ଭୁବନେଶ୍ୱର: ସମାଜର ଅବହେଳିତ ଶିଶୁମାନଙ୍କର ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରିଆସୁଛି ‘ଜାଗୋ’। ସୋଆରେ ନାମ ଲେଖାଇଥିବା ନୂତନ ଛାତ୍ରଛାତ୍ରୀମାନଙ୍କୁ ଜାଗୋ ସମ୍ପର୍କରେ ଦିଗ୍ଦର୍ଶନ ଦେବା ଅବସରରେ ଏକ କାର୍ଯ୍ୟକ୍ରମରେ ସୋମବାର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ବାଂଶୁରୀଗୁରୁ ପ୍ରେକ୍ଷାଳୟରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭେଚ୍ଛା ଜଣାଇଥିଲେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶାଶ୍ୱତୀ ଦାସ । ଶ୍ରୀମତି ଦାସ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ବର୍ତ୍ତମାନ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଏବଂ ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ଜାଗୋରେ ସାମିଲ ହୋଇ ଜନହିତକର କାର୍ଯ୍ୟ ହାତକୁ ନେଇଥିବାରୁ ସାଧୁବାଦ ଜଣାଇଥିଲେ। କାର୍ଯ୍ୟକ୍ରମରେ ଶିଶୁମାନଙ୍କ ଦ୍ୱାରା ଏବଂ ଟିମ୍ ଜାଗୋର ସଦସ୍ୟ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ସେ ଆହୁରି କହିଥିଲେ, ଅନେକ ସମୟରେ ଦାରିଦ୍ର୍ୟତା ଯୋଗୁଁ ଅନେକ ପ୍ରତିଭା ଲୁକ୍କାୟିତ ହୋଇ ରହିଯାଇଥାଆନ୍ତି। ଲୁକ୍କାୟିତ ପ୍ରତିଭାଙ୍କୁ ବାହାରକୁ ଆଣିବା ହିଁ ଟିମ୍ ଜାଗୋର ଲକ୍ଷ୍ୟ। ଉପଯୁକ୍ତ ଶିକ୍ଷା, ସାମଗ୍ରିକ ବିକାଶ ଜରିଆରେ ସେମାନଙ୍କର ବ୍ୟକ୍ତିତ୍ୱ ନିର୍ମାଣ ପାଇଁ ଟିମ୍ ଜାଗୋ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀମତୀ ଦାସ କହିଥିଲେ ।
ଏହି ଅବସରରେ ସୋଆକୁ ଡିମ୍ଡ ବିଶ୍ୱବିଦ୍ୟାଳୟର ମାନ୍ୟତା ୨୦୦୭ ଜୁଲାଇ ୧୭ ତାରିଖରେ ମିଳିଥିବା ବେଳେ ଏହାର କିଛି ମାସ ମଧ୍ୟରେ ଜାଗୋ ଟିମ୍ ପ୍ରତିଷ୍ଠା ହୋଇଥିଲା । ତେଣୁ ଟିମ୍ ଜାଗୋର ୧୭ ବର୍ଷର ଯାତ୍ରା ବେଶ ସଫଳ ବୋଲି କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ । ଏଭଳି କାର୍ଯ୍ୟ ଦ୍ୱାରା ଛାତ୍ରଛାତ୍ରୀମାନେ ନିଜର ଭବିଷ୍ୟତକୁ ଉଜ୍ୱଳ କରିବା ସହ ନିଜକୁ ଭଲ ମଣିଷ ଭାବେ ଗଢ଼ିପାରିବେ ବୋଲି ସେ କହିଥିଲେ । ଏହି ଅବସରରେ ଜାଗୋର ପ୍ରତ୍ୟେକ ପିଲାଙ୍କ ମଧ୍ୟରେ ପ୍ରତିଭା ରହିଛି ବୋଲି ଜାଗୋର ମେଣ୍ଟର ପ୍ରଫେସର ଅନିତା ପଣ୍ଡା କହିଥିଲେ। ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ସହ କଳା, ସଂସ୍କୃତି ସହ ସମାଜ ପ୍ରତି ଦାୟିତ୍ୱବୋଧ ସଂପର୍କରେ ଅବଗତ କରାଯାଉଛି ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ), ଆଇଟିଇଆର, ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର ଏବଂ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ (ଆଇଡିଏସ୍)ର ଡିନ୍ ପ୍ରଫେସର ନୀତା ମହାନ୍ତି ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ଆଇଟିଇଆର୍ ଡିନ୍ ପ୍ରଫେସର ପି.କେ. ସାହୁ, ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଏବଂ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ପ୍ରଫେସର ଡାକ୍ତର ବସନ୍ତ କୁମାର ପତି ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.