ଭୁବନେଶ୍ବର: ଘୋଷଣା ହୋଇଛି ଜାତୀୟ ପଞ୍ଚାୟତ ପୁରସ୍କାର। ସେଥିମଧ୍ୟରୁ ଓଡ଼ିଶାକୁ ମିଳିବ ୭ ପୁରସ୍କାର। ଆସନ୍ତା ଡିସେମ୍ବର ୧୧ ତାରିଖରେ ଏହି ପୁରସ୍କାର ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ୨୦୨୨-୨୦୨୩ ପାଇଁ ସମ୍ମାନଜନକ ଜାତୀୟ ପଞ୍ଚାୟତ ପୁରସ୍କାରର ବିଜେତାଙ୍କ ନାମ ଘୋଷଣା କରିଛି। ତୃଣମୂଳ ସ୍ତରରେ ନିରନ୍ତର ବିକାଶକୁ ଆଗେଇ ନେବାରେ ସାରା ଦେଶରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ଦିଆଯାଇଥାଏ। ଆସନ୍ତା ୧୧ ଡିସେମ୍ବରରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିବେ।
ସୂଚନା ଅନୁଯାୟୀ, ଚଳିତ ବର୍ଷ, ବିଭିନ୍ନ ବର୍ଗରେ ୪୫ ଜଣ ପୁରସ୍କାର ବିଜେତାଙ୍କୁ ଚୟନ କରାଯାଇଛି। ଏହି ପୁରସ୍କାରଗୁଡ଼ିକ ମଧ୍ୟରେ ରହିଛି ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର, ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର, ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ ପୁରସ୍କାର, କାର୍ବନ ମୁକ୍ତ ବିଶେଷ ପଞ୍ଚାୟତ ପୁରସ୍କାର ଏବଂ ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର। ଏହି ପୁରସ୍କାର ଦାରିଦ୍ର୍ୟ ଦୂରୀକରଣ, ସ୍ୱାସ୍ଥ୍ୟ, ଶିଶୁ କଲ୍ୟାଣ, ଜଳ ପର୍ଯ୍ୟାପ୍ତତା, ପରିମଳ, ଭିତ୍ତିଭୂମି ବିକାଶ, ସାମାଜିକ ନ୍ୟାୟ, ମହିଳା ସଶକ୍ତିକରଣ ଏବଂ ଜଳବାୟୁ ସ୍ଥିରତା ଭଳି ପ୍ରମୁଖ କ୍ଷେତ୍ରରେ ସଫଳତା ଉଦ୍ଦେଶ୍ୟରେ ଦିଆଯାଇଥାଏ।
ଓଡ଼ିଶାକୁ ଜାତୀୟ ପଞ୍ଚାୟତ ପୁରସ୍କାରରେ ମୋଟ୍ ୭ଟି ପୁରସ୍କାର ମିଳିବ। ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ କେଳୁଆପଲ୍ଲିକୁ ସୁସ୍ଥ ପଞ୍ଚାୟତ ଓ ଆତ୍ମନିର୍ଭରଶୀଳ ଭିତ୍ତିଭୂମି ନିର୍ମାଣ ପାଇଁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ସାହାପୁର ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ପ୍ରଦାନ କରାଯିବ। ଏହି ଜିଲ୍ଲାର ଛତ୍ରପୁରକୁ ଶ୍ରେଷ୍ଠ ବ୍ଲକ୍ ପଞ୍ଚାୟତ ରୂପେ ନାନାଜି ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ପାଇଁ ମନୋନୀତ କରାଯାଇଛି।
ସୂଚନାଯୋଗ୍ୟ ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ୧ ଲକ୍ଷ ୯୪ ହଜାର ଗ୍ରାମ ପଞ୍ଚାୟତ ଅଂଶଗ୍ରହଣ କରିଥିଲେ। ୪୨ଟି ପୁରସ୍କାର ବିଜେତା ପଞ୍ଚାୟତ ମଧ୍ୟରୁ ୪୨ ପ୍ରତିଶତ ମହିଳାଙ୍କ ଦ୍ୱାରା ପରିଚାଳିତ ପଞ୍ଚାୟତ ରହିଛି । ଏହି ପୁରସ୍କାର ପ୍ରଦାନ ପ୍ରକ୍ରିୟା ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ସହିତ ପଞ୍ଚାୟତିରାଜ ଅନୁଷ୍ଠାନ (ପିଆରଆଇ)/ଗ୍ରାମୀଣ ସ୍ଥାନୀୟ ସଂସ୍ଥା (ଆରଏଲବି) ମଧ୍ୟରେ ଏକ ପ୍ରତିଦ୍ୱନ୍ଦ୍ୱିତାମୂଳକ ଭାବନାକୁ ପ୍ରୋତ୍ସାହିତ କରିବ।
Comments are closed.