିଣତ କରାଯିବ । ଚଳିତ ରବି ଋତୁରେ ସର୍ବାଧିକ ସଂଖ୍ୟକ ଭାଗଚାଷୀ,ଭୂମିହୀନ ଚାଷୀ କିମ୍ବା ମୌଖିକ ଚୁକ୍ତିରେ ଚାଷ କରୁଥିବା ଚାଷୀଙ୍କୁ ଋଣ ପ୍ରଦାନ କରିବା ପାଇଁ ଜଏଣ୍ଟ ଲାଏବିଲିଟି ଗ୍ରୁପ୍ ଗଠନ କରାଯିବ।
ଗୃହ ନିର୍ମାଣ କ୍ଷେତ୍ର- ଯେଉଁ ଘର ଗୁଡିକ ସମ୍ପୂର୍ଣ୍ଣ କିମ୍ବା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି, ସେଠାରେ ସମତଳ ଅଞ୍ଚଳ ପାଇଁ ୧,୨୦,୦୦୦ ଟଙ୍କା ଏବଂ ପାର୍ବତ୍ୟ ଅଞ୍ଚଳ ପାଇଁ ୧,୩୦,୦୦୦ ଟଙ୍କା ହିସାବରେ ସହାୟତା ମିଳିବ। ଆଂଶିକ କ୍ଷତିଗ୍ରସ୍ତ ପକ୍କା ଘର ପାଇଁ ୬୫୦୦ ଟଙ୍କା ଏବଂ ଆଂଶିକ କ୍ଷତିଗ୍ରସ୍ତ କଚ୍ଚା ଘର ପାଇଁ ୪୦୦୦ ଟଙ୍କା ସହାୟତା ଦିଆଯିବ। କ୍ଷତିଗ୍ରସ୍ତ କୁଡ଼ିଆ ଘର ପାଇଁ ୮୦୦୦ଟଙ୍କା ଓ ଗୁହାଳ ପାଇଁ ୩,୦୦୦ ଟଙ୍କା ସହାୟତା ମିଳିବ।
ଯେଉଁ ପରିବାରଗୁଡ଼ିକର ଘର ଭାସି ଯାଇଛି କିମ୍ବା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି କିମ୍ବା ଦୁଇ ଦିନରୁ ଅଧିକ ସମୟ ଧରି ଜଳମଗ୍ନ ହୋଇ ରହିଛି, ସେହି ପରିବାରଗୁଡ଼ିକୁ ପୋଷାକ ପତ୍ର ପାଇଁ ୨,୫୦୦ ଟଙ୍କା ଏବଂ ବାସନକୁସନ ପାଇଁ ୨,୫୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ପ୍ରାଣୀ ସମ୍ପଦ କ୍ଷତିପୂରଣ ପାଇଁ ଚାଷୀଙ୍କୁ ସହାୟତା, ଗୃହପାଳିତ ପ୍ରାଣୀ ହରାଇଥିବା ଚାଷୀଙ୍କୁ ଦୁଧିଆଳି ଗାଈ ମଇଁଷି ଆଦି ପ୍ରାଣୀର ମୃତ୍ୟୁ ପାଇଁ ୩୭,୫୦୦ ଟଙ୍କା ଏବଂ ମେଣ୍ଢା, ଛେଳି, ଘୁଷୁରି ପାଇଁ ୪,୦୦୦ ଟଙ୍କା ପ୍ରଦାନ କରାଯିବ।
ସେହିପରି ଭାରବାହୀ ପଶୁ ଯଥା ଓଟ, ଘୋଡ଼ା, ବଳଦ ଇତ୍ୟାଦି ପାଇଁ ୩୨,୦୦୦ ଟଙ୍କା ଏବଂ ଛୋଟ ଭାରବାହୀ ପଶୁ ଯଥା ବାଛୁରୀ, ଗଧ, ଟଟୁ ଘୋଡ଼ା, ଖଚର ଆଦି ପାଇଁ ୨୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ । କୁକୁଡ଼ା ପିଛା ୧୦୦ ଟଙ୍କା ଭାବରେ ସର୍ବାଧିକ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ।
