ଆଡିଲେଡ: ଭାରତୀୟ କ୍ରିକେଟ ଟିମ ରୋହିତ ଶର୍ମାଙ୍କ ନେତୃତ୍ୱରେ ଆଡିଲେଡରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ବଡ ବ୍ୟବଧାନରେ ଜିତିଥିବାରୁ ଏହା ସେମାନଙ୍କ ମନୋବଳ ବଢ଼ାଇଛି । ଏବେ ଟିମ ସହିତ ନିୟମିତ ଅଧିନାୟକ ରୋହିତ ଶର୍ମା ଯୋଗ ଦେଇଛନ୍ତି । ଫଳରେ ଟିମ କମ୍ବିନେଶନ ବିଗିଡି ଯାଇଛି । ରୋହିତ କେଉଁ ସ୍ଥାନରେ ବ୍ୟାଟିଂ କରିବେ ତାହା ଏକ ସମସ୍ୟା ସୃଷ୍ଟି କରିଛି । ଗୋଲପୀ ବଲରେ ଖେଳାଯିବାକୁ ଥିବା ଏହି ଦିବାରାତ୍ର ଟେଷ୍ଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭାରତକୁ ଭଲ ପ୍ରଦର୍ଶନ କରିବାକୁ ପଡିବ ।
ଅଭ୍ୟାସ ମ୍ୟାଚରେ ରୋହିତ ମଧ୍ୟକ୍ରମରେ ବ୍ୟାଟିଂ କରିଥିଲେ । ସେ ମଧ୍ୟ ଭଲ ଫର୍ମରେ ଥିବା ଯଶସ୍ୱୀ ଜୈସୱାଲ ଓ କେଏଲ ରାହୁଲଙ୍କ ଲୟ ବିଗାଡିବାକୁ ଚାହୁଁ ନାହାନ୍ତି । ଟିମର ଭଲ ପାଇଁ ରୋହିତଙ୍କୁ ଓପନିଂ ବ୍ୟାଟିଂରୁ ଓହରିବାକୁ ପଡିବ । ରୋହିତ ୪ କିମ୍ବା ୫ ସ୍ଥାନରେ ବ୍ୟାଟିଂ କଲେ ଦଳର ବ୍ୟାଟିଂ ଲାଇନ ଅପ ବେଶ ମଜଭୁତ ହେବ । ନିମ୍ନ ଭାଗରେ ବ୍ୟାଟ୍ସମ୍ୟାନଙ୍କ ମନୋବଳ ମଧ୍ୟ ବୃଦ୍ଧି ପାଇବ । ଏହା ବ୍ୟତୀତ ବିପକ୍ଷ ଦଳର ବୋଲର ଅତିରିକ୍ତ ଚାପରେ ରହିବେ । ଟେଷ୍ଟରେ ଟିମ ଇଣ୍ଡିଆ ସର୍ବଦା ନିମ୍ନ ଭାଗ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଅସୁବିଧାରେ ପଡିଥାଏ । ରିଷଭ ପନ୍ତ ଓ ରୋହିତ ପୁରୁଣା ବଲକୁ ଭଲ ଭାବେ ପ୍ରହାର ମଧ୍ୟ କରିପାରିବେ । ଉଭୟ ବଡ ଶଟ ଖେଳିବା ଦକ୍ଷତା ରଖିଥିବାରୁ ଆବଶ୍ୟକ ମୁତାବକ ଖେଳିପାରିବେ । ଟେଷ୍ଟରେ କ୍ରମାଗତ ଖରାପ ପ୍ରଦର୍ଶନ କରି ରୋହିତ ଏବେ ଚୟନ କମିଟିଙ୍କ ରାଡାରରେ ଅଛନ୍ତି ।
ପର୍ଥ ଟେଷ୍ଟରେ ବିରାଟ କୋହଲି ଶତକ ହାସଲ କରି ଫର୍ମକୁ ଫେରିଛନ୍ତି । ଅଷ୍ଟ୍ରେଲିଆରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିଥାନ୍ତି । ଏବେ ରୋହିତଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ସେ ତଳେ ବ୍ୟାଟିଂ କଲେ ଦଳର ଆବଶ୍ୟକତା ଅନୁଯାୟୀ ଖେଳିବେ । ବଡ ଇନିଂସ ଅପେକ୍ଷା ଉପଯୋଗୀ ପାରୀକୁ ଗୁରୁତ୍ୱ ଦିଆଯିବ । ରୋହିତ ମଧ୍ୟ ଏହାର ଫାଇଦା ଉଠାଇବେ ବୋଲି ଆଶା କରାଯାଉଛି । ତେବେ ଏ ପର୍ଯ୍ୟନ୍ତି ରୋହିତଙ୍କ ବ୍ୟାଟିଂ ନେଇ କୌଣସି ଖୁଲାସା କରାଯାଇ ନାହିଁ । ଦେଖାଯାଉ ନିଜେ ରୋହିତ ଏବଂ କୋଚ ଗୌତମ ଗମ୍ଭୀର ବ୍ୟାଟିଂ କ୍ରମରେ କେଉଁ ପରିବର୍ତନ କରୁଛନ୍ତି ।