Latest Odisha News

BREAKING NEWS

ଗଡିବ ଭୁବନେଶ୍ଵର ମେଟ୍ରୋ, ଡିସେମ୍ବର ୨୦୨୭ ରେ ସରିବ ପ୍ରଥମ ପର୍ଯ୍ୟାୟ କାମ

ଭୁବନେଶ୍ଵର: ଡିସେମ୍ବର ୨୦୨୭ ସୁଦ୍ଧା ଶେଷ ହେବଭୁବନେଶ୍ଵର ମେଟ୍ରୋ ଟ୍ରେନ୍‌ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମ। ପ୍ରଥମେ ୨୬ କିଲୋମିଟର ମଧ୍ୟରେ ମେଟ୍ରୋ ଟ୍ରେନ୍‌ ଚଳାଚଳ କରିବ। ଆରମ୍ଭରୁ ଯାତ୍ରୀଙ୍କୁ ୧୩ଟି ଟ୍ରେନ୍‌ରେ ଏହି ସେବା ମିଳିବ। ପ୍ରତ୍ୟେକ ଟ୍ରେନ୍‌ରେ ୩ଟି ଲେଖାଏଁ କୋଚ୍ ରହିବ। ମେଟ୍ରୋ ଟ୍ରେନ୍‌ ନେଇ ସମୀକ୍ଷା ପରେ ଶନିବାର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ଟ୍ରେନ୍‌ ପ୍ରକଳ୍ପର କାମ ୨୦୨୭ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି।  ମେଟ୍ରୋ ପ୍ରକଳ୍ପ ପାଇଁ ଏବେ ମାଟି ପରୀକ୍ଷା ଚାଲିଛି। ୫୦ରୁ ୬୦ ଫୁଟ ତଳୁ ମାଟି ନେଇ ଲ୍ୟାବ୍‌ରେ ପରୀକ୍ଷା ଚାଲିଛି। ମାଟି ପରୀକ୍ଷା ପରେ ଫାଉଣ୍ଡେସନ୍‌ କାମ ଆରମ୍ଭ ହେବ। ଭୁବନେଶ୍ବରରେ ଭୂପୃଷ୍ଠରୁ ୧୩ ଫୁଟ୍‌ ଉଚ୍ଚରେ ମେଟ୍ରୋ ରେଳ ଗଡ଼ିବ। ଏହି ପ୍ରକଳ୍ପ ପାଇଁ ମୋଟ ୬ହଜାର ୨୫୬ କୋଟି ଟଙ୍କା ଖର୍ଚ୍ଚ ଅଟକଳ ହୋଇଛି। ରାଜମହଲ, ଜୟଦେବ ବିହାର ଓ ବାରଙ୍ଗରେ ଏହାର ଉଚ୍ଚତା ଆବଶ୍ୟକତା ଅନୁସାରେ ହେବ ବୋଲି ଭୁବନେଶ୍ବର ମେଟ୍ରୋ ରେଳ କର୍ତ୍ତୃପକ୍ଷ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ଵର ମେଟ୍ରୋ ଟ୍ରେନ୍‌ ପ୍ରକଳ୍ପ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜାନୁଆରି ମାସରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଆଗାମୀ ଡିସେମ୍ବର ୨୦୨୭ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବା ପାଇଁ ଲକ୍ଷ୍ୟ ରହିଛି। ଭୁବନେଶ୍ଵରରେ ମେଟ୍ରୋ ଟ୍ରେନ୍‌ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ସଂପ୍ରସାରିତ ହେବ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପ୍ରାୟ ୨୬କିଲୋମିଟର ମଧ୍ୟରେ ୧୮ଟି ଷ୍ଟେସନ ରହିବ ବୋଲି ସୂଚନା ମିଳିଛି।

ଉଭୟ ଆରମ୍ଭ ଓ ଶେଷ ଷ୍ଟେସନ ମଝିରେ କ୍ୟାପିଟାଲ ହସ୍ପିଟାଲ, ଶିଶୁ ଭବନ ଛକ, ବାପୁଜୀ ନଗର, ଭୁବନେଶ୍ୱର ରେଳଷ୍ଟେସନ, ରାମମନ୍ଦିର ଛକ, ବାଣୀବିହାର, ଆଚାର୍ଯ୍ୟ ବିହାର ଛକ, ଜୟଦେବ ବିହାର ଛକ, ଜାଭିୟର ଛକ, ରେଳ ସଦନ, ଡିଷ୍ଟ୍ରିକ୍ଟ ସେଂଟର, ଡମଣା ଛକ, ପଟିଆ ଛକ, କିଟ ଛକ, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଫୁଲପୋଖରୀ ରହିବ। ପରବର୍ତ୍ତୀ ସମୟରେ ଖୋର୍ଦ୍ଧା – କଟକ ସହ ଭୁବନେଶ୍ୱର-କଟକ ସହରର ଅନ୍ୟ ଅଂଚଳରେ ଏହା ଚଳାଚଳ କରିବ ବୋଲି ଜାଣିବାକୁ ମିଳିଛି । ଏଥିରେ ୯୫ ହଜାର ଲୋକ ପ୍ରତିଦିନ ଯିବାର କ୍ଷମତା ରହିବ।

ଏହି ସମୀକ୍ଷା ବୈଠକରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ମୁଖ୍ୟ ନିର୍ବାହୀ ଅଧିକାରୀ କଲ୍ୟାଣ ପଟ୍ଟନାୟକଙ୍କ ସମେତ ଦିଲ୍ଲୀ ମେଟ୍ରୋ ଓ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ବହୁ ଅଧିକାରୀ ଉପସ୍ଥିତ ଥିଲେ।

 

 

Comments are closed.