Latest Odisha News

BREAKING NEWS

ଓଡ଼ିଶାରେ ପୁଣି ବଢ଼ିବ କି ଆଳୁ ସଂକଟ? ସୀମାରେ ଅଟକିଲା ଗାଡି

ବାଲେଶ୍ୱର: ପଶ୍ଚିମବଙ୍ଗ ସୀମାରେ ପୁଣି ଅଟକିଲା ଆଳୁ ଗାଡ଼ି। ବେଲଦାରେ ଶତାଧିକ ଆଳୁ ଟ୍ରକ୍ ଅଟକି ରହିଛି। ଲକ୍ଷ୍ମଣନାଥ ଟୋଲ ଗେଟ୍‌ରୁ ୨୫ କିମି ଦୂରରେ ଅଟକିଛି ଗାଡ଼ି। ରାତିରୁ କାହିଁକି ଆଳୁ ଗାଡ଼ି ଅଟକି ରହିଛି ଜଣାପଡ଼ି ନାହିଁ। ତେବେ ଏହି ପରିସ୍ଥିତିକୁ ଦେଖିଲେ ଲାଗୁଛି ପୁଣି ଓଡିଶାରେ ବଢିଯିବ କି ଆଳୁ ସଂକଟ। କାରଣ ଆଳୁ ଗାଡ଼ିକୁ ଜଗି ରହିଛନ୍ତି ପଶ୍ଚିମବଙ୍ଗ ପୋଲିସ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକି ଆଳୁ ଏବଂ ପିଆଜର ମୂଲ୍ୟ ବୃଦ୍ଧି ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଥିଲେ। ଏହାପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ପ୍ରଶାସନ।

ବୁଧବାର ରାତିରୁ ପଶ୍ଚିମ ମେଦିନୀପୁର ଜିଲ୍ଲାର ସମସ୍ତ ନାକା ଯାଞ୍ଚ କରାଯାଇଛି । ରାଜ୍ୟରେ ଆଳୁର ମୂଲ୍ୟ ହ୍ରାସ ନହେବାରୁ ରାଜ୍ୟରେ ଉତ୍ପାଦିତ ଆଳୁକୁ ଗ୍ରାହକ ଅଧିକ ମୂଲ୍ୟରେ କିଣିବାକୁ ପଡୁଛି । ତେଣୁ ଆଳୁ ଦର ହ୍ରାସ ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଅନ୍ୟ ରାଜ୍ୟକୁ ଆଳୁ ରପ୍ତାନି ବନ୍ଦ କରିଦିଆଯାଇଛି ।

ସୂଚନା ଥାଉକି ଗତ କିଛି ମାସ ପୂର୍ବେ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଟକଣା ପରେ ଓଡିଶାକୁ ଆଳୁ ଆସିବା ବନ୍ଦ ହୋଇଥିଲା। ପୂର୍ବ-ପଶ୍ଚିମ ମେଦିନୀପୁର ଆଳୁ ପଶ୍ଚିମବଙ୍ଗରେ ବିଶେଷ ବିକ୍ରି ହୁଏନି । ଏ ଆଳୁ ସାଧାରଣତଃ ଓଡ଼ିଶା ବଜାରକୁ ଆସେ । ଏ ଆଳୁ ଓଡ଼ିଶା ପଠାଇବାରେ କଟକଣା ହଟାଇବାକୁ ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସମିତି ସରକାରଙ୍କୁ ଅନୁରୋଧ କରିଥିଲେ ଏବଂ ପରେ ଆନ୍ଦୋଳନ କରିଥିଲେ। ଏହାପରେ ସରକାର ଆଳୁ ଦେବାକୁ ରାଜି ହୋଇଥିଲେ ଏବଂ ଓଡିଶାରେ ଦୂର ହୋଇଥିଲା ଆଳୁ ସଂକଟ।

 

Comments are closed.