୧,୦୦୦ ଜଣ ଚାଷୀଙ୍କୁ ଛେଳି କିମ୍ବା ବଳଦ ଆଦି ଯୋଗାଇ ଦେବାରେ ସହାୟତା କରିବା ପାଇଁ ସବସିଡି ପ୍ରଦାନ କରାଯିବ। ପ୍ରଭାବିତ ଅଞ୍ଚଳର ୫,୦୦୦ ଜଣ ଦୁଗ୍ଧ ଚାଷୀଙ୍କୁ ସହାୟତା କରିବା ପାଇଁ ପ୍ରାଣୀ ପିଛା ୧୦୦ କିଲୋଗ୍ରାମ ହିସାବରେ ସର୍ବାଧିକ ୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଗୋ-ଖାଦ୍ୟ ଯୋଗାଇ ଦିଆଯିବ। ୭୦ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ୨୦୦ କୁକୁଡ଼ା ଫାର୍ମକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ପୁନରୁଦ୍ଧାର ପାଇଁ ସହାୟତା ପ୍ରଦାନ କରାଯିବ।
ମତ୍ସ୍ୟ ଚାଷ କ୍ଷେତ୍ର- କ୍ଷତିଗ୍ରସ୍ତ ମାଛ ଚାଷୀ ମାନଙ୍କ ପାଇଁ ହେକ୍ଟର ପିଛା ୧,୧୨,୫୦୦ ଟଙ୍କା ହାରରେ ୭୫% ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ । ସମ୍ପୂର୍ଣ୍ଣ ଏବଂ ଆଂଶିକ କ୍ଷତିଗ୍ରସ୍ତ ଡଙ୍ଗା ପାଇଁ ୨୨,୫୦୦ ଟଙ୍କା ଏବଂ ଜାଲ ପାଇଁ ୧୫,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ । ସାମୁଦ୍ରିକ ଏବଂ ଚିଲିକା ମତ୍ସ୍ୟଜୀବୀମାନଙ୍କୁ ସମ୍ପୂର୍ଣ୍ଣ ଏବଂ ଆଂଶିକ କ୍ଷତିଗ୍ରସ୍ତ ଡଙ୍ଗା ପାଇଁ ୬୦,୦୦୦ ଟଙ୍କା ଏବଂ ଜାଲ ପାଇଁ ୧୫,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ।
ଯେଉଁ ମାଛ ଚାଷୀମାନଙ୍କର ପୋଖରୀ ବନ୍ଧ ଭାଙ୍ଗିଯାଇଛି କିମ୍ବା ମାଟି କ୍ଷୟ ହୋଇଛି ସେମାନଙ୍କୁ ସହାୟତା ପ୍ରଦାନ କରାଯିବ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଲିଜ୍ ସୂତ୍ରରେ ନିଆଯାଇଥିବା କମ୍ୟୁନିଟି ପୋଖରୀ ପାଇଁ ମଧ୍ୟ ସହାୟତା ଦିଆଯିବ। ହେକ୍ଟର ପିଛା ସର୍ବାଧିକ ୧,୭୫,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଦିଆଯିବ।
MSME, ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ- ପ୍ରଭାବିତ MSME, ବ୍ୟବସାୟୀ, ଦୋକାନୀ, ଉଠାଦୋକାନୀ ଏବଂ ଅନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନକୁ ସହାୟତା ଦିଆଯିବ। ଏହି ପ୍ୟାକେଜ୍ ଅଧୀନରେ ସହାୟତା ପ୍ରଦାନ କରିବା ପାଇଁ ବ୍ୟବସାୟିକ ପରିସର, କେବିନ୍ କିମ୍ବା ଷ୍ଟଲ୍, ଯନ୍ତ୍ରପାତି, ଫିକ୍ସଚର୍ସ, ମହଜୁଦ ସାମଗ୍ରୀ ଏବଂ ଅନ୍ୟାନ୍ୟ ବ୍ୟବସାୟିକ ସମ୍ପତ୍ତିର ହୋଇଥିବା କ୍ଷତିର ଆକଳନ କରାଯିବ।
