ନୂଆଦିଲ୍ଲୀ: ଆଜି ସାଂସଦ ଭାବେ ଶପଥ ନେଇଛନ୍ତି ପ୍ରିୟଙ୍କା ଭଦ୍ରା ଗାନ୍ଧୀ । କଂଗ୍ରେସର ସାଧାରଣ ସମ୍ପାଦକ ତଥା କେରଳର ଓ୍ବାୟନାଡ ଆସନରୁ ନବନିର୍ବାଚିତ ସାଂସଦ ପ୍ରିୟଙ୍କା ଆଜି ବିଧିବଦ୍ଧ ଭାବେ ଲୋକସଭାରେ ଶପଥ ଗ୍ରହଣ କରିଛନ୍ତି । ପ୍ରଥମ ଥର କେରଳର ୱାୟାନାଡରୁ ବିପୁଳ ଭୋଟରେ ଜିତିଥିବା ପ୍ରିୟଙ୍କା ଶପଥ ସମୟରେ କେରଳର ପାରମ୍ପରିକ ସୁନା ବର୍ଡର ମିଶା କସଭୁ ଶାଢୀ ପିନ୍ଧିଥିଲେ । ତାଙ୍କର ଏହି ପୋଷାକ ପରିଧାନ ୱାୟାନାଡରେ ତାଙ୍କର ସକ୍ରିୟତାର ସଙ୍କେତ ଦେଉଥିଲା ।
୫୨ ବର୍ଷିୟ ପ୍ରିୟଙ୍କା ହାତରେ ସମ୍ବିଧାନ ଧରି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଉପସ୍ଥିତିରେ ସାଂସଦ ଭାବରେ ଶପଥ ଗ୍ରହଣ କରିଛନ୍ତି । ଏହି ସମୟରେ ଅନ୍ୟ ସାଂସଦଙ୍କ ସମେତ ତାଙ୍କ ସ୍ବାମୀ ରବର୍ଟ ଭଦ୍ରା, କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜ୍ଜୁନ ଖଡଗେ ମଧ୍ୟ ଉପସ୍ଥିତି ରହିଥିଲେ ।
ତେବେ ଏହାରି ସହିତ ଗତ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ କଂଗ୍ରେସ ପରିବାରର ତିନି ଜଣ ସଂସଦ ଗୃହରେ ଉପସ୍ଥିତ ରହିବେ । ସଂସଦରେ ଗାନ୍ଧୀ ପରିବାରର ୩ ସଦସ୍ୟ ରାହୁଲ, ପ୍ରିୟା ଓ ସୋନିଆ ଗାନ୍ଧୀଙ୍କ ଉପସ୍ଥିତିକୁ ଦେଖାଯିବ। ଦେଶର ସ୍ୱାଧୀନତା ପରଠାରୁ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟଙ୍କୁ କେବେ ଏକାଠି ସଂସଦରେ ଦେଖାଯାଇ ନାହିଁ । ଚଳିତ ଲୋକସଭା ନିର୍ବାଚନରେ ଭାଇ ରାହୁଲ ଗାନ୍ଧୀ ରାଏବରେଲି ଆସନରୁ ସାଂସଦ ଭାବେ ପ୍ରଥମରୁ ଲୋକସଭାରେ ଉପସ୍ଥିତ ରହିଥିବା ବେଳେ ମା’ ସୋନିଆ ଗାନ୍ଧୀ, ରାଜ୍ୟସଭା ସାଂସଦ ଅଛନ୍ତି । ଏଥିସହିତ ମା’ ଏବଂ ଜେଜେ ମା’ଙ୍କ ପରେ ପ୍ରିୟଙ୍କା ଗାନ୍ଧୀ ପରିବାର ତୃତୀୟ ମହିଳା, ଯେକି ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ।
ତେବେ ଲୋକସଭା ଉପନିର୍ବାଚନରେ ଭାଇ ରାହୁଲଙ୍କ ରେକର୍ଡ କାଟି ଓ୍ବାୟନାଡରୁ ମୋଟ ୬.୨୨ ଲକ୍ଷ ଭୋଟରେ ବିଜୟ ଲାଭ କରିଥିଲେ ପ୍ରିୟଙ୍କା ।