କ୍ଷତିଗ୍ରସ୍ତ MSME, ବ୍ୟବସାୟୀ ଓ ଦୋକାନୀ ମାନଙ୍କୁ ସର୍ବାଧିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ଯୋଗାଇ ଦିଆଯିବ। ଏହି ଋଣରେ ସର୍ବାଧିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୨୫ ପ୍ରତିଶତ ସବସିଡି ଦିଆଯିବ। ଏହି ସବସିଡି ପରିମାଣ ରାଜ୍ୟ ସରକାର ସିଧାସଳଖ ବ୍ୟାଙ୍କ ଗୁଡିକୁ ଯୋଗାଇଦେବେ। ଉଠା ଦୋକାନୀ, ଅସ୍ଥାୟୀ ଷ୍ଟଲ୍ କିମ୍ବା କିଓସ୍କ ପାଇଁ ୧୦,୦୦୦ ଟଙ୍କା ଏବଂ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ୨୫,୦୦୦ ଟଙ୍କା ସହାୟତା ଦିଆଯିବ।
ମହିଳା ସ୍ୱୟଂସହାୟକ ଗୋଷ୍ଠୀ- ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ସମସ୍ତ ଯୋଗ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫୦୦୦ ଟଙ୍କାର ଅତିରିକ୍ତ ସିଡ୍ ମନି ପ୍ରଦାନ କରାଯିବ।
ହସ୍ତଶିଳ୍ପ ଓ ହସ୍ତତନ୍ତ- ହସ୍ତଶିଳ୍ପ, ହସ୍ତତନ୍ତ କ୍ଷେତ୍ର ଅଧୀନରେ, ବୁଣାକାର ଓ କାରିଗରମାନଙ୍କୁ ସେମାନଙ୍କର ଯନ୍ତ୍ରପାତି ଓ ଉପକରଣ ବଦଳାଇବା ପାଇଁ ବ୍ୟକ୍ତି ପିଛା ୫,୦୦୦ ଟଙ୍କା ଏବଂ ସାମଗ୍ରୀ ନଷ୍ଟ ପାଇଁ କାରିଗର ପିଛା ୫,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ।
ରେଶମ ଚାଷ- ପ୍ରଭାବିତ ରେଶମ ଚାଷୀମାନଙ୍କ ମଧ୍ୟରୁ ଏରି, ମଲବେରୀ, ଟସର ଚାଷୀଙ୍କୁ ହେକ୍ଟର ପିଛା ୬,୦୦୦ ଟଙ୍କା ଏବଂ ମୁଗା ଚାଷୀଙ୍କୁ ହେକ୍ଟର ପିଛା ୭୫୦୦ ଟଙ୍କା ଇନପୁଟ ସହାୟତା ଦିଆଯିବ। ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ପାଳନ ଗୃହଗୁଡ଼ିକ ପାଇଁ ପ୍ରଭାବିତ ରେଶମ ଚାଷୀମାନଙ୍କୁ ୧,୭୫,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ।
ଏହା ସହିତ ଓଡ଼ିଶା ଉଠା ଜଳସେଚନ ନିଗମ, ସମସ୍ତ ପ୍ରଭାବିତ ଗ୍ରାମଗୁଡ଼ିକରେ ପ୍ରାଥମିକତା ଭିତ୍ତିରେ ଉଠା ଜଳସେଚନ ପଏଣ୍ଟଗୁଡ଼ିକର ମରାମତି ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ। ରବି ଋତୁ ପୂର୍ବରୁ ସମସ୍ତ ଉଠା ଜଳସେଚନ ପଏଣ୍ଟଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ତୁରନ୍ତ ମରାମତି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
